ରାଜଧାନୀରେ ନବ ନିର୍ମାଣ କୃଷକ ସଙ୍ଗଠନର ବିକ୍ଷୋଭ, ଉଠାଇ ନେଲା ପୋଲିସ

ଭୁବନେଶ୍ବର: ମଣ୍ଡି ଅବ୍ୟବସ୍ଥା, କଟନୀ ଛଟନୀକୁ ନେଇ ରାଜଧାନୀ ଭୁବନେଶ୍ବରର ଲୋୟର ପିଏମଜିରେ ନବ ନିର୍ମାଣ କୃଷକ ସଙ୍ଗଠନର ବିକ୍ଷୋଭ । ସଙ୍ଗଠନର ଶତାଧିକ ସଦସ୍ୟ ଏକାଠି ହୋଇ ବିଧାନସଭା ଅଭିମୁଖେ ଯାଉଥିବା ବେଳେ ଉଠାଇ ନେଲା ପୋଲିସ । ଏପଟେ ରାଜଧାନୀର ରାଜରାସ୍ତାରେ କାନ୍ଦି କାନ୍ଦି ସରକାରଙ୍କ କୃଷକ ମାରଣ ନୀତିକୁ ସମାଲୋଚନା କରିଛନ୍ତି ଚାଷୀ ।
ସୂଚନାଯୋଗ୍ୟ, ଗତ ୨୫ ଦିନ ହେବ ନିବନିର୍ମାଣ କୃଷକ ସଂଗଠନ ମହାସଚିବ ଅକ୍ଷୟ କୁମାର ଆନ୍ଦୋଳନରେ ବସିଛନ୍ତି ।ମଣ୍ଡିରେ ଅବ୍ଯବସ୍ଥା, ଧାନ କିଣାରେ କଟନୀ ଛଟନୀ ପ୍ରତିବାଦରେ ସେ ଅନଶନ ଦେଇଛନ୍ତି । ହେଲେ ତାଙ୍କ ସହ ଆଲୋଚନା କରିବାକୁ ସରକାରୀ ଦଳର କାହାରିଙ୍କୁ ଦେଖିବାକୁ ମିଳିନାହିଁ । ଯାହାକୁ ନେଇ ସଙ୍ଗଠନ ସଦସ୍ୟଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଥିଲା ।
ଅନ୍ୟପକ୍ଷରେ ବିଧାନସଭା ଚାଲିଥିବାରୁ କମିଶନରେଟ ପୋଲିସ ଲୋୟର ପିଏମଜିରେ ବ୍ୟାରିକେଡ ବସାଇଛି । ଏମିତି ସ୍ଥିତିରେ ନବନିର୍ମାଣ କୃଷକ ସଙ୍ଗଠନର ସଦସ୍ୟମାନେ ଆଇଜି ପାର୍କ ଦେଇ ବାରିକେଡ ପାର ହେବା ପରେ ବିଧାନସଭାରେ ଧସେଇ ପସିବାକୁ ଉଦ୍ୟମ କରିଥିଲେ । ହେଲେ ସେଠାରେ ଉପସ୍ଥିତ ପୋଲିସ କର୍ମଚାରୀ ସେମାନଙ୍କୁ ଉଠାଇ ନେଇଥିଲା ।
ତେବେ ଆନ୍ଦୋଳନରେ ସାମିଲ ହୋଇଥିବା ବହୁତ କୃଷକ କାନ୍ଦି କାନ୍ଦି ସେମାନଙ୍କ ଦୁଃଖ ଜଣାଇଛନ୍ତି । ଧନ କିଣା ନାଁରେ କେମିତି ମଣ୍ଡିରେ କଟନୀ ଛଟନୀ କରାଯାଉଛି ତାହା ସେମାନଙ୍କ ଆଖିର ଲୁହ କହି ଦେଉଛି ।