ପଞ୍ଜାବବାସୀଙ୍କ ନ୍ୟାୟ ଓ ହକର ଲଢ଼େଇ ଜାରି ରଖିବି: ନବଜ୍ୟୋତ ସିଂ ସିଦ୍ଧୁ

ଚଣ୍ଡିଗଡ଼: ପଞ୍ଜାବରେ ଜାରି ରହିଥିବା ରାଜନୈତିକ ହଟଚମଟ ମଧ୍ୟରେ ନବଜ୍ୟୋତ ସିଂ ସିଦ୍ଧୁ ବୁଧବାର ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି । ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ସଭାପତି ପଦରୁ ଇସ୍ତଫା ଦେବାପରେ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି ନବଜ୍ୟୋତ ସିଂ ସିଦ୍ଧୁ । ଟ୍ୱିଟ୍ ମାଧ୍ୟମରେ ଜାରି ଏହି ଭିଡିଓ ବାର୍ତ୍ତାରେ ସତ୍ୟ ପାଇଁ ଲଢ଼େଇ ଜାରି ରହିବ ବୋଲି କହିଛନ୍ତି ।

ଭିଡିଓରେ ସେ କହିଛନ୍ତି ଯେ, ପଞ୍ଜାବବାସୀଙ୍କ ନ୍ୟାୟ ଓ ହକର ଲଢ଼େଇ ଜାରି ରଖିବି । ନୈତିକତା ସହ କୌଣସି ପ୍ରକାର ସାଲିସ କରାଯିବନାହିଁ। ପଞ୍ଜାବର ଉନ୍ନତିକରଣ ପାଇଁ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ । କାହା ସହିତ ମୋର ବ୍ୟକ୍ତିଗତ ଲଢ଼େଇ ନାହିଁ । ପଞ୍ଜାବବାସୀଙ୍କ ସ୍ୱାର୍ଥ ରକ୍ଷା ଲାଗି ଯଥା ସମ୍ଭବ ଚେଷ୍ଟା କରିବି ବୋଲି କହିଛନ୍ତି ନବଜ୍ୟୋତ ସିଂ ସିଦ୍ଧୁ । ସେପଟେ ପିସିସି ସଭାପତି ହେବାର ମାତ୍ର ୭୨ ଦିନ ପରେ ସିଦ୍ଧୁଙ୍କ ଇସ୍ତଫାକୁ ନେଇ ଅନେକ କଳ୍ପନା ଜଳ୍ପନା ପ୍ରକାଶ ପାଇଛି । ନୂତନ କ୍ୟାବିନେଟର କେତେକ ମନ୍ତ୍ରୀଙ୍କୁ ନେଇ ଅସନ୍ତୁଷ୍ଟ ଥିବା ସିଦ୍ଧୁ ଅନ୍ୟ କେଉଁ ଦଳରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଆସନ୍ତା ବର୍ଷ ପଞ୍ଜାବ, ଗୋଆ, ୟୁପି, ଉତ୍ତରାଖଣ୍ଡ ଆଦି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଗୋଆ ଓ ପଞ୍ଜାବରେ କଂଗ୍ରେସ ଗଡ଼ ଭୁଶୁଡ଼ିବାରେ ଲାଗିଛି । ଦୁଇଦିନ ତଳେ ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ କଂଗ୍ରେସ ଛାଡ଼ିଥିବା ବେଳେ ଗତକାଲି ପଞ୍ଜାବ ପିସିସି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ସିଦ୍ଧୁ । ଯାହାପରେ କଂଗ୍ରେସର ପରବର୍ତ୍ତୀ ରଣନୀତିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟପଟେ ପଞ୍ଜାବରେ କ୍ରାଇସେସ୍ ମ୍ୟାନେଜମେଣ୍ଟ ପାଇଁ କଂଗ୍ରେସ ହାଇକମାଣ୍ଡ ଚେଷ୍ଟା ଚଳାଇଥିବା ବେଳେ ଆଜି କ୍ୟାବିନେଟ ବୈଠକ ଡାକିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନୀ । ସିଦ୍ଧୁଙ୍କ ଇସ୍ତଫା ଓ ପଞ୍ଜାବରେ କଂଗ୍ରେସର ପରବର୍ତ୍ତୀ କାର୍ଯ୍ୟକଳାପ ନେଇ ବୈଠକରେ ଆଲୋଚନା ହୋଇପାରେ ।

Leave a Reply