ହ୍ୱାଟ୍ସଆପ ଗ୍ରୁପରୁ ତଡା ଖାଇ ରାଗରେ ଆଡମିନଙ୍କ ଜିଭ କାଟି ଦେଲେ

1 min read

ମହାରାଷ୍ଟ୍ର: ହ୍ୱାଟସଆପ୍ ବର୍ତ୍ତମାନ ସମୟରେ ଯୋଗାଯୋଗର ଏକ ବଡ଼ ମାଧ୍ୟମ ପାଲଟି ଯାଇଛି । ହ୍ୱାଟସଆପରେ ସକ୍ରିୟ ଥିବା ପ୍ରାୟ ସମସ୍ତେ କୌଣସି ନା କୌଣସି ଗ୍ରୁପରେ ସକ୍ରୀୟ ଥିବେ । ତେଣିକି ତା’ ଫ୍ୟାମିଲି ଗ୍ରୁପ୍ ହେଉ କି ଅଫିସ ଗ୍ରୁପ କିମ୍ବା କମ୍ୟୁନିଟି ଗ୍ରୁପ । ହ୍ୱାଟସଆପ୍ ଗ୍ରୁପଗୁଡିକରେ ଫେକ୍ ମେସେଜ୍ ସେୟାର ବାବଦରେ ଅନେକ କଥା ଶୁଣିଥିବେ । ଯାହାକୁ ରୋକିବା ପାଇଁ ହ୍ୱାଟସଆପ୍ ଅତୀତରେ କିଛି ପଦକ୍ଷେପ ନେଇଛି । କିନ୍ତୁ ଆପଣ କେବେ ଶୁଣିଛନ୍ତି କି ଯେ,କୌଣସି ଗ୍ରୁପର କାହାକୁ ହଟାଇବା କାରଣରୁ ଆଡମିନଙ୍କୁ ଜୀଭ ହରାଇବାକୁ ପଡିଛି ? ନିହାତି ଶୁଣିନଥିବେ ।

ହ୍ୱାଟ୍ସଆପ ଗ୍ରୁପରୁ ଜଣେ ସଦସ୍ୟଙ୍କୁ କୌଣସି କାରଣ ବଶତଃ ଗ୍ରୁପର ଆଡମିନ ବାହାର କରି ଦେଇଥିଲେ ।  ଯାହା ଗ୍ରୁପ ଆଡମିନଙ୍କୁ ମହଙ୍ଗା ପଡିଗଲା । ଗ୍ରୁପରୁ ତଡ଼ା ଖାଇଥିବା  ବ୍ୟକ୍ତି ଜଣଙ୍କ ରାଗରେ ଆଡମିନଙ୍କ ଜିଭ କାଟି ଦେଇଛନ୍ତି ।  ଖାଲି ଏତିକି  ନୁହେଁ ଆଡମିନ ପୁଣି ନିର୍ଧୁମ ଛେଚା ମଧ୍ୟ ଖାଇଛନ୍ତି ।

ମହାରାଷ୍ଟ୍ରର ପୁଣେ ସହରରେ ଚକିତ କଲା ଭଳି ଏହି ଘଟଣା ଘଟିଛି । ଅଭିଯୋଗ ଅନୁଯାୟୀ ମହାରାଷ୍ଟ୍ରର ପୁଣେ ସହରର ଫୁରସୁଙ୍ଗି ଅଂଚଳରେ ଗତ ଡିସେମ୍ବର ୨୮ ତାରିଖ ଦିନ ଏଭଳି ଘଟଣା ଘଟିଯାଇଛି । ପୀଡିତଙ୍କ ପତ୍ନୀ ଏନେଇ ହଦାପସାର ଥାନାରେ ଲିଖିତ ଅଭିଯୋଗ ଆଣିଛନ୍ତି । ୫ ଜଣ ଅଭିଯୁକ୍ତଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି ।

ଏଠାରେ ପୂରା ଘଟଣା ହେଉଛି ଏମିତି ।   ଅଭିଯୋଗକାରିଣୀଙ୍କ ସ୍ୱାମୀ ଏକ ହ୍ୱାଟ୍ସଆପ ଗ୍ରୁପ ଖୋଲିଥିଲେ । ଯାହାର ନାଁ ରଖିଥିଲେ,ଓମ୍ ହ୍ୱାଇଟ୍ସ ଅପରେସନ । ସେହି ହ୍ବାଟ୍ସଆପ୍ ଗ୍ରୁପରୁ  ଅଭିଯୁକ୍ତଙ୍କ ମଧ୍ୟରୁ ଆଡମିନ ଭାବେ ସେ ଜଣଙ୍କୁ ଆଉଟ କରିଥିଲେ । ଗ୍ରୁପର ତଡା ଖାଇଥିବା ବ୍ୟକ୍ତି ଏହାକୁ ନେଇ ତାଙ୍କ ଉପରେ ରାଗ ରଖିଥିଲେ ।ତାଙ୍କୁ କାହିଁକି ଗ୍ରୁପରୁ ବାହାର କରାଗଲା ବୋଲି ସେ ଆଡମିନଙ୍କୁ ପ୍ରଶ୍ନ କରିଥିଲା । ମାତ୍ର ଆଡମିନ ଏହାର ଉତ୍ତର ରଖିନଥିଲେ । ପରେ କିଛି ଯୁବକଙ୍କୁ ସାଥିରେ ଧରି ଅଭିଯୁକ୍ତ ତାଙ୍କୁ ଭେଟିବା ପାଇଁ ତାଙ୍କ ଘରକୁ ଯାଇଥିଲେ । ସେଠାରେ ସେ  ଆଡମିନଙ୍କୁ ଆକ୍ରମଣ କରିବା ସହିତ ତାଙ୍କ ଜୀଭ କାଟି ଦେଇଥିବା ପୀଡିତଙ୍କ ପତ୍ନୀ କହିଛନ୍ତି ।  ଗୁତୁତର ଅବସ୍ଥାରେ ଆଡମିନଙ୍କୁ ହ୍ସପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ପୀଡିତଙ୍କ ଧର୍ମପତ୍ନୀଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଅଭିଯୁକ୍ତ ମାନଙ୍କ ଧରିବା ପାଇଁ ସମସ୍ତ ପ୍ରୟାସ ଚଳାଇଛି ।