ଅଳ୍ପ ସମୟର ଅପେକ୍ଷା, ରାବଣ ପୋଡ଼ି ଦେଖିବାକୁ ଲୋକଙ୍କ ଭିଡ଼

ଭୁବନେଶ୍ବର: ଅସତ୍ୟ ଉପରେ ସତ୍ୟର ବିଜୟ । ଅଧର୍ମ ଉପରେ ଧର୍ମର ଜୟ । ବିଜୟା ଦଶମୀରେ ରାବଣ ପୋଡି । ଚଳଞ୍ଚଳ ରାଜଧାନୀ ସହ ବିଭିନ୍ନ ସହର । ଚଳିତ ବର୍ଷ ରାଜଧାନୀରେ 6ଟି ପୂଜା କମିଟିକୁ ରାବଣ ପୋଡି ପାଇଁ ଅନୁମତି ଦେଇଛି ପ୍ରଶାସନ । ଏନେଇ ବିଭନ୍ନ ରାବଣପୋଡି ପଡିଆରେ ରାବଣଙ୍କ ପୁତ୍ତଳିକା ଲଗାଯିବା ସହ ଖଞ୍ଜାଯାଉଛି ବାଣ । ସଂଧ୍ୟାରେ ଆତସବାଜି ସହ କମ୍ପିବ ସାରା ଅଞ୍ଚଳ।

ଆଜି ବିଜୟା ଦଶମୀ । ଅସତ୍ୟ ଉପରେ ସତ୍ୟର ଜୟ । ରାଜଧାନୀ ସହ ବିଭିନ୍ନ ସହରରେ ଆୟୋଜିତ ହୋଇଛି ରାବଣ ପୋଡି । ରଙ୍ଗୀନ ଆତସବାଜି ଆଲୋକିତ ହେବ ଆକାଶ । ଶେଷ ପର୍ଯ୍ୟାୟରେ ଦଶାନନଙ୍କ ପ୍ରସ୍ତୁତି । ଭୁବନେଶ୍ବରରେ  ରାବଣ ପୋଡି ପାଇଁ ୬ଟି ପୂଜା ମଣ୍ଡପକୁ ଅନୁମତି ପ୍ରଦାନ କରିଛି ଅଗ୍ନିଶମ ବିଭାଗ । ଝାରପଡା, ବରମୁଣ୍ଡା, ନହରକଣ୍ଟା, କୋରଡ଼କଣ୍ଟା, ଛତାବର ଓ ତମାଣ୍ଡୋକୁ ଅନୁମତି ମିଳିଛି । ସୁରକ୍ଷା ସମ୍ପର୍କିତ ସମସ୍ତ ନିୟମାବଳୀ ପାଳନ କରୁଥିବା ପୂଜା ମଣ୍ଡପକୁ ଅନୁମତି ଦିଆଯାଇଛି । ବରମୁଣ୍ଡା ପୂଜା ମଣ୍ଡପରେ ଏ ନେଇ ସମୀକ୍ଷା କରିଛନ୍ତି ଫାୟାର ଟିମ । ସନ୍ଧ୍ୟା ୭ଟା ୩୦ରୁ ରାତି ୯ ଭିତରେ ଶେଷ ହେବ ରାବଣ ପୋଡ଼ି । ରାବଣ ପୋଡ଼ି ସ୍ଥାନରୁ ୧୦୦ ମିଟର ଭିତରେ ପ୍ରବେଶ ଓ ଚଳାଚଳ ନିଷେଧ ହେବ । ମାନସିକ ଓ ହୃଦରୋଗୀ, ବୟସ୍କ ଓ ଛୋଟ ପିଲାଙ୍କୁ  ରାବଣ ପୋଡ଼ି ସ୍ଥାନକୁ ଯିବାକୁ ବାରଣ କରାଯାଇଛି ।

ସେପଟେ ରାବଣ ପୋଡି ପାଇଁ କମ୍ପିବ ରାଉରକେଲା । ଶ୍ରୀ ଦଶହରା ପୂଜା ସମିତି ପକ୍ଷରୁ ରାଵଣ ପୋଡ଼ି ଓ ଵିଜୟ ଦଶମୀ ଉତ୍ସବ ଆଜି ଅନୁଷ୍ଠିତ ହୋଇଛି । ରାଉରକେଲା ସହରର ସେକ୍ଟର ୧୩ ମେଳଣ ପଡିଆରେ ୮୦ ଫୁଟ ଉଚ୍ଚତାର ରାଵଣ ଓ ୭୦ ଫୁଟ ଉଚ୍ଚତାର କୁମ୍ଭକର୍ଣ୍ଣ ପୁତ୍ତଳିକା ପ୍ରସ୍ତୁତ କରାଯାଇଛି । ବାଲାଙ୍ଗୀରରେ ରୁଗୁଡିପଡା ପଟରୁ ରାବଣପୋଡୀ ଅନୁଷ୍ଠିତ ହୋଇଛି । ଟ୍ରାନ୍ସପୋର୍ଟ ପଡିଆରେ ଆଜି ସଂଧ୍ୟାରେ ଅନୁଷ୍ଠିତ ହେବ ରାବଣପୋଡି । ରାବଣ ପୋଡି ପାଇଁ ସମସ୍ତ ସହରରେ ପୋଲିସ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।