ମୁଖ୍ଯମନ୍ତ୍ରୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍ ,ଏନେଇ ବିଧାନସଭାରେ ହଙ୍ଗାମା

1 min read

ଭୁବନେଶ୍ୱର : ମୁଖ୍ଯମନ୍ତ୍ରୀ ମୋହନ ମାଝୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସକୁ ନେଇ ବିଧାନସଭାରେ ହଙ୍ଗାମା। କଂଗ୍ରେସ ଓ ବିଜେଡି ପ୍ରବଳ ହଟ୍ଟଗୋଳ କରିବା ପରେ ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ କରିଛନ୍ତି ବାଚସ୍ପତି। ଆଜି ଶୂନ୍ଯକାଳରେ କଂଗ୍ରେସର ତାରାପ୍ରସାଦ ବାହିନୀପତି ଏହି ପ୍ରସଙ୍ଗ ଉଠାଇଥିଲେ।

ସେ ଅଭିଯୋଗ କରିଥିଲେ,ଗୃହ ଚାଲିଥିବା ବେଳେ ମୁଖ୍ଯମନ୍ତ୍ରୀ ମୋହନ ମାଝୀ ଗତ ୨୬ ତାରିଖରେ ଲୋକସେବା ଭବନରେ ଘୋଷଣା କରିଥିଲେ-ଅଗ୍ନିବୀରଙ୍କୁ ରାଜ୍ଯ ସରକାର ଚାକିରିରେ ସଂରକ୍ଷଣ ଦେବେ। ବୟସ ସୀମା କୋହଳ କରିବେ। ଗୃହ ଚାଲିଥିବା ବେଳେ ଗୃହ ବାହାରେ ଏପରି ଘୋଷଣା କରି ମୁଖ୍ଯମନ୍ତ୍ରୀ ଗୃହର ମର୍ଯ୍ଯାଦା ଉଲ୍ଲଂଘନ କରିଛନ୍ତି। ତାଙ୍କ ବିରୋଧରେ ମୁଁ ସ୍ବାଧିକାର ଭଙ୍ଗ ନୋଟିସ୍ ଦେଇଛି। ବାଚସ୍ପତି ଏହାକୁ ଗ୍ରହଣ କରି ସ୍ବାଧିକାର କମିଟିକୁ ପଠାନ୍ତୁ। ଏହା ସହିତ ଆଜି ଗୃହ କାର୍ଯ୍ଯ ଆରମ୍ଭରୁ ସ୍ବାଧିକାର ଭଙ୍ଗ ନୋଟିସ୍ ଦେଇଥିବା ସଭ୍ଯଙ୍କୁ କହିବାର ସୁଯୋଗ ନ ଦେଇ, ମନ୍ତ୍ରୀଙ୍କୁ କହିବାକୁ ସୁଯୋଗ ଦେବା ଏକ କଳଙ୍କିତ ଅଧ୍ୟାୟ।

ଅଗ୍ନିବୀର ସଂପର୍କିତ ଘୋଷଣା ପୁଣି ଥରେ ଆଜି ଦୋହରାଇଛନ୍ତି ସଂସଦୀୟ ବ୍ଯାପାର ମନ୍ତ୍ରୀ। ଏହା ବାସି ଖାଦ୍ଯ ବୋଲି କହିଥିଲେ ତାରା। ସେପଟେ ବିରୋଧୀ ଦଳ ମୁଖ୍ଯ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି-କାହିଁକି ମୁଖ୍ଯମନ୍ତ୍ରୀ ଗୃହକୁ ବିଶ୍ବାସକୁ ନେଲେ ନାହିଁ। ସେ ଗୃହରେ କ୍ଷମା ମାଗନ୍ତୁ। ଗୃହ, ଅର୍ଥ କି AG ଙ୍କ ସହ ଆଲୋଚନା କରି କଣ ପାଇଁ ଗୃହକୁ ବିଶ୍ୱାସକୁ ନେଇ ନାହାନ୍ତି । ହାଇକୋର୍ଟର ନିଷ୍ପତ୍ତିକୁ ନ ମାନି ସଂରକ୍ଷଣ କରିବା କଣ ଠିକ। ନୂଆ ସରକାର, ଭୁଲ ହେବା ସ୍ୱାଭାବିକ। ମୁଖ୍ୟମନ୍ତ୍ରୀ ଗୃହକୁ ଆସି କ୍ଷମା ମାଗନ୍ତୁ ।

ବିଜେଡି ବିଧାୟକ ଗଣେଶ୍ବର ବେହେରା କହିଛନ୍ତି, ମୁଖ୍ଯମନ୍ତ୍ରୀଙ୍କ ଘୋଷଣା ଆମକୁ ମର୍ମାହତ କରିଛି। ସେପଟେ ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ଯ କହିଛନ୍ତି- ସେ କଂଗ୍ରେସ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍ ଦେବେ। ନିୟମ ଅନୁସାରେ ବାଚସ୍ପତିଙ୍କ ବିନା ଅନୁମତିରେ ସ୍ବାଧିକାର ଭଙ୍ଗ ନୋଟିସ୍ ଦେବା ପୂର୍ବରୁ କେହି ଗଣମାଧ୍ଯମରେ ଏ ସଂପର୍କରେ କିଛି କହିପାରିବେ ନାହିଁ। ହେଲେ ଗତକାଲି କଂଗ୍ରେସ ସଦସ୍ଯ ଏହି ପ୍ରସଙ୍ଗ ଗଣମାଧ୍ଯମ ଆଗରେ କହିଥିଲେ। ଏହା ଗୃହର ମର୍ଯ୍ୟାଦା କ୍ଷୁର୍ଣ୍ଣ ନୁହେଁ କି ବୋଲି ସେ ପ୍ରଶ୍ନ କରିଛନ୍ତି। ଏପରି ଆଲୋଚନା ବେଳେ ବାଚସ୍ପତି ଘୋଷଣା କରିଥିଲେ, ସମସ୍ତ ସ୍ବାଧିକାର ଭଙ୍ଗ ନୋଟିସକୁ ଅନୁଧ୍ଯାନ କରିବି। ଏହା ସତ୍ତ୍ବେ କଂଗ୍ରେସ ନିଜ ଦାବି ଦୋହରାଇଥିଲା। ବିଜେଡି ସଭ୍ଯମାନେ ବି ନିଜ ଆସନରେ ଠିଆ ହୋଇ ପ୍ରତିବାଦ କରିଥିଲେ। ଏହା ପରେ ଗୃହକୁ ଅପରାହ୍ନ ୪ଟା ପର୍ଯ୍ଯନ୍ତ ମୁଲତବୀ ରଖିଛନ୍ତି ବାଚସ୍ପତି।