ଆଜି ଅମ୍ବାଲାରେ ପହଞ୍ଚିବ ରାଫେଲ, ଏୟାରଫୋର୍ସ ବେସ ଆଖପାଖ ଅଞ୍ଚଳରେ ୧୪୪ ଧାରା ଜାରି

ଅମ୍ବାଲା: ରାଫେଲ ଯୁଦ୍ଧ ବିମାନ ବୁଧବାର ଦିନ ଅମ୍ବାଲା ବାୟୁସେନା ଷ୍ଟେସନରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଏହି ପରିପ୍ରେକ୍ଷୀରେ, ଅମ୍ବାଲା ବାୟୁସେନା ଷ୍ଟେସନର ୪ ଟି ଅଞ୍ଚଳରେ ଧାରା ୧୪୪ କାର୍ଯ୍ୟକାରୀ କରାଯାଇଛି। ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ବାୟୁସେନା ଷ୍ଟେସନ ନିକଟରେ ଧୁଲକୋଟ, ବଲଦେବ ନଗର, ଗରନାଲା, ପଞ୍ଜୋଖରା ଇତ୍ୟାଦି ସ୍ଥାନରୁ ଏୟାରଫୋର୍ସ ଷ୍ଟେସନର କୌଣସି ପ୍ରକାରର ଫଟୋ ଉଠାଇବା ନିଷେଧ।
ଏହାକୁ ନିଶ୍ଚିତ କରି ଡିଏସପି ମୁନିଶ ସେହଗଲ କହିଛନ୍ତି ଯେ ପୋଲିସ ସମ୍ପୂର୍ଣ୍ଣ ସତର୍କ ରହିବ ଏବଂ ଚାରିଆଡୁ ଅବରୋଧ କରାଯିବ। ଲୋକମାନେ ଉତ୍ସାହରେ ଆସି ଯେମିତି ଫଟୋଗ୍ରାଫି କରିବେ ନାହିଁ ସେ ପ୍ରତି ଧ୍ୟାନ ଦିଆଯିବ । ସେ କହିଛନ୍ତି ଯେ ଏହା ଜାତୀୟ ସୁରକ୍ଷା ସହ ଜଡିତ ଏକ ପ୍ରସଙ୍ଗ ତେଣୁ ଏଭଳି ପଦକ୍ଷେପ ନିଆଯାଇଛି ।
ଏକ ସପ୍ତାହ ମଧ୍ୟରେ ଯେକୌଣସି ମିଶନ ପାଇଁ ପ୍ରସ୍ତୁତ ହେବ
ଜଣାଇ ରଖୁଛୁ ଯେ, ଏକ ସପ୍ତାହ ମଧ୍ୟରେ ଏହି ଯୁଦ୍ଧବିମାନ ଯେକୌଣସି ମିଶନ ପାଇଁ ପ୍ରସ୍ତୁତ ହୋଇଯିବ । ଫ୍ରାନ୍ସରୁ ଆସିଥିବା ଏହି ଯୁଦ୍ଧ ବିମାନଗୁଡ଼ିକୁ ଉଡ଼ାଇବା ପାଇଁ ସମୁଦାୟ ୧୨ ଜଣ ପାଇଲଟଙ୍କୁ ତାଲିମ ଦିଆଯାଇଛି । ଏହି ଯୁଦ୍ଧବିମାନକୁ ଗ୍ରହଣ କରିବା ପାଇଁ ଭାରତୀୟ ବାୟୁସେନା ସମ୍ପୂର୍ଣ୍ଣ ପ୍ରସ୍ତୁତି ଚଳାଇଛି । ବାୟୁସେନା ଯୁଦ୍ଧ ବିମାନ ପାଇଲଟମାନେ ୭୦୦୦ କିଲୋମିଟର ଦୂରତା ଅତିକ୍ରମ କରି ଅମ୍ବାଲା ଏୟାରବେସରେ ପହଞ୍ଚିବେ । ଏହି ଅବସରରେ ଏୟାର ଚିଫ୍ ମାର୍ଶଲ ବି.ଏସ୍ ଧାନୋ ମଧ୍ୟ ଉପସ୍ଥିତ ରହିବେ ।
ଏୟାର ଚିଫ୍ ମାର୍ଶଲ ରାଫେଲକୁ ଗ୍ରହଣ କରିବେ
ଏହି ଅବସରରେ ବାୟୁସେନା ପକ୍ଷରୁ କୌଣସି ସରକାରୀ କାର୍ଯ୍ୟକ୍ରମ ଘୋଷଣା କରାଯାଇ ନାହିଁ, କିନ୍ତୁ ବାୟୁସେନା ମୁଖ୍ୟ ମାର୍ଶଲ ଆର.କେ.ଏସ୍ ଭଦୌରିଆ ଅମ୍ବାଲାରେ ବିମାନ ଗ୍ରହଣ କରିବେ। କରୋନା ଅବଧିରେ ମଧ୍ୟ ଭାରତୀୟ ବାୟୁସେନା ରାଫେଲ ପ୍ରସ୍ତୁତି କାର୍ଯ୍ୟ ଜାରି ରଖିଥିଲା। କାର୍ଯ୍ୟସୂଚୀରେ ବିତରଣ ପାଇଁ ୧୦ଟି ବିମାନ ପ୍ରସ୍ତୁତ ରହିଛି | ତେବେ ଟ୍ରେନିଂ ପାଇଁ ପାଞ୍ଚଟି ବିମାନକୁ ଫ୍ରାନ୍ସରେ ରଖାଯାଇଥିବାବେଳେ ୫ ଟି ଭାରତକୁ ପଠାଯାଇଛି ଏବଂ ଅବଶିଷ୍ଟ ଯୁଦ୍ଧ ବିମାନର ବିତରଣ ୨୦୨୧ ଶେଷ ସୁଦ୍ଧା ପହଞ୍ଚିବ ବୋଲି ଫ୍ରାନ୍ସ ସ୍ପଷ୍ଟ କରିଛି ।