ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ହେଲେ ରାନିଲ ବିକ୍ରମସିଂଘେ

1 min read

କଲମ୍ବୋ: ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ହେଲେ ରାନିଲ ବିକ୍ରମସିଂଘେ । ଗୋଟାବାୟା ରାଜପକ୍ଷଙ୍କ ଇସ୍ତଫାରେ ଶ୍ରୀଲଙ୍କାର କାମଚଳା ରାଷ୍ଟ୍ରପତି ଥିଲେ ରାନିଲ । ଆଜି ଶ୍ରୀଲଙ୍କା ସଂସଦରେ ଅନୁଷ୍ଠିତ ହୋଇଥିବା ଭୋଟରେ ବିକ୍ରମସିଂଘେଙ୍କୁ ସର୍ବାଧିକ ୧୩୪ ସାଂସଦ ଭୋଟ୍ ଦେଇଥିଲେ । ପ୍ରଥମ ଥର ପାଇଁ ଶ୍ରୀଲଙ୍କାରେ ପରୋକ୍ଷରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।

ନୂଆ ରାଷ୍ଟ୍ରପତି ପାଇଁ ହୋଇଥିବା ନିର୍ବାଚନ ଭୋଟଦାନରୁ ୨ ଜଣ ସାଂସଦ ବିରତ ରହିଥିବାବେଳେ ୪ଟି ଭୋଟ୍ ନାକଚ ହୋଇଛି । ରାନିଲଙ୍କୁ ୧୩୪ ଭୋଟ ମିଳିଥିବାବେଳେ ପରାଜିତ ପ୍ରାର୍ଥୀ ଦୁଲାସ ଆଲାହାପେରୁମାଙ୍କୁ ମିଳିଛି ୮୨ ଭୋଟ । ଅନୁରା କୁମାର ଦିସାନାଏକେଙ୍କୁ ମିଳିଥିଲା ମାତ୍ର ୩ଟି ଭୋଟ । ପରାଜୟର ସ୍ୱାଦ ଚାଖିଛନ୍ତି ପିପୁଲ୍ସ ଲିବରେସନ ଫ୍ରଣ୍ଟ ବା ଜେଭିପି ନେତା ଅନୁରା କୁମାର ଦିସାନାଏକେ ଓ ଏସଏଲପିପି ନେତା, ପୂର୍ବତନ ଶିକ୍ଷାମନ୍ତ୍ରୀ ଦୁଲାସ ଆଲାହାପେରୁମା । ପୂର୍ବରୁ ପ୍ରତିଦ୍ୱନ୍ଦ୍ୱିତାରୁ ଓହରିଯାଇଥିଲେ ବିରୋଧି ଦଳ ନେତା ତଥା ସମାଗି ଜନ ବାଲାଓ୍ୱେଗାୟା ନେତା ସାଜିଥ ପ୍ରେମଦାସା ।