ଅଗ୍ନିକାଣ୍ଡରେ ଫସିଥିବା ପରିବାରକୁ ଜୀବନ ଦାନ ଦେଇ ପ୍ରସଂଶାର ପାତ୍ର ହେଲେ କନଷ୍ଟେବଳ

ଜୟପୁର: କୁହାଯାଏ ଚିତ୍ର କଥା କହେ । ଆଉ ଚିତ୍ର ହିଁ ମନର କୋହ ଆଖିର ଭାବନା ସବୁକୁ ଦର୍ଶାଏ । ଏବେ ଏମିତି ଏକ ଚିତ୍ର ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଜୀବନର ମୂଲ୍ୟ ବୁଝି ହୋଇଯିବ । ରାଜସ୍ଥାନ କରୋଲିରେ ହୋଇଥିବା ହିଂସା  ମଧ୍ୟରେ ଏମତି ଏକ ଚିତ୍ର ସାମ୍ନାକୁ ଆସିଛି । ଭୟାବହ ଅଗ୍ନିକାଣ୍ଡ ମଧ୍ୟରେ ଜଣେ କନଷ୍ଟେବଳଙ୍କ କାନ୍ଧରେ ଗୋଟିଏ ନିରୀହ ଜୀବନଟିଏ ଧରି ଦୌଡ଼ି ଆସୁଛି  । ଆଉ ଏହି ଚିତ୍ରଟି ସମ୍ପୂର୍ଣ୍ଣ କାହାଣୀକୁ ବୟାନ କରୁଛି । କନଷ୍ଟେବଳ ଜଣଙ୍କ ନିଜ ଜୀବନକୁ ପାଣି ଛାଡ଼ାଇ ହିଂସା ଅଞ୍ଚଳରୁ ଗୋଟିଏ ନିରୀହ ଜୀବନ ସମେତ ୩ ଜଣଙ୍କୁ ମଧ୍ୟ ଉଦ୍ଧାର କରିଥିଲେ । ଏହି ଚିତ୍ରକୁ ସମସ୍ତେ ପ୍ରଶଂସା କରୁଛନ୍ତି ।

ସୂଚନା ଅନୁସାରେ, ରାଜସ୍ଥାନର କରୋଲିଠାରେ ଶନିବାର ଘଟିଥିବା ସାମ୍ପ୍ରଦାୟିକ ହିଂସାକାଣ୍ଡରେ ସମ୍ପୃକ୍ତି ଅଭିଯୋଗକ୍ରମେ ପୁଲିସ ୪୬ଜଣଙ୍କୁ ଗିରଫ କରିଥିବାବେଳେ ୭ଜଣଙ୍କୁ ଅଟକ ରଖିଛି । ହିଂସାକାଣ୍ଡ ଓ ଜଳାପୋଡ଼ା ମଧ୍ୟରେ ପୁଲିସ କନ୍‌ଷ୍ଟେବଳ ନେତ୍ରେଶ ଶର୍ମା ସାହସିକ ପଦକ୍ଷେପ ନେଇ ପୋଡ଼ିଯାଉଥିବା ଘର ଭିତରୁ ଏକ ଶିଶୁକୁ ଉଦ୍ଧାର କରିବା ସହ ନିଶ୍ଚିତ ମୃତ୍ୟୁରୁ ତାର ଜୀବନ ରକ୍ଷା କରିଛନ୍ତି ।

ପୋଡ଼ିଯାଉଥିବା ଏକ ଘରୁ ମହିଳାଙ୍କ ଚିତ୍କାର ଶୁଣିବା ପରେ ପ୍ରବଳ ଢ଼େଲାମାଡ଼ ଓ ଜଳାପୋଡ଼ାକୁ ଖାତିର ନକରି ୩୧ବର୍ଷୀୟ ଶର୍ମା ସାହସର ସହିତ ଘର ଭିତରକୁ ଡେଇଁ ପଡ଼ିଥିଲେ । ଘରର କବାଟ ସେତେବେଳକୁ ଜଳୁଥିଲେ ମଧ୍ୟ ଘର ଭିତରୁ ସେ ଦୁଇ ମହିଳାଙ୍କୁ ଉଦ୍ଧାର କରିବା ସହ ଜଣଙ୍କ କୋଳରେ ଥିବା ଶିଶୁକୁ ଧରି ବାହାରକୁ ଦୌଡ଼ି ଆସିଥିଲେ । ଫଳରେ ତିନିଜଣଙ୍କ ଜୀବନ ରକ୍ଷା ହୋଇପାରିଥିଲା। ଏଥିସହିତ ସେ ଆହତାବାସ୍ଥାରେ ରାସ୍ତାକଡ଼ରେ ବସିଥିବା ଦୁଇ ଜଣଙ୍କୁ ମଧ୍ୟ ତୁରନ୍ତ ଡାକ୍ତରଖାନା ପଠାଇବା ବ୍ୟବସ୍ଥା କରିଥିଲେ। ଏଭଳି ପଦକ୍ଷେପକୁ ନିଜର କର୍ତ୍ତବ୍ୟ ବୋଲି କହିଛନ୍ତି ଶର୍ମା।

ଶନିବାର ହିନ୍ଦୁ ନବବର୍ଷ ପାଇଁ ଆୟୋଜିତ ମୋଟର ସାଇକଲ ଶୋଭାଯାତ୍ରା ବାହାରିଥିଲା। ଶୋଭାଯାତ୍ରାକାରୀଙ୍କ ଉପରକୁ ହଠାତ୍‌ ଢ଼େଲାମାଡ଼ ହେବାରୁ ହିଂସାକାଣ୍ଡ ଉପୁଜିଥିଲା । ସମ୍ପ୍ରତି ସମ୍ପୃକ୍ତ ଅଞ୍ଚଳରେ କର୍ଫ୍ୟୁ ଜାରି ସହ ମୋବାଇଲ ଓ ଇଣ୍ଟରନେଟ୍‌ ସେବା ବନ୍ଦ କରାଯାଇଛି । ପୁଲିସ ଶୋଭାଯାତ୍ରାରେ ସାମିଲ ୨୩ଟି ମୋଟର ସାଇକଲ ଓ ଦୁଇଟି କାର୍‌ ଜବତ କରି ତଦନ୍ତ ଚଳାଇଛି।