ପଦ୍ମ ଧରିଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ, ଆପ୍‌-କଂଗ୍ରେସ ପାଇଁ ବଡ ଚ୍ୟାଲେଞ୍ଜ

ଚଣ୍ଡିଗଡ: ବିଜେପିରେ ସାମିଲ ହେଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂ । ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓ କିରନ ରିଜ୍ଜୁଙ୍କ ଉପସ୍ଥିତିରେ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି କ୍ୟାପଟେନ୍‌  । ଏହା ସହ ଅମରିନ୍ଦରଙ୍କ ଅନେକ ସହଯୋଗୀ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି  ।

ଆଜି ନିଜ ଦଳ ପଞ୍ଜାବ ଲୋକ କଂଗ୍ରେସକୁ ବିଜେପିରେ ବିଲୟ କରିଛନ୍ତି ଅମରିନ୍ଦର  । ଏହା ପୂର୍ବରୁ ୧୯୯୨ରେ ଶିରୋମଣି ଅକାଳି ଦଳକୁ କଂଗ୍ରେସରେ ବିଲୟ କରିଥିଲେ କ୍ୟାପଟେନ୍‌  । କ୍ୟାପଟେନ ଅମରିନ୍ଦର ସିଂ ୨୦୨୨ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡିଥିଲେ  । ଏହା ପରେ ନିଜର ଲୋକ କଂଗ୍ରେସ ଦଳ ଗଠନ କରି ନିର୍ବାଚନ ଲଢିଥିଲେ  । ବିଜେପି ସହ ମିଶି ନିର୍ବାଚନ ଲଢିବା ପରେ ବି ସେ ପରାସ୍ତ ହୋଇଥିଲେ  ।

ପଞ୍ଜାବ ରାଜନୀତିରେ କ୍ୟାପଟେନ୍‌ଙ୍କ ଗୁରୁତ୍ବପୂର୍ଣ୍ଣ ଭୁମିକା ରହିଛି  । ଏଥିପାଇଁ ପଞ୍ଜାବ ବ୍ୟତୀତ ଅନ୍ୟ ରାଜ୍ୟରେ ମଧ୍ୟ କ୍ୟାପଟେନ୍‌ଙ୍କ ଦବ୍‌ଦବା ରହିଛି  । ସେପଟେ କ୍ୟାପଟେନ୍‌ ବିଜେପିରେ ସାମିଲ ହେବା ପରେ ଦଳର ଆଶା ବଢିଛି  । ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ଲାଭବାନ ହେବା ନେଇ ଆଶାପ୍ରକାଶ କରିଛି  । କାରଣ କୃଷି ଆଇନକୁ ନେଇ ଲୋକଙ୍କ ଅସନ୍ତୋଷ ଦୂର କରିବାରେ ବିଜେପି ସକ୍ଷମ ହୋଇଛି  ।

ସେପଟେ ଅମରିନ୍ଦରଙ୍କ ସହାୟତାରେ ଆପ୍‌କୁ ହରାଇବା ପାଇଁ ବିଜେପି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛି  । ସେହିପରି କ୍ୟାପଟେନଙ୍କୁ ରାଜ୍ୟସଭା ପଠାଇ ପାରେ ବିଜେପି  । ଏହାଦ୍ବାରା କଂଗ୍ରେସ ୨୦୧୯ ନିର୍ବାଚନରେ କଣ ଭୁଲ କରିଛି ତାହା ବିରୁଦ୍ଧରେ କ୍ୟାପଟେନ୍‌ଙ୍କୁ ବିଜେପି ବ୍ରହାସ୍ତ୍ର କରିବା ନେଇ ଚର୍ଚ୍ଚା ହେଉଛି  ।