ପବିତ୍ର ଜନ୍ମାଷ୍ଟମୀ ପାଇଁ ମଥୁରାରୁ ପୁରୀ ସବୁଠି ଉତ୍ସାହ

ଭୁବନେଶ୍ବର: ଆଜି ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ବା ଜନ୍ମାଷ୍ଟମୀ । ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ ମଥୁରାନଗରୀ ଠାରୁ ଆରମ୍ଭ କରି ଜଗନ୍ନାଥ ଧାମ ପୁରୀ ପର୍ଯ୍ୟନ୍ତ ସବୁଠି ଉତ୍ସାହ ଓ ଭକ୍ତିମୟ ପରିବେଶ । କିମ୍ବଦନ୍ତୀ ଅନୁସାରେ ଭାଦ୍ରବ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ବିଷ୍ଣୁଙ୍କ ଅଷ୍ଟମ ଅବତାର ଭାବେ ଶ୍ରୀକୃଷ୍ଣ ଜନ୍ମ ହୋଇଥିଲେ । ଦେବକୀ ଓ ବସୁଦେବଙ୍କ ପୁଅ ଭାବେ କଂଶର ବନ୍ଦୀଶାଳରେ ଜନ୍ମ ହୋଇଥିଲେ ଶ୍ରୀକୃଷ୍ଣ ।

ପରେ କଂସର ଭୟରେ ବାପା ବସୁଦେବ ଶ୍ରୀକୃଷ୍ଣଙ୍କୁ ନେଇ ଗୋପପୁରରେ ଛାଡି ଆସିଥିଲେ । ସେଠାରେ ନନ୍ଦ ରାଜାଙ୍କ ପୁଅ ଭାବେ ସେ ପାଳିତ ହୋଇଥିଲେ । ହିନ୍ଦୁ ଧର୍ମରେ ଏହି ଦିନଟିକୁ ବେଶ୍ ଉତ୍ସାହର ସହିତ ପାଳନ କରାଯାଇଥାଏ । ବିଶ୍ବର ହିନ୍ଦୁ ସଂପ୍ରଦାୟ ପାଇଁ ଏହା ଏକ ପବିତ୍ର ଦିନ ।

ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି । ସଂନ୍ଧ୍ୟାଧୂପ ଶେଷ ହେବାପରେ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ଅନୁଷ୍ଠିତ ହେବ । ମହାଜନ ସେବକଙ୍କ ଦ୍ଵାରା ଶ୍ରୀକୃଷ୍ଣ ଜନ୍ମନୀତି ଅନୁଷ୍ଠିତ ହେବ । ଦେବକୀ ଓ ବସୁଦେବ ବେଶରେ ଜନ୍ମ ଚକଡାରେ ନିଶାର୍ଦ୍ଧରେ ପ୍ରଭୁ କୃଷ୍ଣ ଜନ୍ମ ନେବେ ।