ରଥଯାତ୍ରା ଦଳାଚକଟା ଘଟଣା, AI କ୍ଯାମେରା ଘୋଟାଲାକୁ ଦାୟୀ କଲେ ଲେକେ
1 min read
ପୁରୀ : ଅବହେଳା ଓ ଅଘଟଣ ଭିତରେ ସରିଛି ଚଳିତବର୍ଷର ରଥଯାତ୍ରା । ଜୁନ ୨୯ ଥିଲା ରଥଯାତ୍ରାରେ ଏକ କଳଙ୍କିତ ଦିବସ l ଗୁଣ୍ଡିଚାମନ୍ଦିର ଆଗରେ ଦଳଚକଟାରେ ୩ ଜଣଙ୍କ ଯାଇଛି ଜୀବନ । ଅଘଟଣର ତଦନ୍ତ ଆରମ୍ଭ ହୋଇଥିବାବେଳେ ଏଥିପାଇଁ ପ୍ରଶସନିକ ଅବହେଳାକୁ ଦାୟୀ କରିଛନ୍ତି ଲୋକେ । ବିଶେଷକରି AI କ୍ୟାମେରା ଘୋଟାଲା ଅନ୍ୟତମ ପ୍ରମୁଖ କାରଣ ବୋଲି କୁହାଯାଇଛି l ୨୮୨ ଟି ଉଚ୍ଚକ୍ଷମତା ସମ୍ପର୍ଣ୍ଣ କ୍ୟାମେରା ଲଗାଇବା ପାଇଁ ପୂର୍ବରୁ ଘୋଷଣା ହୋଇଥିବାବେଳେ ଲଗାଯାଇଥିଲା ମାତ୍ର ୧୭୦ କ୍ୟାମେରା l କ୍ୟାମେରା ଗୁଡିକ ଉଚ୍ଚ କ୍ଷମତାସମ୍ପର୍ଣ୍ଣ ହୋଇନଥିବାରୁ କଣ୍ଟ୍ରୋଲ ରୁମରୁ ଭିଡ଼ ନିୟନ୍ତ୍ରଣରେ ହୋଇଥିଲା ସମସ୍ଯା । ଏପରିକି ଘଟଣା ଦିନ ଗୁଣ୍ଡିଚା ମନ୍ଦିର ନିକଟରେ କ୍ୟାମେରା ଲଗାଯାଇ ନଥିଲା । ତେଣୁ ସର୍ବସାଧାରଣଙ୍କ ଠାରୁ ଭିଡିଓ ଫୁଟେଜ୍ ମାଗିଥିଲା ପ୍ରଶାସନ । ଏପରି ଜଘନ୍ଯ ଅବହେଳା ପାଇଁ ଦୃଢ କାର୍ଯ୍ଯାନୁଷ୍ଠାନ ସହ ମନ୍ତ୍ରୀସ୍ତରୀୟ କମିଟିକୁ ତଦନ୍ତ ପରିସର ଭୁକ୍ତ କରିବାକୁ ଦାବି ହୋଇଛି ।
ତ୍ରୁଟିଶୂନ୍ଯ ରଥଯାତ୍ରା ପାଇଁ ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ଯକ୍ଷତାରେ ଏକ କମିଟି ଗଠିତ ହୋଇଥିଲା । ତେବେ କମିଟି ନିଜ ଦାୟିତ୍ବ ସମ୍ପାଦନ କରିବାରେ ଫେଲ ମାରିଛି । କର୍ଣ୍ଣାଟକରେ ଦଳା ଚକଟା ଘଟଣାରେ ମନ୍ତ୍ରୀମାନଙ୍କୁ ଦାୟୀ କରାଯାଇ ତଦନ୍ତ ପରିସର ଭୁକ୍ତ କରାଯାଇଥିବାଲା । ତେଣୁ ଏହି ଘଟଣା ମଧ୍ଯ ଉପମୁଖ୍ଯମନ୍ତ୍ରୀଙ୍କୁ ତଦନ୍ତ ପରିସରଭୂକ୍ତ କରିବା ସହ ସ୍ବେତପତ୍ର ପ୍ରକାଶ କରିବାକୁ ଦାବି ହୋଇଛି । ଏହାସହ ମୃତକଙ୍କ ପରିବାରଙ୍କୁ ଏକ କୋଟି କ୍ଷତିପୂରଣ ସହ ଗୁରୁତର ଆହତଙ୍କୁ ୨୫ଲକ୍ଷ ଓ ସାମାନ୍ୟ ଆହତଙ୍କୁ ୧୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବାକୁ ଦାବି କରିଛନ୍ତି ମାନବାଧିକାର କର୍ମୀ । ଚଳିତବର୍ଷ ରଥଯାତ୍ରା ଅଘଟଣମୟ ହୋଇଥିବାବେଳେ ଏହା ମନୁଷ୍ୟ କୃତ ବୋଲି ଜନସାଧାରଣ ଅଭିଯୋଗ କରିଛନ୍ତି ।