ଖତରନାକ ଓ୍ବାଟର ଫଲ୍… ରିଲ୍ସ ପାଇଁ ଡେଞ୍ଜର ଗେମ୍… ସାଢ଼େ ତିନି ଶହ ଫୁଟ ତଳେ ମୃତ୍ୟୁ… ଅନଭିଙ୍କ ଯନ୍ତ୍ରଣାଦାୟକ କାହାଣୀ

ରାୟଗଡ଼: ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାରେ ଥିବା କୁମ୍ଭ ଜଳପ୍ରପାତ ନିଜ ମନୋରମ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ଦେଶ ବିଦେଶରେ ବେଶ ସୁନାମ ଅର୍ଜନ କରିଛି । ଏହାର ସୁନ୍ଦରତାକୁ ନଦେଖି ସୋସିଆଲ ମିଡିଆ ଇନଫ୍ଲୁଏନସର ଅନଭି କାମଦାର କେମିତି ବି ରହିପାରିଥାନ୍ତି । ଆଉ ୧୬ ଜୁଲାଇରେ ସାଙ୍ଗମାନଙ୍କ ସହ କୁମ୍ଭ ଜଳପ୍ରପାତ ପାଖରେ ପହଞ୍ଚି ଯାଇଥିଲା ଅନଭି । ହେଲେ କେହି ଜାଣି ନଥିଲେ ଏହା ଥିଲା ଅନଭିଙ୍କ ଶେଷ ଯାତ୍ରା ଓ ଶେଷ ରିଲ୍ସ ବନାଇବା । ରିଲ୍ସ କରୁ କରୁ ସାଢ଼େ ୩ ଶହ ଫୁଟ ତଳକୁ ଖସି ଯନ୍ତ୍ରଣାଦାୟକ ମୃତ୍ୟୁବରଣ କରିଥିବା ଅନଭିଙ୍କ ସହ ସେଦିନ କ’ଣ ଘଟିଥିଲା ଆସନ୍ତୁ ଜାଣିବା ।

ସାଢ଼େ ୩୦୦ ଫୁଟ ତଳକୁ ପଡ଼ିଥିଲେ ଅନଭି

ଜଳପ୍ରପାତ ପାଖରେ ଅନଭି ଭିଡିଓ ସୁଟ୍ କରୁଥିଲେ । ଇନଷ୍ଟା ରିଲ୍ସ ଜରିଆରେ ଜଳପ୍ରପାତର ମନୋରମ ଦୃଶ୍ୟକୁ ଫଲୋର୍ସଙ୍କୁ କହୁଥିବା ବେଳେ ହଠାତ ଗୋଡ଼ ଖସି ଯାଇଥିଲା । ଚାହୁଁ ଚାହୁଁ ସାଢ଼େ ୩ ଶହ ଫୁଟ ତଳକୁ ଝରଣାରେ ପଡି ପଥରରେ ପିଟି ହୋଇଯାଇଥିଲେ ଅନଭି ।

