ଆମ୍ବୁଲାନ୍ସ ରେଡ୍ଡୀ: ଯେକୌଣସି ସମୟରେ ଆସିବ ରାହୁଲ

ଚମ୍ପା: ପ୍ରତୀକ୍ଷାର ଅନ୍ତ । ରାହୁଲ ପାଖରେ ପହଞ୍ଚିଲେ ଉଦ୍ଧାରକାରୀ ଟିମ୍ । ଯେକୌଣସି ସମୟରେ ଉଦ୍ଧର ହେବ ରାହୁଲ । ବାହାରେ ଆମ୍ବୁଲାନ୍ସ ପ୍ରସ୍ତୁତ ହୋଇ ରହିଛି । ରାହୁଲର ବାପାମାଆ ମଧ୍ୟ ଆମ୍ବୁଲାନ୍ସ ଭିତରେ ବସି ସାରିଛନ୍ତି । ବାହାରେ ଆଉ ଏକ ଗାଡି ପରିବାରର ଅନ୍ୟ ସଦସ୍ୟଙ୍କୁ ମେଡିକାଲ ନେବାକୁ ପ୍ରସ୍ତୁତ ହୋଇ ରହିଛି ।

ଏପଟେ ସୁଡ଼ଙ୍ଗ ଭିତରକୁ ଅକ୍ସିଜେନ ସିଲିଣ୍ଡର ଓ ଷ୍ଟ୍ରେଚର ନିଆଯାଇଛି । ରାହୁଲ ଉଦ୍ଧାର ହେବା ମାତ୍ରେ ଷ୍ଟ୍ରେଚରରେ ତାକୁ ଆମ୍ବୁଲାନ୍ସ ପାଖକୁ ଅଣାଯିବ । ଗହଳି କମାଇବା ପାଇଁ ଟନେଲ ପାଖରେ ରୁଣ୍ଡ ହୋଇଥିବା ହଜାର ହଜାର ଲୋକଙ୍କୁ ପୋଲିସ ହଟାଇବା ଆରମ୍ଭ କରିଛି । ରାହୁଲକୁ ମେଡିକାଲ ନେବା ପାଇଁ ରୋଡ କରିଡର ତିଆରି କରାଯାଇଛି । ରାସ୍ତାରେ ପଡୁଥିବା ସମସ୍ତ ମେଡିକାଲକୁ ହାଇ ଆଲର୍ଟରେ ରଖାଯାଇଛି । ବିଳାସପୁରର ଆପୋଲ ହସ୍ପିଟାଲକୁ ରାହୁଲକୁ ନିଆଯିବାକୁ ବ୍ୟବସ୍ଥା କରାଯାଇଛି । ତେବେ ବାଟରେ ରାହୁଲର ସ୍ବାସ୍ଥ୍ୟରେ ଅବନତି ଘଟିରେ ଆଖପାଖରେ ଥିବା ମେଡିକାଲରେ ଭର୍ତ୍ତି କରାଯିବାକୁ ଯୋଜନା କରାଯିବା ସହ ଏହି ରୁଟର ସମସ୍ତ ମେଡିକାଲକୁ ଆଲର୍ଟରେ ରଖାଯାଇଛି ।

ଗତ ଶୁକ୍ରବାର ଖେଳିବା ବେଳେ ରାହୁଲ ବୋରଓ୍ବେଲରେ ପଡି ଯାଇଥିଲା । ସେବଠାରୁ ତାକୁ ଉଦ୍ଧାର କରିବାକୁ ବଡ଼ ଧରଣର ଅପରେସନ ଚାଲିଛି । ଏଥିରେ ଏନଡିଆରଏଫ ଓ ଏସଡିଆରଏଫ ଟିମ୍ ସହ ସେନା ମଧ୍ୟ ଚାଲି ହୋଇଛି ।

ରାହୁଲକୁ ଉଦ୍ଧାର କରିବା ପାଇଁ ପ୍ରାୟ ୬୫ ଫୁଟର ଟନେଲ ଖୋଳାଯିବା ପରେ ଏକ ବିରାଟ ପଥର ପଡିଥିଲା । ଯାହାକୁ କାଟି ରାହୁଲ ପାଖକୁ ଯିବା କଷ୍ଟକର ହୋଇଥିଲା । ପଥର ସେପଟେ ରାହୁଲ ଥିବାରୁ ଏହାକୁ ବିସ୍ଫୋରଣରେ ମଧ୍ୟ ଉଡାଇବା ସମ୍ଭବ ନଥିଲା । ଏମିତି ସ୍ଥିତିରେ ଉଦ୍ଧାରକାରୀ ଦଳ ପଥରକୁ ଗ୍ୟାସ କଟର ଓ ସେଣି, ହାତୁଡିରେ କାଟି ଆଗକୁ ବଢିଥିଲେ । ରାହୁଲଠାରୁ ୪ରୁ ୫ ଫୁଟ୍ ଦୂରରୁ ମେସିନରେ ସୁଡ଼ଙ୍ଗ କରିବା ବନ୍ଦ କରାଯାଇ ହାତରେ ଖୋଳା ଯାଉଛି ।