ଓଡ଼ିଆଙ୍କ ପାଇଁ ଗର୍ବ: ପାଞ୍ଚ ବିଭାଗର ଶୀର୍ଷ ପଦବୀରେ ଓଡ଼ିଆ

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀ ଜଗନ୍ନାଥ କିମ୍ୱା ସ୍ୱର୍ଗତ ବିଜୁ ପଟ୍ଟନାୟକ ଏବେ କେବଳ ଓଡ଼ିଶାର ପରିଚୟ ହୋଇରହିନାହାନ୍ତି । ନିଜର ସମୃଦ୍ଧ କଳା, ସଂସ୍କୃତି, ସଭ୍ୟତା ଓ ଶାନ୍ତିପ୍ରିୟ ରାଜ୍ୟ ଭାବେ ପରିଚିତ ଓଡ଼ିଶା ଏବେ ନିଜ ସୁଯୋଗ୍ୟ ସନ୍ତାନଙ୍କ ଲାଗି ମଧ୍ୟ ଦେଶ ବିଦେଶରେ ପରିଚୟ ସୃଷ୍ଟି କରିପାରିଛି । ଓଡ଼ିଆ ନିଜର କଠିନ ପରିଶ୍ରମ, ଚେଷ୍ଟା ଓ ଅଧ୍ୟବସାୟ ଫଳରେ ପ୍ରତିଟି କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ଛାପ ଛାଡ଼ିପାରିଛି । ବିଜ୍ଞାନଠାରୁ ବ୍ୟବସାୟ, ଚାଷ ଜମିରୁ ଖେଳପଡ଼ିଆ ପ୍ରତିଟି କ୍ଷେତ୍ରରେ ନିଜ ଉପସ୍ଥିତି ଜାହରି କରିପାରିଛନ୍ତି । ସ୍ୱଦେଶୀ ଏୟାରକ୍ରାଫ୍ଟ ନିର୍ମାଣର ନେତୃତ୍ୱ ନେଇଥିବା ଡ. କୋଟା ହରିନାରାୟଣ ହୁଅନ୍ତି ଅବା ଇସ୍ରୋର ପ୍ରଥମ ଓଡ଼ିଆ ମହିଳା ବିଜ୍ଞାନୀ ସୁଷମା ପାଣିଗ୍ରାହୀ । ଅଲିମ୍ପିକ୍ସରେ ଦେଶର ନେତୃତ୍ୱ ନେଇଥିବା ଦୂତି ଚାନ୍ଦ ହୁଅନ୍ତୁ ଅବା ପଦ୍ମ ପୁରସ୍କାର ପ୍ରାପ୍ତ ଚାଷୀ ବଟକୃଷ୍ଣ ସାହୁ । ଏଭଳି ଅନେକ ଓଡ଼ିଆଙ୍କ ଦେଶର ସମୃଦ୍ଦି ଓ ପ୍ରତିଷ୍ଠା ଦିଗରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ଆଉ ଏବେ ମଧ୍ୟ ଏହା ଅବ୍ୟାହତ ରହିଛି । ନିଜ କର୍ତ୍ତବ୍ୟନିଷ୍ଠା ବଳରେ ବର୍ତ୍ତମାନର ସମୟରେ ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ବିଭାଗର ମୁଖ୍ୟ ପଦବୀରେ ଓଡ଼ିଆ ଅଧିଷ୍ଠିତ । ଯାହା ପ୍ରତିଟି ଓଡ଼ିଆଙ୍କ ଗର୍ବର ବିଷୟ ।

