ବିଜେପି ଛାଡି ବିଜେଡିରେ ମିଶିଲେ ରଞ୍ଜନ ପଲେଇ

ଭୁବନେଶ୍ବର: ବିଜେପି ଛାଡି ବିଜେଡିରେ ମିଶିଲେ ରଞ୍ଜନ ପଲେଇ । ଆସିକା ନିର୍ବାଚନ ମଣ୍ଡଳୀର ସଦସ୍ୟ, କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରାର୍ଥୀ ରଞ୍ଜନ ପଲେଇ ଆଜି ବିଜେପି ଦଳ ଛାଡିଛନ୍ତି । ଆଜି ନିଜ ସମର୍ଥକଙ୍କ ସହ ଶଙ୍ଖ ଭବନରେ ସେ ବିଜେଡିରେ ଯୋଗ ଦେଇଛନ୍ତି ।

ବିଜେଡିକୁ ସ୍ୱାଗତ କଲେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସାଂସଦ ମାନସ ମଙ୍ଗରାଜ । ପ୍ରଣବ କହିଛନ୍ତି ଯେ, ରଞ୍ଜନ ଆଜି ଘରକୁ ଫେରିଛନ୍ତି । ସେମାନେ ବୁଝିଲେ ଯେ ନବୀନ ପଟ୍ଟନାୟକ ହି ରାଜ୍ୟ ଓ ଗଞ୍ଜାମର ବିକାଶ କରି ପାରିବେ । ରଞ୍ଜନଙ୍କୁ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଆଣିଛନ୍ତି । ବିଜେଡି ଏକ ମାତ୍ର ଦଳ ଯିଏ ଓଡ଼ିଶା ପାଇଁ କାମ କରିବ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶା ମୋ ପରିବାର ।

ଏ ନେଇ ମାନସ ମଙ୍ଗରାଜ କହିଛନ୍ତି ଯେ, ରଞ୍ଜନ ବିଜେପିର କାର୍ଯ୍ୟକାରିଣୀ ସଦସ୍ୟ ଥିଲେ । ଆଜି ଇସ୍ତଫା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାରେ ଆକୃଷ୍ଟ ହୋଇ ସେମାନେ ଯୋଗ ଦେଇଛନ୍ତି ।

ବିଜେଡିରେ ମିଶିବା ପରେ ରଞ୍ଜନ ପଲେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବିଶାଳ ହୃଦୟ ରଖି ସେ ମତେ ଗ୍ରହଣ କରିଛନ୍ତି । ବିଜେଡି ନୀତି ଆଦର୍ଶ ଓ ଓଡ଼ିଶା ଉନ୍ନତିରେ ମୋର ସହଯୋଗ ରହିବ । ଆଶୀର୍ବାଦ ଓ ସହଯୋଗ ପାଇଁ ଧନ୍ୟବାଦ । ବିନା ଦ୍ଵିଧାରେ ଲତିକା ପ୍ରଧାନ ମତେ ବିଜେଡି ଆଣିଛନ୍ତି । ମୁଁ ଓ ବିକ୍ରମ ପଣ୍ଡା ଛାତ୍ର ରାଜନୀତିରୁ କାମ କରିଛୁ । ମୁଁ ବିଜେଡିରେ ଥିଲି । ହେଲେ ପ୍ରଦୀପ ପାଣିଗ୍ରାହୀଙ୍କ ମନମାନୀକୁ ପ୍ରତିବାଦ କରି ୨୦୧୭ରେ ବିଜେପିରେ ଯୋଗ ଦେଇଥିଲି । ହେଲେ ବିଜେପି ରାଜ୍ୟ ଉନ୍ନତି ପାଇଁ ନୁହେଁ, ନିଜ ପାଇଁ ଲଢ଼ୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଚିନ୍ତାଧାରା ଆଉ କୌଣସି ଦଳରେ ନାହିଁ । ଏଠି ଲୋକଙ୍କ ପାଖକୁ ଯାଇ ସହଯୋଗ କରି କାମ କରିବାରେ ସୁଯୋଗ ଅଛି ।

ଏ ନେଇ ଲତିକା ପ୍ରଧାନ କହିଛନ୍ତି ଯେ, ରଞ୍ଜନଙ୍କ ଘର ବାହୁଡ଼ା ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶ ଓ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ପୁଣି ଘରକୁ ଫେରିଛନ୍ତି । ଆମେ ମିଳିମିଶି କାମ କରିବୁ ।