କାର୍ ଚଢାଇ ଚାଷୀଙ୍କୁ ହତ୍ୟା: ଘଟଣାସ୍ଥଳକୁ ଯାଉଥିବା ପ୍ରିୟଙ୍କା ଗାନ୍ଧୀଙ୍କୁ ୟୁପି ପୋଲିସର ଅଟକ

ଲକ୍ଷ୍ନୌ: ନିରୀହ ଚାଷୀଙ୍କ ଉପରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ କାର ଚଢାଇବା ଘଟଣା ଦିନକୁ ଦିନ ତେଜିବାରେ ଲାଗିଛି  । ୟୁପି ଲକ୍ଷ୍ମୀପୁର ଖେରିରେ ଗାଡି ମଡାଇ ଚାଷୀଙ୍କୁ ହତ୍ୟା କରିବା ନେଇ ମାମଲା ରୁଜୁ ହୋଇଛି । କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ଓ ଅନ୍ୟ ୧୩ ଜଣଙ୍କ ବିରୋଧରେ ରୁଜୁ ହୋଇଛି ହତ୍ୟା ମାମଲା । ଗତକାଲି ଆନ୍ଦୋଳନରତ ଚାଷୀଙ୍କ ଉପରେ ଆଶିଷ ନିଜ କାର୍ ମଡାଇ ଦେବାରୁ ୨ଜଣ ଲୋକ ପ୍ରାଣ ହରାଇଥିଲେ ବୋଲି ଅଭିଯୋଗ ହୋଇଥିଲା । ସେପଟେ ଘଟଣା ଘଟିଥିବା ସ୍ଥଳକୁ ଯାଉଥିବା ବେଳେ କଂଗ୍ରେସ ସାଧାରଣ ସମ୍ପାଦିକ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଅଟକ ରଖିଛି ପୋଲିସ ।

ହରଗାଁ ପୋଲିସ ଥାନା ଅଞ୍ଚଳରେ ଆଜି ଭୋରରେ ତାଙ୍କୁ ଅଟକାଇଥିଲା ପୋଲିସ । ପରେ ତାଙ୍କୁ ସୀତାପୁର ଜିଲ୍ଲାର ଏକ ଗେଷ୍ଟ ହାଉସକୁ ନିଆଯାଇଛି । ସେ ତିକୁନିଆ ଅଞ୍ଚଳକୁ ଯାଇ ସେଠାରେ ମୃତକଙ୍କ ପରିବାରକୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ଥିଲା । ତେଣେ ଲକ୍ଷ୍ମୀପୁର ହିଂସା ଘଟଣାରେ ୮ ଜଣ ବ୍ୟକ୍ତି ପ୍ରାଣ ହରାଇଥିବା ନେଇ ମାମଲା ଦାଏର ହୋଇଛି । ଜିଲ୍ଲା ମାଜିଷ୍ଟ୍ରେଟ ଅରବିନ୍ଦ ଚୌରାସିଆ କହିଛନ୍ତି ଏହି ଘଟଣାରେ ୪ ଜଣ ଚାଷୀ ଓ ୪ଜଣ ସାଧାରଣ ଲୋକ ପ୍ରାଣ ହରାଇଛନ୍ତି ।

ସେପଟେ ପ୍ରଭାବିତ ଅଞ୍ଚଳ ଗସ୍ତ କରିବାର କାର୍ଯ୍ୟକ୍ରମ ଥିବାରୁ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ବାସଭବନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ହିଂସା ବଢିବା ଆଶଙ୍କାରେ ଲକ୍ଷ୍ମୀପୁର ଅଞ୍ଚଳରେ ମୋବାଇଲ ସେବା ବନ୍ଦ କରାଯାଇଛି । ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ । ଅନ୍ୟପଟେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଓ ପଞ୍ଜାବ ଉପମୁଖ୍ୟମନ୍ତ୍ରୀ ଆଜି ଘଟଣାସ୍ଥଳକୁ ଯାଉଛନ୍ତି । ତେଣୁ ଏମାନଙ୍କୁ ଲକ୍ଷ୍ନୌ ବିମାନ ବନ୍ଦର ବାହାରକୁ ନଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉତ୍ତର ପ୍ରଦେଶ ଅତିରିକ୍ତ ମୁଖ୍ୟ ଶାସନ ସଚିବ ।

Leave a Reply