୯ ବର୍ଷ ହେଲା ଆଗକୁ ବଢୁନି ଜୟପୁର-ନବରଙ୍ଗପୁର ରେଳ ପ୍ରକଳ୍ପ କାମ

1 min read

ଜୟପୁର : ଆଶା ଦେଖାଇ ଠକିଦେଲା କେନ୍ଦ୍ର । ଡବଲ ଇଞ୍ଜିନ ସରକାର ବି ଫେଲ୍ । ୯ ବର୍ଷ ହେଲା ଆଗକୁ ବଢୁନି ଜୟପୁର-ନବରଙ୍ଗପୁର ରେଳ ପ୍ରକଳ୍ପ । ପୂର୍ବ ସରକାର ଜମି ଦେବାକୁ ଘୋଷଣା କରିବା ସହିତ ଜମି ଅଧିଗ୍ରହଣ କାମ ବି ଆରମ୍ଭ କରିଥିଲେ । କିନ୍ତୁ ସରକାର ବଦଳିବା ପରେ ଜମି ଅଧିଗ୍ରହଣ କରିବାରେ ଫେଲ୍ ମାରିଛି । ନିର୍ବାଚନ ବେଳେ ବଡ଼ ବଡ଼ ପ୍ରତିଶ୍ରୁତି ଦେଇଥିବା ବିଜେପି ସରକାର ଧୋକ୍କା ଦେଇଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କୋରାପୁଟ ଜିଲ୍ଲା ଗ୍ରସ୍ତ ବେଳେ ରେଳ ପ୍ରକଳ୍ପ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ହେଲେ କେବଳ ପ୍ରତିଶ୍ରୁତିରେ ଅଟକି ରହିଛି ଅଗ୍ରଗତି ।

ପ୍ରକଳ୍ପ ପାଇଁ କେନ୍ଦ୍ର ସରକାରଙ୍କ ଆନ୍ତରିକତା ନଥିବା ଅଭଯୋଗ କରିଛନ୍ତି ଜୟପୁର ବିଧାୟକ । କିଛି କାମ ନକରି କେବଳ ଲୋକଙ୍କୁ ଭ୍ରମିତ କରିଛନ୍ତି ଡବଲ ଇଞ୍ଜିନ ସରକାର । ଜୟପୁର ନବରଙ୍ଗପୁର ରେଳ ପ୍ରକଳ୍ପ ପାଇଁ ଅଧିଗ୍ରହଣ ଅଧିକାରୀ କିପରି କାମ କରୁଛନ୍ତି ତାହା ଜଣା ପଡୁନାହିଁ ବୋଲି କହିଛନ୍ତି ବିଧାୟକ । ସେପଟେ କୋରାପୁଟ ସାଂସଦ କହିଛନ୍ତି, ବାରମ୍ବାର ସଂସଦରେ ପ୍ରଶ୍ନ କରିଥିଲେ ସୁଦ୍ଧା କୌଣସି ଉତ୍ତର ମିଳୁନାହିଁ । ସେପଟେ ଜମି ଅଧିଗ୍ରହଣବେଳେ ଜମିର ମୁଲ୍ୟକୁ ନେଇ ସମସ୍ଯା ଉଠିଥିବାରୁ ଏହାର ବେଞ୍ଚମାର୍କ ମୁଲ୍ୟ ବୃଦ୍ଧି ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବା କହିଛନ୍ତି ଜିଲ୍ଲାପାଳ ।