ବାରମ୍ବାର ଏହି ମାମଲାରେ ମୋ ସ୍ତ୍ରୀକୁ ଟାଣନ୍ତୁ ନାହିଁ, ଇଡି ରେଡ ପରେ ରାଜ କୁନ୍ଦ୍ରାଙ୍କ ପ୍ରଥମ ବୟାନ ..

ନନ୍ଦିଘୋଷ ବ୍ୟୁରୋ: ଗତକାଲି ମୋବାଇଲ ଆପ ମାଧ୍ୟମରେ ଅଶ୍ଳୀଳ ଭିଡ଼ିଓ ନିର୍ମାଣ, ପ୍ରଚାର ଏବଂ ପ୍ରସାର ସହ ଜଡିତ ଅର୍ଥ ହେରଫେର ଘଟଣାରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ଘର ଏବଂ କାର୍ଯ୍ୟାଳୟ ଉପରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଚଢାଉ କରିଛି । ରାଜଙ୍କ ସହ ଜଡିତ ମୁମ୍ବାଇ ଏବଂ ଉତ୍ତରପ୍ରଦେଶର ପ୍ରାୟ ୧୫ଟି ସ୍ଥାନରେ ଚଢାଉ କାର୍ଯ୍ୟ ଚାଲିଛି। ମୋବାଇଲ ଆପ୍ଲିକେସନ ଏବଂ ଅନ୍ୟାନ୍ୟ ଉପାୟ ମାଧ୍ୟମରେ ଅଶ୍ଳୀଳ ଭିଡିଓ ବିତରଣରେ ସନ୍ଦିଗ୍ଧଙ୍କ ଭୂମିକା ସମ୍ପର୍କରେ ଅନୁସନ୍ଧାନ କରାଯାଇଛି।

ତେବେ ଇଡି ଚଢାଉର ଗୋଟିଏ ଦିନ ପରେ ରାଜ କୁନ୍ଦ୍ରାଙ୍କ ଏକ ବିବୃତ୍ତି ସାମ୍ନାକୁ ଆସିଛି । ସେ ଏଥିରେ ଉଲ୍ଲେଖ କରିଛନ୍ତି କି ଏସବୁ ମାମଲାରେ ମୋ ସ୍ତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ଟାଣିବା ଉଚିତ୍ ନୁହେଁ । ଏହାସହିତ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ରାଜ କୁନ୍ଦ୍ରା ଲେଖିଛନ୍ତି ମୁଁ ଗତ ଚାରି ବର୍ଷ ଧରି ଅନୁସନ୍ଧାନରେ ସହଯୋଗ କରିଆସୁଛି । ଏବଂ ସତ କେବେ ଲୁଚି ରହେନା । ଶେଷରେ କେବଳ ନ୍ୟାୟ ମିଳିବ ।

ଶିଳ୍ପା ଶେଟ୍ଟୀଙ୍କୁ ଆହୁରି ସମର୍ଥନ କରି ସେ ଲେଖିଛନ୍ତି, “ଏହି ମାମଲାରେ ମୋ ପତ୍ନୀଙ୍କୁ ବାରମ୍ବାର ଟାଣିବା ଗ୍ରହଣୀୟ ନୁହେଁ। କାହାକୁ କହିବାର ଗୋଟେ ସୀମା ଥାଏ । ଏହା ଏକ ସମ୍ବେଦନଶୀଳ ମାମଲା  । ଯେଉଁଥିରେ ମୋ ସ୍ତ୍ରୀଙ୍କର କୌଣସି ସମ୍ପର୍କ ନାହିଁ । ଏହାପୂର୍ବରୁ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ମାମଲାରେ ୨୦୨୧ ମସିହା ଜୁନ୍ ମାସରେ ରାଜ କୁନ୍ଦ୍ରାଙ୍କୁ ଗିରଫ କରିଥିଲା ମୁମ୍ବାଇ ପୁଲିସ। ଦୁଇ ମାସ ଜେଲରେ ରହିବା ପରେ ସେ ସେ‌ପ୍ଟେମ୍ବର ୨୦୨୧ରେ ଜାମିନରେ ମୁକୁଳିଥିଲେ।

ରାଜ କୁନ୍ଦ୍ରାଙ୍କ ପୂର୍ବରୁ ଶିଳ୍ପା ଶେଟ୍ଟୀଙ୍କ ଓକିଲ ମଧ୍ୟ ଏ ବାବଦରେ ଏକ ବିବୃତ୍ତି ଜାରି କରି କହିଥିଲେ ଯେ ସେ ଶିଳ୍ପାଙ୍କ ନାମ ଏବଂ ଚିତ୍ର ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ । କାରଣ ଏହି ଘଟଣାରେ ତାଙ୍କର କୌଣସି ସମ୍ପର୍କ ନାହିଁ। ତେବେ ଶିଳ୍ପା ଏବଂ ରାଜ କୁନ୍ଦ୍ରା ୨୨ନଭେମ୍ବର ୨୦୦୯ରେ ବିବାହ କରିଥିଲେ। ଉଭୟ ଦୁଇଟି ସନ୍ତାନର ପିତାମାତା  ।