ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବହିଷ୍କୃତ ହେଲେ ରଘୁରାମ ମାଛ

କୋରାପୁଟ : ବିଜେଡିରୁ ବିଦା ହେଲେ ରଘୁରାମ ମାଛ । ଦଳ ବିରୋଧୀ କାର୍ଯ୍ୟ ପାଇଁ କୋରାପୁଟ ନିର୍ବାଚନ ମଣ୍ଡଳୀର ବିଜେଡି ନେତା ରଘୁରାମ ମାଛଙ୍କୁ ବିଜେଡିରୁ ବହିଷ୍କୃତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏନେଇ ସୂଚନା ଦେଇଛନ୍ତି ବିଜେଡି ସାଧାରଣ ସଂପାଦକ ମାନସ ମଙ୍ଗରାଜ । ଦଳରେ ରହି ଦଳ ବିରୋଧୀ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ, ବିଜେଡି ନେତା ରଘୁରାମ ମାଛଙ୍କୁ ଦଳରୁ ବହିସ୍କାର କରିଛନ୍ତି । ଶ୍ରୀ ମାଛ ଗତ କିଛି ମାସ ହେବ ଦଳୀୟ ବିଧାୟକ ଓ ନେତା ମାନଙ୍କ ବିରୁଦ୍ଧରେ କଟୁ ମନ୍ତବ୍ୟ ଦେବା ସହ ଦଳ ବିରୋଧୀ କାର୍ଯ୍ୟରେ ସଂପୃକ୍ତ ରହିଥିଲେ । ଅନେକ ସମୟରେ ଦଳ ବିରୋଧରେ ଯାଇ କାର୍ଯ୍ୟ କରୁଥିଲେ, ତେଣୁ ବିଜେଡି ସୁପ୍ରିମୋ ଆଜି ଏପରି ନିଷ୍ପତି ନେଇଥିବା ଜଣା ପଡ଼ିଛି।

ସୂଚନା ଅନୁସାରେ ରଘୁରାମ ମାଛ ୨୦୧୪ ରେ ଶିକ୍ଷକତା ଚାକିରୀ ଛାଡ଼ି ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ଓ ସେହି ବର୍ଷ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ କୋରାପୁଟ ଆସନରୁ ବିଧାୟକ ପ୍ରାର୍ଥୀ ଭାବେ ଲଢ଼ି ପରାଜୟ ବରଣ କରିଥିଲେ। ଦଳ ବିରୋଧୀ କାର୍ଯ୍ୟ ପାଇଁ ସେ ୨୦୨୧ ଅକ୍ଟୋବରରେ ମଧ୍ୟ ଦଳରୁ ନିଲମ୍ୱିତ ହୋଇଥିଲେ ।