ଆନ୍ତରାଜ୍ୟ ଏଟିଏମ ଲୁଟେରା ଗିରଫ

ନନ୍ଦିଘୋଷ ବ୍ୟୁରୋ: ଆନ୍ତରାଜ୍ୟ ଏଟିଏମ ଲୁଟେରା ଗିରଫ । ଝାଡ଼ଖଣ୍ଡର ଲୁଟେରା ସୀତାରାମ ମଣ୍ଡଳକୁ ଗିରଫ କଲା ପୁରୀ ପୋଲିସ । ଟଙ୍କା ଉଠାଇଦେବା ବାହାନାରେ ଲୋକଙ୍କ ଏଟିଏମ ବ୍ୟବହାର କରି ଲୁଟ କରୁଥିଲା । ତା ନିକଟରୁ ୧୧ଟି ଏଟିଏମ କାର୍ଡ଼ ଜବତ କରିବା ସହିତ ୭୮ହଜାର ଟଙ୍କା, ଗୋଟିଏ ସୁନା ଚେନ ଓ ସୁନା ମୁଦି ଜବତ କରିଛି ପୋଲିସ୍ । ଅଭିଯୁକ୍ତ ସୀତାରାମ ନାଁରେ ବିଭିନ୍ନ ଥାନାରେ ଲୁଟ ମାମଲା ରହିଛି । ବିଗତ କିଛିଦିନ ହେବ ଏଟିଏମକୁ ଟଙ୍କା ଉଠାଇବାକୁ ଆସୁଥିବା ବୃଦ୍ଧା ଓ ମହିଳାଙ୍କୁ ଟାର୍ଗେଟ୍ କରୁଥିଲା ସୀତାରାମ । ଗତ ୯ ତାରିଖରେ ହରିଶ୍ଚନ୍ଦ୍ର ପାଣିଗ୍ରାହୀ ବ୍ୟାଙ୍କ ଅଫ ବରୋଦା ଏଟିଏମକୁ ଟଙ୍କା ଉଠାଇବା ପାଇଁ ଆସିଥିବାବେଳେ କୌଶଳକ୍ରମେ ତାଙ୍କ ଏଟିଏମ ନେଇ ଅନ୍ୟ ଜଣକ ଏଟିଏମ ଦେଇ ଫେରାର ହୋଇଯାଇଥିଲା । କିଛି ସମୟ ପରେ ୨୫ ହଜାର ଟଙ୍କା ଉଠାଯାଇଥିବା ହରିଶ୍ଚନ୍ଦ୍ରଙ୍କ ମୋବାଇଲକୁ ମେସେଜ ଆସିଥିଲା । ଅଭିଯୁକ୍ତ ଗ୍ରାଣ୍ଡ ରୋଡରେ ଥିବା ଅରୁନ୍ଧତୀ ଅଳଙ୍କାର ଦୋକାନରେ ଏଟିଏମ୍ କାର୍ଡ ସ୍ବାଇପ କରି ସୁନା କିଣିଥିଲା । ଏହାକୁ ନେଇ ହରିଶ୍ଚନ୍ଦ୍ର ପାଣିଗ୍ରାହୀ ଟାଉନ ଥାନାରେ ଏକ ଏତଲା ଦେଇଥିଲେ । ଏତଲାକୁ ଆଧାର କରି ସୀତାରାମ ମଣ୍ଡଳକୁ ବଡ଼ଶଙ୍ଖ ନିକଟରେ ଧରିବାରେ ସଫଳ ହୋଇଛି ପୁରୀ ପୋଲିସ ।