ପୋଲିସ, ଟ୍ରାକିଂ ଏକ୍ସପର୍ଟ, କୋଷ୍ଟଗାର୍ଡ ଓ ଲୋକାଲ ରେସ୍କ୍ୟୁ ଟିମଙ୍କ ଉଦ୍ଧାର କାର୍ଯ୍ୟ

ଅନଭି ଝରଣାରେ ପଡିବା ପରେ ସାଙ୍ଗସାଥୀଙ୍କ ମଧ୍ୟରେ ଧାଁ ଦୌଡ଼ ଆରମ୍ଭ ହୋଇଯାଇଥିଲା । ଚାହିଁକି ବି ଅନଭି ପଡ଼ିଥିବା ସ୍ଥାନକୁ ଯିବାକୁ କେହି ସାହସ କରିପାରି ନଥିଲେ । କାରଣ ସେ ସ୍ଥାନକୁ ଯିବାରେ ସେମାନଙ୍କ ଜୀବନ ପ୍ରତି ବି ବିପଦ ଥିଲା । ତେଣୁ ସେମାନେ ରାୟଗଡ଼ ପୋଲିସ ସହ ଅନ୍ୟ ରେସ୍କ୍ୟୁ ଟିମ୍ ସହ ଯୋଗାଯୋଗ କରିଥିଲେ । ଖବର ପାଇବା ମାତ୍ରେ ପୋଲିସ, ଟ୍ରାକିଂ ଏକ୍ସପର୍ଟ, କୋଷ୍ଟଗାର୍ଡ, ଲୋକାଲ ରେସ୍କ୍ୟୁ ଟିମ୍ ଓ ମହାରାଷ୍ଟ୍ର ଇଲେକ୍ଟ୍ରିସିଟି ଇଲେକ୍ଟ୍ରିସିଟି ବୋର୍ଡର ଏକ ଟିମ୍ ମଧ୍ୟ ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଥିଲେ । ଏହାପରେ ଅନଭିଙ୍କୁ ଉଦ୍ଧାର କରିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ହେଲେ ଅନଭି ପଡ଼ିଥିବା ସ୍ଥାନ ଏତେ ପିବଦପୂର୍ଣ୍ଣ ଥିଲା ଯେ, ସେଠାରେ ପହଞ୍ଚିବାକୁ ଉଦ୍ଧାରକାରୀ ଦଳଙ୍କୁ ୬ ଘଣ୍ଟା ଲାଗି ଯାଇଥିଲା ।

ଉଦ୍ଧାର ବେଳେ ବଞ୍ଚି ଥିଲେ ଅନଭି

ଝରଣାରେ ପଡ଼ିବା ପରେ ପଥରରେ ପିଟି ହୋଇଥିଲେ ବି ଅନଭିଙ୍କ ମୃତ୍ୟୁ ଘଟି ନଥିଲା । ତାଙ୍କ ଶ୍ବାସ ଚାଲିଥିଲା । ହେଲେ ତାଙ୍କ ଶରୀର ସ୍ଥାଣୁ ପାଲଟି ଯାଇଥିଲା । କାରଣ ସାଢ଼େ ୩ ଶହ ଫୁଟ ତଳକୁ ପଡ଼ିବା ପରେ ବଡ଼ ବଡ଼ ପଥରରେ ପିଟି ହୋଇଥିଲେ ସେ । ତୁରନ୍ତ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଆଉ ସୁରକ୍ଷା ନିୟମକୁ ଅଣଦେଖା କରି ରିଲ୍ସ ବନାଇବା ନିଶାରେ ଅନଭି ଚିରଦିନ ପାଇଁ ଆଖି ବୁଜି ଦେଲେ ।

ଜୀବନଠୁ ଭାରି ପଡ଼ିଲା ନିଶା

 

ଏହା ପ୍ରଥମ ଘଟଣା ନୁହେଁ ଅନଭି କୌଣସି ସ୍ଥାନର ସୁନ୍ଦରତାକୁ ଭିଡିଓରେ ରେକର୍ଡ କରିବା ସହ ତା ସମ୍ପର୍କରେ କହୁଥିଲେ । ଦେଶ ବିଦେଶର ବହୁ ସ୍ଥାନ ବୁଲି ତାହାର ମହତ୍ବ ଓ ସୁନ୍ଦରତାକୁ ଇନଷ୍ଟା ରିଲ୍ସ ଜରିଆରେ ଲୋକଙ୍କ ପାଖରେ ପହଞ୍ଚାଉଥିଲେ । ଏହାକୁ ତାଙ୍କର ରିଲ୍ସ ବନାଇବା ନିଶା କୁହନ୍ତୁ ବା ଭିନ୍ନ ଭିନ୍ନ ସ୍ଥାନ ବୁଲିବାର ସଉକ । ପେଶାରେ ଚାଟାର୍ଡ ଆକାଉଣ୍ଟାଣ୍ଟ ଅନଭି ଟ୍ରାଭେଲିଂଠାରୁ କେବେ ଦୂରରେ ନଥିଲେ । ହେଲେ କିଏ ଜାଣିଥିଲା ତାଙ୍କର ଏହି ଅଭ୍ୟାସ ଦିନେ ତାଙ୍କ ଜୀବନ ନେଇଯିବ ବୋଲି ।

