ବିଜେପି ଛାଡ଼ିଲେ ରଞ୍ଜନ ପଲାଇ, ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା

ଗଞ୍ଜାମ: ରାଜ୍ୟ ବିଜେପିକୁ ଶକ୍ତ ଝଟକା । ବିଜେପି ଛାଡ଼ିଲେ ଗଞ୍ଜାମର ଯୁବ ବିଜେପି ନେତା ରଞ୍ଜନ ପଲାଇ । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ରଞ୍ଜନ ପଲାଇ । ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଥିଲେ ରଞ୍ଜନ ପଲାଇ । ଗତ ନିର୍ବାଚନରେ କବିସୂର୍ଯ୍ୟନଗରରୁ ହୋଇଥିଲେ ବିଧାୟକ ପ୍ରାର୍ଥୀ । କବିସୂର୍ଯ୍ୟନଗରର ଜଣେ ଦକ୍ଷ ସଙ୍ଗଠକ ଭାବେ ପରିଚିତ ରଞ୍ଜନ ପଲାଇ ।

ସାରା ଜିଲ୍ଲାରେ ବିଜେପିକୁ ଆଗକୁ ନେବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଥିଲେ ରଞ୍ଜନ । ଦଳୀୟ ବିଶୃଙ୍ଖଳା ସହିତ ରାଜ୍ୟ ବିଜେପି ସଭାପତିଙ୍କ ନୈରାଶ୍ୟଜନକ ମନ୍ତବ୍ୟକୁ ବିରୋଧ କରି ସମସ୍ତେ ଦଳ ଛାଡିଛନ୍ତି । ରଞ୍ଜନଙ୍କ ସହ ମଣ୍ଡଳ ସଭାପତି ଅଶୋକ ସାହୁ, ଅଶୋକ ପ୍ରଧାନ, ମୀନକେତନ ପାଣିଗ୍ରାହୀ, ସୁଦର୍ଶନ ସାହୁ ଓ ପ୍ରଶାନ୍ତ ସାହୁ ମଧ୍ୟ ବିଜେପି ଛାଡ଼ିଛନ୍ତି ।

ସେହିପରି କୋଦଳା ଏନଏସିର ୫ କାଉନସିଲରଙ୍କ ପ୍ରତିନିଧିଙ୍କ ସହ ପଞ୍ଚାୟତ ଓ ବୁଥ୍ ସଭାପତି, ବିଭିନ୍ନ ମୋର୍ଚ୍ଚା ସଭାପତିଙ୍କ ସହ ଶତାଧିକ କର୍ମୀ ବିଜେପିରୁ ଇସ୍ତଫା ଦେଇଛନ୍ତି ।