ଗିରୀଶ ଚନ୍ଦ୍ର ମୁର୍ମୁ

ମୟୂରଭଞ୍ଜ  ଜିଲ୍ଲା ବାରିପଦା  ବ୍ଳକ୍‌ ଖଡିଶୋଳ ଗାଁ ପଞ୍ଚାୟତ କୁଞ୍ଚିଶୋଳ ଗାଁର ସ୍ୱର୍ଗତ ଭାଗବତ ମୁର୍ମୁ ଏବଂ ପାର୍ବତୀ ମୁର୍ମୁଙ୍କ ୬ ପୁଅ ଓ ୨ ଝିଅଙ୍କ ମଧ୍ୟରେ ସବା ବଡ଼ପୁଅ ହେଉଛନ୍ତି ଗିରୀଶ । ୨୧ ନଭେମ୍ୱର, ୧୯୫୯ରେ ଜନ୍ମଗ୍ରହଣ କରିଥିବା ଗିରୀଶ ନିଜ ଗାଁରୁ ପ୍ରାଥମିକ ଶିକ୍ଷା ଆରମ୍ଭ କରିଥିଲେ । ପରେ ବାରିପଦା ଏବଂ ରାଉରକେଲାରେ ଅଧ୍ୟୟନ ପରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ସାରିବା ପରେ ଜେଏନୟୁରେ ଉଚ୍ଚଶିକ୍ଷା ଲାଭ କରିଥିଲେ । ୧୯୮୫ରେ ଗିରୀଶ ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ  ହୋଇ ଗୁଜୁରାଟ୍ କ୍ୟାଡର ଆଇଏଏସ୍ ଅଧିକାରୀଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟ୍ ମୁଖ୍ୟମନ୍ତ୍ରୀ ଥିବା ସମୟରେ ସେ ପ୍ରନ୍ସିପାଲ ସେକ୍ରେଟାରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ଏହା ପରବର୍ତ୍ତୀ ସମୟରେ ଜମ୍ମୁ କଶ୍ମୀର ପ୍ରଥମ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭାବେ ମଧ୍ୟ କାର୍ଯ୍ୟ ତୁଲାଇଥିଲେ । ତେବେ ତାଙ୍କୁ ଏବେ ଦେଶର ୧୪ ତମ ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷମଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ପ୍ରମୋଦ କୁମାର ମିଶ୍ର

୧୧ ଅଗଷ୍ଟ ୧୯୪୮ ମସିହାରେ ସମ୍ୱଲପୁରରେ ଜନ୍ମ ଗ୍ରହଣ କରିଥିଲେ ପ୍ରମୋଦ କୁମାର ମିଶ୍ର । ୧୯୭୨ ବ୍ୟାଚ୍‌ର ଗୁଜୁରାଟ୍ କ୍ୟାଡରର ବରିଷ୍ଠ ଆଇଏଏସ୍ ଅଫିସର ହେଉଛନ୍ତି ଶ୍ରୀ ମିଶ୍ର । ୭୧ ବର୍ଷୀୟ ପ୍ରମୋଦ ଚାକିରିରୁ ଅବସର ନେଇସାରିଥିଲେ ସୁଦ୍ଧା ତାଙ୍କ କାର୍ଯ୍ୟ ଦକ୍ଷତା ନେଇ ତାଙ୍କୁ ପୁଣି ନିଯୁକ୍ତି ମିଳିଛି । ୨୦୧୪ରୁ ସେ ପ୍ରଧାନମନ୍ତ୍ରୀଙ୍କୁ ଅତିରିକ୍ତ ପ୍ରମୁଖ ସଚିବଭାବେ କାର୍ଯ୍ୟତୁଲାଉଥିବା ବେଳେ ୨୦୧୯ ମସିହାରେ ତାଙ୍କୁ ପ୍ରମୁଖ ସଚିବଭାବେ ନିଯୁକ୍ତି ମିଳିଥିଲା ।

