ଆଜିଠୁ ସାରା ରାଜ୍ୟରେ ବର୍ଷା ,୧୨ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ବର :  ଆଜିଠୁ ସାରା ରାଜ୍ୟରେ ପ୍ରବଳ ବର୍ଷା । ପଶ୍ଚିମାଝଡ଼ ପ୍ରଭାବରେ କାଲିଠୁ ପାଗ ମେଘୁଆ ରହିଥିବାବେଳେ ଆଜିଠୁ ବର୍ଷା ହେବାନେଇ ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉତ୍ତର ଉପକୂଳ ରାଜ୍ୟରେ ଘଡଘଡି ବିଜୁଳି ସହିତ ବର୍ଷା ହେବ । ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ୧୨ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି ।

ବର୍ଷା ସହିତ ଘଣ୍ଟାପ୍ରତି ୪୦ ରୁ ୫୦ କିମି ବେଗରେ ପବନ ବହିବ । ଆସନ୍ତାକାଲି ପଶ୍ଚିମାଝଡ଼ର ସର୍ବାଧିକ ରହିବ । ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ବିଭିନ୍ନ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାିଛି । ଗାଙ୍ଗେୟ ପଶ୍ଚିମବଙ୍ଗ ତଥା ହିମାଳୟ ପାଦଦେଶରୁ ଦକ୍ଷିଣ ଓଡ଼ିଶା ଯାଏଁ ଲମ୍ବିଛି ନିମ୍ନଚାପ ରେଖା । ଆଗକୁ ଏହା ଓଡ଼ିଶାର ଆହୁରି ନିକଟତର ହେବ । ଫଳରେ ପଶ୍ଚିମାଝଡର ଅଧିକ ଅନଭୂତ ହେବ ।

ଭୂମଧ୍ୟ ସାଗରରୁ ବାୟୁମଣ୍ଡଳର ମଧ୍ୟଭାଗରେ ଘୂର୍ଣ୍ଣିବଳୟ ସୃଷ୍ଟି ହେଲେ ପଶ୍ଚିମା ଝଡ ଆସେ । ଏହି ପବନ ପଶ୍ଚିମରୁ ପୂର୍ବ ଆଡ଼କୁ ପ୍ରବାହିତ ହେଉଥିବାରୁ ଏହାକୁ ପଶ୍ଚିମା ଝଡ କୁହାଯାଏ । ଏହି ଘୂର୍ଣ୍ଣିବଳୟ ବା ନିମ୍ନ ଚାପରେଖା ଦକ୍ଷିଣ ଅକ୍ଷାଂଶ ଆଡ଼କୁ ଗତି କଲେ ଓଡ଼ିଶା ଉପରେ ପ୍ରଭାବ ପକାଏ । ବର୍ତ୍ତମାନ ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ନେଇ ଆକଳନ ହୋଇଛି ।