ଟ୍ରପଲାଇନ ପ୍ରଭାବରେ ସାରା ରାଜ୍ୟରେ ବର୍ଷା

ଭୁବନେଶ୍ୱର: ଟ୍ରପଲାଇନ ପ୍ରଭାବରେ ସାରା ରାଜ୍ୟରେ ବର୍ଷା । ଟୁଇନସିଟିରେ ବର୍ଷା ପବନ । ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପ୍ରଚଣ୍ଡ ଘଡଘଡି ବିଜୁଳି ସହ କୁଆପଥର ବର୍ଷା ନେଇ ୧୨ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦ୍ରାପଡା, କଟକ, ଯାଜପୁର, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ନୟାଗଡ଼, ସମ୍ବଲପୁର ଏବଂ ଦେବଗଡକୁ ସତର୍କତା ଜାରି ହୋଇଛି ।

ବର୍ଷା ସମୟରେ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ବହିବ ପବନ । ସେହିପରି ହାଲୁକାରୁ ମଧ୍ୟମଧରଣର ବର୍ଷା ପାଇଁ ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ଆସନ୍ତା ୨୩ ତାରିଖରେ ଆସୁଛି ଆଉ ଏକ ପଶ୍ଚିମା ଝଡ । ଏହାର ପ୍ରଭାବରେ ଲାଗିରହିବ କାଳବୈଶାଖୀର ତାଣ୍ଡବ । ୨୫ ଯାଏଁ ସାରା ରାଜ୍ୟରେ ବର୍ଷା ଜାରି ରହିବ । ମଧ୍ୟାହ୍ନରେ ତାପମାତ୍ରା ବଢିଲେ ବି ଅପରାହ୍ନରେ ହେବ ବର୍ଷା ।

କାଲିଠାରୁ ଦିନର ତାପମାତ୍ରା ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ବୃଦ୍ଧି ପାଇବ । ଗତ ୨୪ ଘଣ୍ଟା ମଧ୍ୟରେ ସୋନପୁରରେ ସର୍ବାଧିକ ୩୩.୪ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଖୋର୍ଦ୍ଧା, କଟକ, ଯାଜପୁର, ବଲାଙ୍ଗୀର, ମୟୂରଭଞ୍ଜ, ବାଲେଶ୍ୱର, ରାୟଗଡା, କୋରାପୁଟରେ କୁଆପଥର ବୃଷ୍ଟି ହୋଇଛି ।