ମମତା-ଭଗଓ୍ବନ୍ତଙ୍କ ପରେ ନୀତିଶ କୁମାର, ଜାଣନ୍ତୁ କାହିଁକି ରାହୁଲଙ୍କ ଭାରତ ନ୍ୟାୟ ଯାତ୍ରାରେ ହେବେନି ସାମିଲ

ପାଟନା: ସାରା ଦେଶରେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କ ଦ୍ବାରା ଚାଲିଛି ଭାରତ ନ୍ୟାୟ ଯାତ୍ରା । ସମସ୍ତ ରାଜ୍ୟକୁ ଯିବା ସହ ଲୋକଙ୍କ ସହ ମିଶୁଛନ୍ତି ରାହୁଲ । ଇଣ୍ଡିଆ ମେଣ୍ଟ ଏଥର ସରକାର ଗଢ଼ିବା ନେଇ ଏକଜୁଟ ହୋଇଥିବାବେଳେ ନିଜର ଯୋଜନା ପ୍ରସ୍ତୁତ କରୁଛି । କିନ୍ତୁ ରାହୁଲ ଗାନ୍ଧୀ ବିଭିନ୍ନ ରାଜ୍ୟକୁ ଯାଇ ଭାରତ ନ୍ୟାୟ ଯାତ୍ରା କରୁଥିବାବେଳେ ଇଣ୍ଡିଆ ମେଣ୍ଟର ବହୁ ନେତା ତାଙ୍କ ସହ ଯୋଗ ଦେଉନାହାନ୍ତି । ଆସନ୍ତା ଜାନୁୟାରୀ ୨୯ ତାରିଖରେ ବିହାରରେ ଭାରତ ନ୍ୟାୟ ଯାତ୍ରା ହେବାକୁ ଥିବାବେଳେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଯୋଗ ଦେବେନାହିଁ ସୂଚନା ମିଳିଛି ।
କୁହାଯାଉଛି କି, ପାଟନାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗଦେବେ ନୀତିଶ କୁମାର । ଯେଉଁ କାରଣରୁ ସେ ରାହୁଲଙ୍କ ସହ ଯୋଗ ଦେଇପାରିବେ ନାହିଁ । ତେବେ ଏହାକୁ ନେଇ ଚର୍ଚ୍ଚା ହେଉଛି କି, ନୀତିଶ ଇଣ୍ଡିଆ ମେଣ୍ଟଠାରୁ ଦୂରତା ରକ୍ଷା କରିବାକୁ ଚାହୁଁଛନ୍ତି । କର୍ପୁରୀ ଠାକୁରଙ୍କ ଭାରତ ରତ୍ନ ପାଇଁ ଘୋଷଣା କରାଯିବା ପରେ ନୀତିଶ କହିଥିଲେ କି, କର୍ପୁରୀ ଠାକୁର କେବେ ମଧ୍ୟ ପରିବାର ରାଜନୀତିକୁ ଦେଖୁନଥିଲେ । କିନ୍ତୁ ଏବେ ବହୁ ନେତା ପରିବାର ରାଜନୀତିକୁ ଗୁରୁତ୍ବ ଦେଉଛନ୍ତି ।