ଦିଲ୍ଲୀ ନିର୍ବାଚନ : ସ୍ଥାନୀୟ କଂଗ୍ରେସ ନେତାଙ୍କୁ ରାହୁଲ-ପ୍ରିୟଙ୍କାଙ୍କ ତାଗିଦ
ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ନିର୍ବାଚନ ଯେତିକି ପାଖଉଛି ରାଜେନୖତିକ ମାହୋଲ ସେତିକି ଉଷ୍ମ ହେବାରେ ଲାଗିଛି । ବିଜୟ ପାଇଁ ରାଜନୈତିକ ଦଳମାନେ ନିଜର ପ୍ରସ୍ତୁତି ଜାରି ରଖିଛନ୍ତି । ୨ଟି ନିର୍ବାଚନରେ ଦିଲ୍ଲୀରେ ଖାତା ଖୋଲି ନଥିବା କଂଗ୍ରେସ କିନ୍ତୁ ଚଳିତଥର ଲଢ଼େଇ ଜୋରଦାର କରିବ ବୋଲି ଚର୍ଚ୍ଚା ହେଉଛି । ତେବେ ଜାତୀୟ ନେତାମାନେ ଦିଲ୍ଲୀ ରାଜନୀତିକୁ ନେଇ ଯେତିକି ଚିନ୍ତାରେ ରହୁଛନ୍ତି ଦିଲ୍ଲୀର କଂଗ୍ରେସ ନେତାମାନେ ସେତିକି ଭାବୁନଥିବା କୁହାଯାଇଛି । ଯାହାକୁ ନେଇ ସ୍ଥାନୀୟ ନେତାଙ୍କୁ ତାଗିଦ କରିଛନ୍ତି ରାହୁଲ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧି । ଦିଲ୍ଲୀର ସ୍ଥାନୀୟ ନେତାମାନେ ଗୁରୁତର ସହ କୌଣସି ବୈଠକ କରୁନଥିବାବେଳେ ଲୋକଙ୍କ ପାଖରେ ପହଞ୍ଚି ପାରୁନଥିବା କୁହାଯାଇଛି । ଯାହାକୁ ନେଇ ରାହୁଲ କହିଛନ୍ତି କି, କଂଗ୍ରେସର ପ୍ରମୁଖ ଗ୍ୟାରେଣ୍ଟି କାର୍ଡ ଲୋକଙ୍କ ପାଖରେ ପହଞ୍ଚାନ୍ତୁ ।
ସୋମବାର ଦିଲ୍ଲୀର ସ୍ଥାନୀୟ ନେତୃ ମଣ୍ଡଳୀଙ୍କ ସହ ଅନଲାଇନରେ ଏକ ବୈଠକ ଆୟୋଜନ କରିଥିଲେ ରାହୁଲ ଏବଂ ପ୍ରିୟଙ୍କା । ରାହୁଲ ସିଲମପୁରରେ ଏକ ଜନସଭା କରିଥିବାବେଳେ ଏହାପରଠାରୁ କିନ୍ତୁ ସ୍ଥାନୀୟ ନେତା କୌଣସି ସଭାର ଆୟୋଜନ କରିନାହାନ୍ତି । ଚର୍ଚ୍ଚା ହେଉଛି କି, ବିଜେପି ଏବଂ ଆମ ଆଦମୀ ପାର୍ଟି ପକ୍ଷରୁ ଯେଉଁ ଭଳି ଭାବରେ ପ୍ରଚାର କରାଯାଉଛି କଂଗ୍ରେସ ଏଥିରେ ପଛରେ ପଡ଼ି ଯାଇଛି । ସ୍ଥାନୀୟ ନେତାମାନେ କେବଳ ରାହୁଲ ଏବଂ ପ୍ରିୟଙ୍କାଙ୍କ ଉପରେ ନିର୍ଭର କରୁଛନ୍ତି । ତେବେ ଦିଲ୍ଲୀରେ ମାରାଥନ ପ୍ରଚାର ଆରମ୍ଭ କରିବାକୁ ଯାଉଛନ୍ତି ରାହୁଲ । ପାରମ୍ପିକ ଭୋଟ ବ୍ୟାଙ୍କ ହାତେଇବା ସହ ବିଜୟ ଲକ୍ଷ୍ୟରେ ବଡ଼ ସଭାର ଆୟୋଜନ ମଧ୍ୟ କରିବାକୁ ଯାଉଛନ୍ତି । ବୁଧବାରଠାରୁ ରାହୁଲଙ୍କ ପ୍ରଚାର କାର୍ଯ୍ୟକ୍ରମ ରହିଛି ।