ଭାରତୀୟ ନୌସେନାର ପରାକ୍ରମ ଦେଖିଲା ସାରା ବିଶ୍ବ

1 min read

ନନ୍ଦିଘୋଷ ବ୍ୟୁରୋ: ପୁରୀରୁ ନୌବୀରଙ୍କ ପରାକ୍ରମ ଦେଖିଲା ବିଶ୍ବ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପସ୍ଥିତିରେ ନୌସେନା ଦିବସରେ ପୁରୀ ବ୍ଲୁଫ୍ଲାଗ ବିଚରେ ହୋଇଥିଲା ସ୍ବତନ୍ତ୍ର ଆୟୋଜନ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ତମାମ ବିଧାୟକ ଓ ମନ୍ତ୍ରୀ ମଧ୍ୟ ନୌସେନାର ପରକ୍ରମକୁ ଉପଭୋଗ କରିଥିଲେ । ନୌସେନା ଦିବସରେ ଶ୍ରୀକ୍ଷେତ୍ରରେ ନିଜ ପରାକ୍ରମ ଦେଖାଇଥିଲା ମାର୍କୋସ କମାଣ୍ଡୋ । ପୁରୀ ସମୁଦ୍ର ଓ ବେଳାଭୂମିରେ ପ୍ରାୟ ୪ ଟ୍ୟାଙ୍କ, ୧୫ ଯୁଦ୍ଧ ଜାହାଜ, ୩୦ଟି ଯୁଦ୍ଧ ହେଲିକପ୍ଟର, ୫ଟି ଯୁଦ୍ଧ ବିମାନ, ୫ଟି ଜେଟ୍ ଯୁଦ୍ଧ କୌଶଳ ପ୍ରଦର୍ଶନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଲେଜର ସୋ ଓ ଡ୍ରୋନ ସୋ ଅନ୍ୟତମ ଆକର୍ଷଣ ପାଲଟିଥିଲା । ଏହି ଅବସରରେ ଚେତକ ଓ ସି-କିଙ୍ଗ ହେଲିକପ୍ଟର ଦେଖାଇଥିଲେ ରଣ କୌଶଳ । ଯୁଦ୍ଧ ଜାହାଜରେ ହେଲିକପ୍ଟର ଅବତରଣର ଦୃଶ୍ୟ ସହ ହେଲିକପ୍ଟରରେ ସନ୍ଧାନ ଓ ଉଦ୍ଧାର ଦୃଶ୍ୟ ମଧ୍ୟ ନିଆରା ରହିଥିଲା । ପୁରୀ ସମୁଦ୍ର ବାଲିରେ ଗର୍ଜନ କରି ଗଡ଼ିଥିଲା ବିଏମପି ଟ୍ୟାଙ୍କ । ଏହିସବୁ ଟ୍ୟାଙ୍କର ବେଗ ଥିଲା ଘଣ୍ଟାପ୍ରତି ୬୫ କିଲୋମିଟର । ଥରକେ ୪୫୦ କିଲୋମିଟର ଯିବାର କ୍ଷମତା ସମ୍ପନ୍ନ ଏହି ଟ୍ୟାଙ୍କର ପ୍ରଦର୍ଶନ ଦର୍ଶକକୁ ବେଶ ଆକର୍ଷିତ କରିଥିଲା । ୪ କିଲୋମିଟର ମଧ୍ୟରେ ଶତ୍ରୁକୁ ନିପାତ କରିବାରେ ସକ୍ଷମ ଏହିସବୁ ଟ୍ୟାଙ୍କ । ମାର୍କୋସ କମାଣ୍ଡୋଙ୍କ କଳା କୌଶଳ ସାଙ୍ଗକୁ ଆକାଶରେ ଯୁଦ୍ଧ ବିମାନରୁ ନିଆଁ ବର୍ଷାର ଦୃଶ୍ୟ ଥିଲା ନିଆରା । ମିଗ୍-୨୯କେ ବିମାନ ଓ ଯୁଦ୍ଧ ଜାହାଜରୁ ଆଣ୍ଟି ସବମରିନ ରକେଟ୍ ଫାୟାରିଂ ବି ବେଶ ଆକର୍ଷଣୀୟ ଥିଲା । ସମୁଦ୍ରରେ ବୋମାବର୍ଷାର ଦୃଶ୍ୟ ବି ଦେଖିଥିଲେ ଦର୍ଶକ ।