ଭସାଣି ବେଳେ ପୋଲିସ ଉପରେ ଢ଼େଲା ମାଡ଼

ବାଲେଶ୍ବର: ବାଲେଶ୍ବରରେ ଭସାଣି ଉତ୍ସବରେ ଗଣ୍ଡଗୋଳ । ପୋଲିସ ଉପରକୁ ଢେଲା, ପଥର ମାଡ଼ ପରେ ସିନେମା ବଜାରରେ ପୋଲିସ କଲା ଲାଠିମାଡ଼ । ଢେଲା, ପଥର ମାଡ଼ ଓ ଲାଠିଚାର୍ଯରେ ଜଣେ ପୋଲିସ କର୍ମଚାରୀ ସମେତ ମୋଟ 5ଜଣ ଆହତ ହୋଇଛନ୍ତି । ବିଳମ୍ବ ଭସାଣି ଓ ଡ଼ିଜେ ସାଉଣ୍ଡ ବଜାଇବାକୁ ନେଇ ପୋଲିସ ଓ ପୂଜା କମିଟି ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଗତକାଲି ବାଲେଶ୍ବରର ସିନେମା ଛକରେ ଭସାଣି ଚାଲିଥିବାବେଳେ, ରାତି ୧୨ଟା ପରେ ଡ଼ିଜେ ବଜାଇବାକୁ ପୋଲିସ ବାରଣ କରିଥିଲା ।

ଏଥିସହିତ ବେଢ ଗୁଡ଼ିକୁ ଭସାଣି ନକରି ରାସ୍ତା ଉପରେ ଦୀର୍ଘ ସମୟ ରଖି ନାଚିବାକୁ ପୋଲିସ ବିରୋଧ କରିଥିଲା । ଏହି ସମୟରେ ଏକ ନିର୍ଦ୍ଧିଷ୍ଟ ପୂଜା କମିଟି ଡ଼ିଜେ ବଜାଇବାକୁ ଜିଦ୍‌ ଧରିଥିଲା । ଏହି ଘଟଣାକୁ ନେଇ ପ୍ରଶାସନ ସହିତ ଆଲୋଚନା ଚାଲିଥିବା ସମୟରେ ପଛରେ ଥିବା କମିଟି ସଦସ୍ୟମାନେ ପୋଲିସକୁ ଠେଲାପେଲା କରିଥିଲେ । ଫଳରେ ପୋଲିସ ବିଶୃଙ୍ଖଳା ସୃଷ୍ଟି କରୁଥିବା ଲୋକଙ୍କୁ ଘଉଡ଼ାଇବାକୁ ଲାଠିଚାର୍ଯ କରିଥିଲା ।