ମଧ୍ୟାହ୍ନ ଭୋଜନ: ମୁଣ୍ଡ ପିଛା ଏକ ଟଙ୍କା ବଢ଼ାଇ ଗୁଣାତ୍ମକ ଖାଦ୍ୟ ଦେବାକୁ ସ୍ବପ୍ନ ଦେଖୁଛନ୍ତି ସରକାର

ଭୁବନେଶ୍ବର: ମଧ୍ୟାହ୍ନ ଭୋଜନ ଉପରେ ଦରବୃଦ୍ଧିର ପ୍ରଭାବ । ମିଲ୍ ପାଇଁ ମିଳୁନି ପର୍ଯ୍ୟାପ୍ତ ସହାୟତା । ମୁଣ୍ଡ ପିଛା ୧ ଟଙ୍କା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଯାହାକି ସମୁଦ୍ରକୁ ଶଙ୍ଖେ । ଗଣଶିକ୍ଷା ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟକୁ ନାପସନ୍ଦ କରିଛି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ । ମିଲ୍ ପିଛା ୧ ଟଙ୍କା ବଢ଼ାଇଲେ କେମିତି ଗୁଣାତ୍ମକ ମାନର ଖାଦ୍ୟ ମିଳିବ ସେନେଇ ଉଠିଛି ପ୍ରଶ୍ନ ।[ନ୍ୟପକ୍ଷେ ମିଲ୍ ପିଛା ୧ ଟଙ୍କା ବଦଳରେ ୨୦ ଟଙ୍କା ବୃଦ୍ଧି କରିବାକୁ ଦାବି କରିଛି ଅଭିଭାବକ ମହାସଂଘ ।

ମଧ୍ୟାହ୍ନ ଭୋଜନ ଉପରେ ଦରବୃଦ୍ଧିର ପ୍ରଭାବ । ୫ ଟଙ୍କା ୯୦ ପଇସାରେ ନିମ୍ନମାନର ମଧ୍ୟାହ୍ନ ଭୋଜନ ଖାଉଥିଲେ । ଏବେ ଏଥିରେ ଆଉ ଟଙ୍କାଟିଏ ମିଶାଇଲେ କ’ଣ ଛାତ୍ରଛାତ୍ରୀଙ୍କୁ ଦିଆଯାଇପାରିବ ଗୁଣାତ୍ମକ ଭୋଜନ ? ମଧ୍ୟାହ୍ନ ଭୋଜନ ମିଲ୍ ପିଛା ୧ ଟଙ୍କା ବଢାଇବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ନେଇ ବଢ଼ିବାରେ ଲାଗିଛି ଅସନ୍ତୋଷ । ସରକାରଙ୍କ ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଛି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ।

ବଜାରରେ ପନିପରିବା ଓ ତେଜରାତି ସାମଗ୍ରୀ ଦରବୃଦ୍ଧି ତୁଳନାରେ ମଧ୍ୟାହ୍ନ ଭୋଜନରେ ମାତ୍ର ଏକ ଟଙ୍କା ବୃଦ୍ଧି ସମୁଦ୍ରକୁ ଶଙ୍ଖେ ବୋଲି କହିଛି ସଂଘ । ତେଣୁ ବିଭାଗୀୟ ମନ୍ତ୍ରୀ ତୁରନ୍ତ ଏଭଳି ନିଷ୍ପତ୍ତିର ପୁନର୍ବିଚାର କରିବା ସହ ଅଧିକ ବ୍ୟୟ ବରାଦ କରିବାକୁ ଦାବି ହୋଇଛି । ମାତ୍ର ଏକ ଟଙ୍କା ବଢ଼ାଇଲେ ପିଲାଙ୍କୁ ଦେଇ ହେବନି ଉନ୍ନତମାନର ଖାଦ୍ୟ । ଅତି କମରେ ମଧ୍ୟାହ୍ନ ଭୋଜନ ମିଲ୍ ୨୦ ଟଙ୍କା କରିବାକୁ ଦାବି କରିଛି ଓଡିଶା ଅଭିଭାବକ ମହାସଂଘ ।

ସେପଟେ ମନ୍ତ୍ରୀ ଏକ ଟଙ୍କା ବଢିବ ବୋଲି କହିଥିଲେ ମଧ୍ୟ ସରକାରୀ ସ୍ତରରେ କିଛି ନିର୍ଦ୍ଦେଶନାମା ଜାରି କରାଯାଇ ନାହିଁ । ମଧ୍ୟାହ୍ନ ଭୋଜନ ଦରବୃଦ୍ଧି ପାଇଁ ସରକାରଙ୍କୁ ପୂର୍ବରୁ ପ୍ରସ୍ତାବ ଦିଆଯାଇଥିଲା । ଅନୁମୋଦନ ମିଳିଲେ ସେହି ଅନୁସାରେ କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି ଏମଡିଏମ ନୋଡାଲ ଅଫିସର । ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ମଧ୍ୟାହ୍ନ ଭୋଜନ ଦେବା ପାଇଁ ଗତ ମାସରେ ପାଚିକା ସହାୟିକାଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ଯେଉଁଥିରେ ୮୦୦ ପାଚିକା ଭାଗ ନେଇଥିଲେ । ଆଗାମୀ ଦିନରେ ବ୍ଲକ ଓ କ୍ଲଷ୍ଟର ସ୍ତରରେ ତାଲିମ ଦେବାକୁ ସ୍ଥିର ହୋଇଛି । ଗୁଣାତ୍ମକ ମଧ୍ୟାହ୍ନ ଭୋଜନ ଓ ପୁଷ୍ଟିକର ଖାଦ୍ୟ କିଭଳି ପ୍ରସ୍ତୁତ ହେବ ଏ ବିଷୟରେ ପ୍ରଶିକ୍ଷଣ ଦିଆଯାଉଛି ବୋଲି କହିଛନ୍ତି ଏମଡିଏମ ନୋଡାଲ ଅଫିସର ।

ଚାଉଳଠୁ ଆରମ୍ଭ କରି ଡାଲି, ଆଳୁ, ପନିପରିବା, ଖାଇବା ତେଲ ଆଦି ସବୁ ସାମଗ୍ରୀର ଦର ବଢ଼ି ଚାଲିଛି । ଆଉ ଏହାର ପ୍ରଭାବ ସିଧାସଳଖ ମଧ୍ୟାହ୍ନ ଭୋଜନ ଉପରେ ପଡିଛି । ତେଣୁ ଏଭଳି ସ୍ଥିତିରେ ଟଙ୍କାଟିଏ ବୃଦ୍ଧି ଗୁଣାତ୍ମକ ଭୋଜନ ଦେବାରେ କେତେ ସହାୟକ ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।