ସୁପ୍ରିମକୋର୍ଟରେ ପହଞ୍ଚିଲେ ରାଜସ୍ଥାନ ବାଚସ୍ପତି ସିପି ଜୋଶୀ, କହିଲେ…

Rajasthan Assembly Speaker Filed Petition near Supreme Court

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ପହଞ୍ଚିଲା ରାଜସ୍ଥାନ ରାଜନୀତି । ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ କୋର୍ଟରେ ଏସ୍‌ଏଲ୍‌ପି ଆବେଦନ କଲେ ବାଚସ୍ପତି ସିପି ଜୋଶୀ । ସଚିନ ପାଇଲଟଙ୍କ କ୍ୟାମ୍ପକୁ ଆଶ୍ୱସ୍ତି ଦେଇଥିବା ରାଜସ୍ଥାନ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ବାଚସ୍ପତି । ସଚିନ୍ ପାଇଲଟ୍ ଓ ୧୮ ବିଧାୟକଙ୍କୁ କାହିଁକି ଅଯୋଗ୍ୟ ଘୋଷଣା କରାଯିବ ନାହିଁ ବୋଲି ବାଚସ୍ପତି ନୋଟିସ୍ କରିଥିଲେ । ଏହାପରେ ପାଇଲଟ୍ କ୍ୟାମ୍ପ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଶୁକ୍ରବାର ଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

cp joshi raj speaker

ତେବେ ଏହା ବିରୋଧରେ ରାଜସ୍ଥାନ ବିଧାନସଭା ବାଚସ୍ପତି ଡ.ସି ପି ଜୋଶୀ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି । ବୁଧବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଜୋଶୀ ଏସମ୍ପର୍କରେ ସୂଚନା ଦେଇଥିଲେ । ବିଧାନ ପାଳିକା ଓ ବିଚାର ପାଳିକା ମଧ୍ୟରେ ଯେମିତି ସଂଘର୍ଷ ନହେବ ସେଥିଲାଗି ସୁପ୍ରିମକୋର୍ଟରେ ଏସଏଲପି (ବିଶେଷ ଅନୁମତି ଆବେଦନ) ଦାଏର କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଥିଲେ ।

ଡ. ଜୋଶୀ ମିଡିଆକୁ କହିଥିଲେ ଯେ, ସଂସଦୀୟ ବ୍ୟବସ୍ଥାରେ ସମସ୍ତଙ୍କ ଭୂମିକା ପରିଭାଷିତ । ଆୟା ରାମ ଗୟା ରାମ (ଦଳ ବଦଳ ) ସଂସ୍କୃତିକୁ ରୋକିବା ପାଇଁ ସୁପ୍ରିମକୋର୍ଟ ୧୯୯୨ ମସିହାରେ ଆଦେଶ ଦେଇଥିଲେ । ଯେଉଁଥିରେ ଦଳ ବଦଳ ମାମଲାରେ ସଦସ୍ୟଙ୍କ ସଦସ୍ୟତା ସମାପ୍ତ କରିବା ଅଧିକାର ବାଚସ୍ପତିଙ୍କୁ ଦିଆଯାଇଥିଲା । ଏହି ପ୍ରକ୍ରିୟାରେ କାହାରି ମଧ୍ୟ ହସ୍ତକ୍ଷେପ କରିବାର ଅଧିକାର ନାହିଁ । ୧୯୯୨ ମସିହାରେ ସୁପ୍ରିମ କୋର୍ଟ ସ୍ପଷ୍ଟ କରିଥିଲେ ଯେ, ଦଳ ବଦଳ ଆଇନ ଅନ୍ତର୍ଗତରେ ଜଣେ ନିର୍ବାଚିତ ପ୍ରତିନିଧିଙ୍କ ସଦସ୍ୟତା ସମାପ୍ତ କରିବା ଅଧିକାର କେବଳ ବାଚସ୍ପତିଙ୍କର ଅଛି । ବାଚସ୍ପତି  କୌଣସି ନିଷ୍ପତ୍ତି କରିବା ପୂର୍ବରୁ ଏଥିରେ ହସ୍ତକ୍ଷେପ କରାଯାଇ ପାରିବ ନାହିଁ ।

cp joshi with pilot

ସଂଘର୍ଷର ସ୍ଥିତି ଉତ୍ପନ ହୋଇପାରେ

ବାଚସ୍ପତି କହିଥିଲେ ଯେ, ମୁଁ ଅଦାଲତଙ୍କୁ ସମ୍ମାନ ଦେଇଛି । କିନ୍ତୁ ଆମ ସାଥି ନୋଟିସର ଜବାବ ଦେବା ପାଇଁ ସ୍ପିକରଙ୍କ ପାଖକୁ ଆସିବାକୁ ଚାହୁଁନାହାନ୍ତି । ସେମାନେ ସିଧା ଅଦାଲତଙ୍କ ପାଖକୁ ଚାଲିଗଲେ । ସ୍ପିକରଙ୍କ ନୋଟିସରେ ଆଜି ପର୍ଯ୍ୟନ୍ତ ଅଦାଲତ ହସ୍ତକ୍ଷେପ କରି ନାହାନ୍ତି । ଦଳବଦଳ ଆଇନ କ୍ରମରେ କାରଣ ଦର୍ଶାଅ ନୋଟିସ ଜାରି କରିବା ଅଧିକାର କେବଳ ବାଚସ୍ପତିଙ୍କର ଅଛି । ଏଭଳି କୌଣସି ଉଦାହରଣ ନାହିଁ ଯେତେବେଳେ ମଝିରେ ହସ୍ତକ୍ଷେପ କରାଯାଇଛି । ଆଗକୁ ଏହା ସଂଘର୍ଷର ରୂପ ନେଇପାରେ । ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହେବା ପୂର୍ବରୁ ଏଭଳି କହିଥିଲେ ଯୋଶୀ ।

Leave a Reply