ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଆସିବ ରାହୁଲ

ଚମ୍ପା: ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ରାହୁଲ ପାଇଛି ନୂଆ ଜୀବନ । ତାଙ୍କ କୃପାରୁ ୮୦ ଫୁଟ ଗଭୀର ବୋରଓ୍ବେଲରୁ ସୁରକ୍ଷିତ ଉଦ୍ଧାର ପାଇ ଘରକୁ ଫେରିଛି । ସେହି ମହାପ୍ରଭୁଙ୍କ ଦର୍ଶନରୁ ପୁଣି ଥରେ ଜୀବନ ରଥରେ ଆଗକୁ ବଢ଼ିବ ରାହୁଲ । ଏଥିପାଇଁ ପୂରା ପରିବାର ସହ ଶ୍ରୀଜିଉଙ୍କ ଦର୍ଶନ ପାଇଁ ପୁରୀ ଆସିବ ରାହୁଲ । ନନ୍ଦିଘୋଷ ଟିଭିକୁ ଏହି ସୂଚନା ଦେଇଛନ୍ତି ରାହୁଲଙ୍କ ବାପା ରାମକୁମାର ସାହୁ । ରାହୁଲ ଆଜି ମେଡିକାଲରୁ ଡିସଚାର୍ଜ ହୋଇ ଘରେ ପହଞ୍ଚିବା ପରେ ଭାବବିହ୍ବଳ ହୋଇ ଯାଇଥିଲେ ରାମକୁମାର । ମହାପ୍ରଭୁ ଜଗନ୍ନାଥ ରାହୁଲଙ୍କୁ ଉଦ୍ଧାର କରିଥିବାରୁ ପ୍ରଥମେ ତାଙ୍କ ଦର୍ଶନ କରିବେ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ବିଳାସପୁରର ଆପୋଲ ହସ୍ପିଟାଲରୁ ଆଜି ଡିସଚାର୍ଜ ହୋଇ ନିଜ ଗାଁ ପିହିରିଦକୁ ଫେରିଛି ରାହୁଲ । ଗାଁରେ ତାକୁ ଭବ୍ୟ ସ୍ବାଗତ କରାଯାଇଥିଲା । ଗାଁ ଲୋକେ ତାକୁ ପେଛୋଟି ନେଇଥିଲେ । ସ୍ଥାନେ ସ୍ଥାନେ ରାହୁଲକୁ ଲୋକେ ଉପହାର ପ୍ରଦାନ କରିଥିବା ବେଳେ ତା’ ଦୀର୍ଘ ଜୀବନ କାମନା କରିଥିଲେ । ଗାଁ ଲୋକେ ମୃଦଙ୍ଗ, ଝାଞ୍ଜ, ଖଞ୍ଜଣୀ ବଜାଇ ବାଣ ଫୁଟାଇ ରାହୁଲକୁ ପେଛୋଟି ନେଇଥିଲେ ।