ଘରୋଇ ପିଚରେ ହାରିଲା ଗୁଜରାଟ: ଶ୍ରେୟସଙ୍କ ଲଢ଼ୁଆ ବ୍ୟାଟିଂ, ୧୧ ରନରେ ଜିତିଲା ପଞ୍ଜାବ

ଅହମଦାବାଦ: ଚଳିତ ଆଇପିଏଲର ପଞ୍ଚମ ମ୍ୟାଚରେ ଘରୋଇ ପିଚରେ ପରାଜୟବରଣ କରିଛି ଗୁଜରାଟ ଟାଇଟନ୍ସ । ଅନ୍ୟପକ୍ଷରେ ୧୧ ରନରେ ବାଜି ମାରିନେଇଛି ପ୍ରତିପକ୍ଷର ପଞ୍ଜାବ କିଙ୍ଗସ । ଅଧିନାୟକ ଶ୍ରେୟସ ଆୟରଙ୍କ ଅପରାଜିତ ୯୭ ରନର ବଡ଼ ଇନିଂସ ବଳରେ ପଞ୍ଜାବ ଏହି ମ୍ୟାଚରେ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ ହରାଇ ୨୪୩ ରନ୍ ସଂଗ୍ରହ କରିଥିଲା । ଶ୍ରେୟସ ୪୨ଟି ବଲ ଖେଳି ଏହି ରନ୍ ସଂଗ୍ରହ କରିଥିବା ବେଳେ ସେଥିରେ ୯ଟି ଛକା ଓ ୫ଟି ଚୌକା  ସାମିଲ ଥିଲା । ଅନ୍ୟମାନଙ୍କ ମଧ୍ୟରେ ପ୍ରିୟାନ୍ସ ଆର୍ଯ୍ୟ ୪୭ ଓ ଶଶାଙ୍କ ସିଂହ ୪୪ ରନ୍ ସଂଗ୍ରହ କରିଥିଲେ । ଗୁଜରାଟ ତରଫରୁ ସାଇ କିଶୋର ସର୍ବାଧିକ ୩ଟି ଓ୍ବିକେଟ ଅକ୍ତିଆର କରିଥିଲେ ।

୨୪୪ ରନର ବିଜୟଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଗୁଜରାଟ ୬୧ ରନରେ ଅଧିନାୟକ ଶୁବମନ ଗିଲଙ୍କ ଓ୍ବିକେଟ ହରାଇଥିଲା । ଗିଲ ୧୪ଟି ବଲରୁ ୩୩ ରନ୍ କରି ଆଉଟ ହୋଇଥିଲେ । ଓପନର ସାଇ ସୁଦର୍ଶନ ୪୧ଟି ବଲ ଖେଳି ୬ଟି ଛକା ଓ ୫ଟି ଚୌକା ବଳରେ ୭୪ ରନ୍ କରିଥିଲେ । ଜୋସ ବଟଲର ୫୪ ଓ ଶେରଫାନେ ରଥରଫୋର୍ଡ ୪୬ ରନ୍ କରିଥିଲେ । ଦଳ ନିର୍ଦ୍ଧାରିତ ଓଭର ସୁଦ୍ଧା ୫ ଓ୍ବିକେଟ ହରାଇ ୨୩୨ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା । ଅର୍ଶଦୀପ ସିଂହ ସର୍ବାଧିକ ୨ଟି ଓ୍ବିକେଟ ନେଇଥିଲେ ।