ଶକ୍ତିକାନ୍ତ ଦାଶ

୨୬ ଫେବ୍ରୁଆରୀ ୧୯୫୭ରେ ଭୁବନେଶ୍ୱରେ ଜନ୍ମଗ୍ରହଣ କରିଥିଲେ ଶକ୍ତିକାନ୍ତ ଦାଶ । ସେ ୧୯୮୦ ବ୍ୟାଚ ତାମିଲନାଡୁ କ୍ୟାଡରର ଆଇଏଏସ୍‌ ଅଫିସର । ସେ ବର୍ତ୍ତମାନ ଭାରତୀୟ ରଜର୍ଭ ବ୍ୟାଙ୍କର ୨୫ତମ ଗଭର୍ଣ୍ଣରଭାବେ କାର୍ଯ୍ୟରତ । ପୂର୍ବରୁ ସେ ପଞ୍ଚଦଶ ଅର୍ଥ କମିଶନର ସଦସ୍ୟ ଭାବେ ମଧ୍ୟ କାର୍ଯ୍ୟ ତୁଲାଇଛନ୍ତି । ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଭାବେ ସେ ଦେଶ ତଥା ତାମିଲନାଡୁ ସରକାରଙ୍କ ଅର୍ଥନୀତି ଏବଂ ରାଜସ୍ୱ ସମ୍ପର୍କିତ ବିଭାଗରେ କାର୍ଯ୍ୟ କରିଛନ୍ତି ।

ଡ. ମୃତ୍ୟୁଞ୍ଜୟ ମହାପାତ୍ର

ଭଦ୍ରକରେ ଜନ୍ମ ଗ୍ରହଣ କରିଥିଲେ ଡ. ମୃତ୍ୟୁଞ୍ଜୟ ମହାପାତ୍ର । ୫୩ ବର୍ଷୀୟ ଡ. ମହାପାତ୍ର ସାଇକ୍ଳୋନ୍ ମ୍ୟାନ୍ ଭାବେ ମଧ୍ୟ ବେଶ୍ ପରିଚିତ । ସେ ବର୍ତ୍ତମାନ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦ୍ଦେଶକଭାବେ କାର୍ଯ୍ୟ କରୁଛନ୍ତି । ଫୋନି ସମୟରେ ତାଙ୍କ ସଠିକ୍ ଆକଳନ ଯୋଗୁଁ ରାଜ୍ୟରେ ଜୀବନ ହାନିକୁ ବହୁ ସଂଖ୍ୟାରେ ରୋକାଯାଇପାରିଥିଲା । ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଫିଜିକ୍ସରେ ସ୍ନାତକୋତ୍ତର ପୂରା କରିଥିଲେ । ଏହା ପରେ ସେ  ଡିଆରଡିଓ, ଚନ୍ଦବାଲିରେ ଯୋଗଦେଇଥିଲେ ।

ସତ୍ୟ ନାରାୟଣ ପ୍ରଧାନ

ନାସନାଲ ଡିଜାଷ୍ଟର ରେସପନ୍ସ ଫୋର୍ସ(ଏନ୍‌ଡିଆରଏଫ୍‌) ଡିଜି ହେଉଛନ୍ତି ସତ୍ୟ ନାରାୟଣ ପ୍ରଧାନ । ଓଡ଼ିଶାରେ ଜନ୍ମତି ୧୯୮୮ ବ୍ୟାଚ୍ ଝାଡ଼ଖଣ୍ଡ କ୍ୟାଡରର ବରିଷ୍ଠ ଆଇପିଏସ୍ ଅଫିସର ହେଉଛନ୍ତି ସତ୍ୟ ନାରାୟଣ ପ୍ରଧାନ । ସେ ପୂର୍ବରୁ ଭାରତର ସରକାରଙ୍କ ଅତିରିକ୍ତ ମହାନିର୍ଦ୍ଦେଶକ ଓ ଉତ୍ତରପୂର୍ବାଞ୍ଚଳ ବିକାଶ ମନ୍ତ୍ରାଳୟର ଯୁଗ୍ମ ସଚିବଭାବେ କାର୍ଯ୍ୟ ତୁଲାଇଛନ୍ତି ।

Leave a Reply