ଜଳପ୍ରପାତ ନିକଟକୁ ଚାଲିଯାଇଥିଲେ ଅନଭି

ଅନଭିଙ୍କ ସାଙ୍ଗଙ୍କ କହିବା ଅନୁସାରେ ସେମାନେ ପହଞ୍ଚିବା ବେଳକୁ ଜଳପ୍ରପାତ ପାଖର ପରିବେଶ ବେଶ ସୁନ୍ଦର ଥିଲା । ହାଲକା ହାଲକା ବର୍ଷା ହେଉଥିଲା । ଆଉ ସାଙ୍ଗଙ୍କ ସହ ଏଠାକୁ ଆସି ଅନଭି ବହୁତ ଖୁସି ଥିଲେ । ସବୁ ସାଙ୍ଗ ନିଜ ନିଜ ଅନୁସାରେ ଜଳପ୍ରପାତର ସୌନ୍ଦର୍ଯ୍ୟର ମଜା ନେଉଥିଲେ । କିଏ ଭିଡିଓ ସୁଟ କରୁଥିଲା ତ କିଏ ସେଲଫି ନେଉଥିଲା । ହେଲେ ରିଲ୍ସ ବନାଇବା ଚକ୍କରରେ ଅନଭି ଜଳପ୍ରପାତର ବହୁତ ପାଖକୁ ଚାଲିଯାଇଥିଲେ । ଯେଉଁ କାରଣରୁ ଏହି ଅଘଟଣ ଘଟିଗଲା ।

ପଥର ଧସିବାରୁ ଦୁର୍ଘଟଣା

କୁମ୍ଭ ଝରଣା ଆଖପାଖରେ ରହୁଥିବା ଲୋକ ଓ ପ୍ରକୃତି ପ୍ରେମୀଙ୍କ କହିବା ଅନୁସାରେ ସ୍ଥାନଟି ସୁନ୍ଦର ଯେତେ, ବିପଦପୂର୍ଣ୍ଣ ସେତେ । ଜଳପ୍ରପାତଟି ଦୁର୍ବଳ ପଥରରେ ଘେରି ରହିଛି । ବହୁତ ସମୟରେ ଏହି ପଥର ଧସେଇ ଝରଣାରେ ପଡିଥାଏ । ଏମିତି ସ୍ଥିତିରେ ରିଲ୍ସ ବନାଇବା ବେଳେ ଅନଭିଙ୍କ ଗୋଡ କୌଣସି ଦୁର୍ବଳ ପଥର ଉପରେ ପଡ଼ିଯାଇଥିବ ଓ ତାହା ଧସି ଯିବାରୁ ସେ ଖସି ପଡ଼ିଥିବେ ।

୪ରୁ ୫ ଟିମ, ୬ ଘଣ୍ଟାର ରେସ୍କ୍ୟୁ

ଅନଭିଙ୍କ ପାଖରେ ପହଞ୍ଚିବା ରେସ୍କ୍ୟୁ ଟିମ୍ ପାଇଁ ଏତେ ସହଜ ନଥିଲା । କାରଣ ଉପରୁ ପଥର ଖସିବାର ମଧ୍ୟ ଭୟ ଥିଲା । ଏମିତି ସ୍ଥିତିରେ ୪ରୁ ୫ଟି ରେସ୍କ୍ୟୁ ଟିମ୍ ଲାଗିଥିଲେ ବି ଅନଭି ପାଖରେ ପହଞ୍ଚିବାକୁ ୬ ଘଣ୍ଟା ଲାଗି ଯାଇଥିଲା । ସାଢ଼େ ୩ ଶହ ଫୁଟ ତଳକୁ ଖସିବା ପରେ ଅନଭିଙ୍କ ଶରୀରରେ ବିଭିନ୍ନ ସ୍ଥାନରେ ଗୁରୁତର ଆଘାତ ଲାଗିଥିଲା । ତେଣୁ ଉଦ୍ଧାରକାରୀ ଦଳ ତାଙ୍କ ପାଖରେ ପହଞ୍ଚିବା ପରେ ପ୍ରଥମେ ଫାଷ୍ଟ ଏଡ଼ ଦେଇଥିଲେ । ଏହାପରେ ଏକ ପୁଲି ସାହାଯ୍ୟରେ ଉପରକୁ ଆଣିଥିଲେ । ଏତେ କଷ୍ଟକର ଅପରେସନ ସଫଳତାର ସହ ଶେଷ ହୋଇଥିଲେ ବି ଅନଭିଙ୍କ ଜୀବନ ବଞ୍ଚାଇବା ସମ୍ଭବ ହୋଇ ନଥିଲା ।