ଦେଶରେ ଶିକ୍ଷା ବ୍ୟବସ୍ଥା ହାଇଜାକ୍, ପେପର ଲିକ୍ ରୋକିବାରେ ସରକାର ଫେଲ୍: ରାହୁଲ

ନୂଆଦିଲ୍ଲୀ: ଦେଶରେ ପେପର ଲିକ୍ ରୋକି ପାରୁନାହାନ୍ତି ସରକାର । ଶିକ୍ଷା ବ୍ଯବସ୍ଥା ଉପରେ କବଜା ହୋଇଛି । ନିଟ୍ ପେପର ଲିକ୍ ପ୍ରସଙ୍ଗରେ ପ୍ରେସମିଟ୍ କରି କେନ୍ଦ୍ର ଉପରେ ବର୍ଷିଛନ୍ତି ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଯେଉଁମାନେ ଦୋଷୀ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ରାହୁଲ ।

ଆଗକ ରାହୁଲ କହିଛନ୍ତି, ମଧ୍ୟପ୍ରଦେଶରେ ବ୍ଯାପମ ସ୍କାମ ଭଳି ଦୁର୍ନୀତି ସାରା ଦେଶରେ ମାଡ଼ି ଚାଲିଛି । ଛାତ୍ରଙ୍କ ଭବିଷ୍ୟତ ସହିତ ଖେଳ ହେଉଛି । ଶିକ୍ଷା ବ୍ୟବସ୍ଥାର ଡିମନିଟାଇଜେସନ ହୋଇଯାଇଛି । ନିରପେକ୍ଷ ଶିକ୍ଷା ବ୍ୟବସ୍ଥା ଧ୍ଵସ୍ତ ହୋଇଯାଇଛି । ସଂସଦରେ ଏହି ପ୍ରସଙ୍ଗ ଉଠାଇବି ।

ନିଟ୍ ଏବଂ ୟୁଜିସି ନେଟ୍ ପରୀ୍‌କ୍ଷା ପେପର ଲିକ୍ ହୋଇଛି । ପେପର ଲିକ୍ ନେଇ ଛାତ୍ରଛାତ୍ରୀ ଅନେକ ହଇରାଣ ହେଉଛନ୍ତି । ବିହାରରେ ପେପର ଲିକ୍ ନେଇ କାର୍ଯ୍ଯାନୁଷ୍ଠାନ ହୋଇଛି । ଏଥିରେ ଆଉ ଯେଉଁମାନେ ଦୋଷୀ ଅଛନ୍ତି, ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବା ଦରକାର । କଠିନ ପରିଶ୍ରମ କରୁଥିବା ଛାତ୍ରଛାତ୍ରୀଙ୍କ ସହ ଖେଳ ହୋଇଛି । ଦେଶର ଯୁବଗୋଷ୍ଠୀଙ୍କ ଭବିଷ୍ୟତ ସହ ଖେଳ ଖେଳାଯାଉଛି ବୋଲି ରାହୁଲ କହିଛନ୍ତି ।

ସେପଟେ ବଢୁଛି ନିଟ ଅନିୟମିତତା ବିବାଦ । ସାରା ଦେଶରେ ତାତୁଛନ୍ତି କ୍ଷତିଗ୍ରସ୍ତ ପରୀକ୍ଷାର୍ଥୀ । ୟୁଜିସି ନେଟ୍ ବାତିଲ ହେବା ପରେ ତାତିଛନ୍ତି ବିରୋଧୀ । ଲକ୍ଷ୍ମୌରେ ବି ୟୁଜିସି ନେଟ୍ ବାତିଲ ଦାବିରେ ଛାତ୍ରଛାତ୍ରୀ ପ୍ରତିବାଦ କରିଛନ୍ତି । ଉଭୟ ନିଟ ଓ ନେଟରେ କାହିଁକି ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭାଗ୍ଯ ସହ ଖେଳାଯାଉଛି ତାହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିବାରେ ଲାଗିଛି । ସେପଟେ ନିଟ୍ ପେପର ଲିକ୍ ମାମଲାରେ ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ବ୍ୟକ୍ତିଗତ ସଚିବ ସଂଶ୍ଲିଷ୍ଟ ଥିବା ଅଭିଯୋଗ କରିଛନ୍ତି ବିହାର ଉପ ମୁଖ୍ଯମନ୍ତ୍ରୀ ବିଜୟ କୁମାର ସିହ୍ନା ।