ନୂଆ ମୁଖ୍ୟ ନିର୍ବାଚନ କମିଶନଙ୍କ ନିଯୁକ୍ତିକୁ ନେଇ ରାହୁଲ ଉଠାଇଲେ ପ୍ରଶ୍ନ

ନୂଆଦିଲ୍ଲୀ: ଦେଶର ନୂଆ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ନିଯୁକ୍ତିକୁ ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ସେ କହିଛନ୍ତି, ସରକାରଙ୍କ ରାତି ଅଧିଆ ନିଯୁକ୍ତି ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି । ଭାରତୀୟ ନିର୍ବାଚନ କମିଶନର ଏକ ନିରପେକ୍ଷ ଓ ସାମ୍ବିଧାନିକ ସଂସ୍ଥା । ଏହାର ମୁଖ୍ୟ ଚୟନ ବେଳେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କୁ ବାଦ ଦେବା ପୂରା ପ୍ରକ୍ରିୟା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି ।
ବିରୋଧୀ ଦଳ ନେତା ହିସାବରେ ସମ୍ବିଧାନର ଲକ୍ଷ୍ୟ ଓ ଭିତ୍ତିକୁ ସୁରକ୍ଷା ଦେବା ମୋର କର୍ତ୍ତବ୍ୟ । ବର୍ତ୍ତମାନର ସରକାର ସିଇସି ନିଯୁକ୍ତି ସମୟରେ ଅନେକ ଦିଗକୁ ଅଣଦେଖା କରୁଥିବା ରହୁଲ ଅଭିଯୋଗ କରିଛନ୍ତି ।
ଗତକାଲି ପୂର୍ବତନ ଆଇଏଏସ ଅଫିସର ଜ୍ଞାନେଶ କୁମାରଙ୍କୁ ସରକାର ନୂଆ ସିଇସି ଭାବେ ନିଯୁକ୍ତି ଦେଇଛନ୍ତି । ନୂଆ ନିୟମ ଅନୁସାରେ ଏହି ଚୟନ ହୋଇଛି । ପୂର୍ବରୁ ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା ଓ ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତିଙ୍କୁ ନେଇ ଗଠିତ କମିଟି ସିଇସି ମନୋନୀତ କରୁଥିଲେ । ନୂଆ ନିୟମ ଅନୁସାରେ ପ୍ରଧାନ ବିଚାରପତିଙ୍କ ବଦଳରେ ମନ୍ତ୍ରିମଣ୍ଡଳର ଜଣେ ସଦସ୍ଯଙ୍କୁ ସାମିଲ କରାଯାଇଛି । କିଛି ଦିନ ତଳେ ଏ ପ୍ରସଙ୍ଗକୁ ଲୋକସଭାରେ ଉଠାଇଥିଲେ ରାହୁଲ । ସେତେବେଳେ ଆଶଂକା କରିଥିଲେ ପ୍ରଧାନମନ୍ତ୍ରୀ ଓ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ଯଙ୍କ ଦ୍ବାରା ଚୟନ ବ୍ଯକ୍ତି ହିଁ ସିଇସି ହେବେ । ଏଭଳି ସ୍ଥିତିରେ ସେ କମିଟିରେ ତାଙ୍କର ମତ ଓ ମନ୍ତବ୍ଯ କେତେ ଗୁରୁତ୍ବ ବହନ କରିବ ତାକୁ ନେଇ ସେ ସନ୍ଦେହ ପ୍ରକଟ କରିଥିଲେ । ଏବେ ରାହୁଲଙ୍କ ସହିତ ବହୁ କଂଗ୍ରେସ ନେତା ଆପତ୍ତି ପ୍ରକାଶ କରି କହିଛନ୍ତି ଯେ, ଏ ସମ୍ବନ୍ଧରେ ଏକ ମାମଲା ସୁପ୍ରିମକୋର୍ଟରେ ରହିଛି । ଆସନ୍ତାକାଲି ଏହାର ଶୁଣାଣି ଅଛି । ଠିକ ୨୪ ଘଣ୍ଟା ପୂର୍ବରୁ ତରବରିଆ ଭାବେ ସିଇସି ନିଯୁକ୍ତି ସାମ୍ବିଧାନିକ ସଂସ୍ଥାର ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।