ପଞ୍ଜାବରେ କମିଲା ତୈଳ ଦର; ପେଟ୍ରୋଲରେ ୧୦ ଟଙ୍କା ଓ ଡିଜେଲରେ ୫ ଟଙ୍କା ହ୍ରାସ

1 min read

ଚଣ୍ଡିଗଡ଼: ଦିନକୁ ଦିନ ଦେଶରେ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଥିଲା । ତେବେ ଲଗାତର ଭାବରେ ତୈଳ ଦର ବୃଦ୍ଧିକୁ ଦେଖି  ଦୀପାବଳିରେ ସାଧାରଣ ଲୋକଙ୍କୁ ଭେଟି ଦେଇଥିଲେ କେନ୍ଦ୍ର ସରକାର । କେନ୍ଦ୍ର ସରକାର ପେଟ୍ରୋଲ ଉପରୁ ୫ ଟଙ୍କା ଓ ଡିଜେଲ ଉପରୁ ୧୦ ଟଙ୍କା ଏକ୍ସସାଇଜ ଡ୍ୟୁଟି କମ୍ କରିଥିଲେ । କେନ୍ଦ୍ର ସରକାର ଏକ୍ସସାଇଜ ଡ୍ୟୁଟି କମ୍ କରିଥିବା ବେଳେ ବିଜେପି ଶାସିତ ରାଜ୍ୟ ମଧ୍ୟ ତୈଳ ଦରରୁ ଭାଟ୍ କମ୍ କରିଥିଲେ । ବିଜେପି ଶାସିତ ରାଜ୍ୟ ପେଟ୍ରୋଲ-ଡିଜେଲ ଉପରୁ ଭାଟ୍ କମ୍ କରିବା ପରେ ଅନ୍ୟ ରାଜ୍ୟ ଉପରେ ତୈଳ ଦର କମ୍ ପାଇଁ ଚାପ ସୃଷ୍ଟି ହୋଇଥିଲା । ତେବେ ଆଜି ପଞ୍ଜାବ ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ୍ ହ୍ରାସ କରିଛି । ପେଟ୍ରୋଲ ଉପରୁ ୧୦ ଟଙ୍କା ଓ ଡିଜେଲ ଉପରୁ ୫ ଟଙ୍କା ଭାଟ୍ ହ୍ରାସ କରିବା ପାଇଁ ଘୋଷଣା କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରନଜିତ୍ ସିଂ ଚନ୍ନୀ । ପଞ୍ଜାବ ସରକାରଙ୍କ ସୂଚନା ଅନୁସାରେ ନୂଆ ତୈଳ ଦର ଆଜି ମଧ୍ୟରାତ୍ରିରୁ ଲାଗୁ ହେବ ।

ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରନଜିତ୍ ସିଂ ଚନ୍ନୀ କହିଛନ୍ତି କି ୨୦ ବର୍ଷ ମଧ୍ୟରେ ପ୍ରଥମ ଥର ଐତିହାସିକ ଭାବରେ ପେଟ୍ରୋଲ-ଡିଜେଲ ଦର ହ୍ରାସ କରାଯାଇଛି । ପଞ୍ଜାବରେ ଆଜି ମଧ୍ୟରାତ୍ରିରୁ ପେଟ୍ରୋଲରେ ୧୦ ଟଙ୍କା ଓ ଡିଜେଲରେ ୫ ଟଙ୍କା ଶସ୍ତାରେ ପାଇବେ । ତୈଳ ଦର କମ୍ କରିବା ପାଇଁ ପଞ୍ଜାବ ସରକାର ଡିଜେଲରୁ ୯.୯୨ ପ୍ରତିଶତ ଭାଟ୍ କମ୍ କରିଥିବାବେଳେ ପେଟ୍ରୋଲରୁ ୧୩.୭୭ ପ୍ରତିଶତ ଭାଟ୍ କମ୍ କରିଛି । କେନ୍ଦ୍ର ସରକର ପେଟ୍ରୋଲ ଡିଜେଲ ଦରରୁ ଏକ୍ସସାଇଜ ଡ୍ୟୁଟି କମ୍ କରିଥିବାବେଳେ ପଞ୍ଜାବର ପଡୋଶୀ ରାଜ୍ୟ ହିମାଚଳ ପ୍ରଦେଶ ଓ ହରିଆଣାରେ ଭାଟ୍ କମ୍ କରିଥିଲା । ଯାହା ଫଳରେ ପେଟ୍ରୋଲ ଓ ଡିଜେଲ ଦରରେ ୧୨ରୁ ୧୭ ଟଙ୍କା ପର୍ଯ୍ୟନ୍ତ ହ୍ରାସ ହୋଇଥିଲା । ଆସନ୍ତା ବର୍ଷ ପଞ୍ଜାବରେ ନିର୍ବାଚନ ଥିବାରୁ ତୈଳ ଦର କମ୍ କରିବାକୁ ଚାପ ପଡ଼ିଥିଲା । ତେବେ କେନ୍ଦ୍ର ସରକାର ଏକ୍ସସାଇଜ ଡ୍ୟୁଟି କମ୍ କରିବା ପରେ ଓଡ଼ିଶା ପ୍ରଥମ ଅଣ ବିଜେପି ରାଜ୍ୟ ଭାବରେ ତୈଳ ଦରରୁ ଭାଟ୍ କମ୍ କରିଥିଲେ । ପେଟ୍ରୋଲ –ଡିଜେଲ ଉପରୁ ଓଡ଼ିଶା ସରକାର ୩ ଟଙ୍କା ଭାଟ୍ ହ୍ରାସ କରିଥିଲେ ।

 

Leave a Reply