ଖାଉଟିଙ୍କୁ କଲବଲ କଲାଣି ଦରବୃଦ୍ଧି

ନନ୍ଦିଘୋଷ ବ୍ୟୁରୋ: ହୁତୁହୁତୁ ହୋଇ ବଢୁଛି ପିଆଜ, ଅଦା, ରସୁଣର ଦର । ପନି ପରିବା ମୂଲ୍ଯ ବି ଆକାଶ ଛୁଆଁ । ପରିବା ବଜାରରେ ସତେ ଯେମିତି ଲାଗିଚି ନିଆଁ । ମାସେ ଧରି ପରିବା ଦର ବଢ଼ି ଥିବା ବେଳେ ଏବେ ପିଆଜ, ରସୁଣ, ଅଦା କିଣିବାକୁ ଡରିଲେଣି ଖାଉଟି । ଗରିବ ଲୋକଙ୍କ କଥା ଛାଡ଼ ମଧ୍ୟବିତ୍ତ ପରିବାର ରୋଷେଇଘରୁ ଉଭାନ ହେଲାଣି ପିଆଜ, ଅଦା, ରସୁଣ ।

ଖାଉଟିଙ୍କୁ କଲବଲ କଲାଣି ଦରବୃଦ୍ଧି । ଆଳୁ ଟେନସନ ନ କମୁଣୁ ଏବେ କନ୍ଦାଇଲାଣି ପିଆଜ, ଅଦା, ରସୁଣ । ଭୁବନେଶ୍ବରର ଏକ ନମ୍ବର ମାର୍କେଟରେ ପିଆଜ କିଲୋ ୫୫ ଟଙ୍କାରେ ବିକ୍ରି ହେଉଥିବା ବେଳେ, ରସୁଣ ଅଢେଇଶ ଗ୍ରାମକୁ ୯୦ ଟଙ୍କା ରହିଛି । ଅଦା ଅଢେଇସକୁ ୫୦ ଟଙ୍କାରେ ବିକ୍ରି କରୁଛନ୍ତି ବ୍ଯସାୟୀ । ସରକାରଙ୍କ ପକ୍ଷରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ, ଦର ବୃଦ୍ଧି ପାଇଁ ସମସ୍ତଙ୍କୁ ଦାୟୀ କରିଛନ୍ତି ଗ୍ରାହକ । କିଛିଦିନ ଧରି ଆଳୁଦର ଲୋକଙ୍କୁ ଘାଣ୍ଟି ଦେଇଥିବାବେଳେ ଏବେ ପିଆଜ, ଅଦା, ରସୁଣ ଲୋକଙ୍କ ହାଣ୍ଡିଶାଳରୁ ଉଭାନ ହେଲାଣି ।

ଆମିଷ ହେଉ କି ପରିବା ଝୋଳ । ପିଆଜ, ଅଦା, ରସୁଣ ନ ପଡ଼ିଲେ ତରକାରୀ ପାଣିଚିଆ ଲାଗେ । କଣ କିଣିବେ, କେତେ କିଣିବେ ଦ୍ବନ୍ଦରେ ଖାଉଟି । ସେପଟେ ଆଗକୁ ପିଆଜ ଦର ଆହୁରି ବଢିପାରେ ବୋଲି କହିଛନ୍ତି ବେପାରୀ । ଯାହାକୁ ନେଇ ସରକାର ଙ୍କ ବ୍ୟବସ୍ଥାକୁ ଦାଇ କରିଛନ୍ତି ସାଧାରଣ ଲୋକ । ପରିବା ଦର ମଧ୍ଯ କେଉଁଟା କମ ନୁହେଁ। ଯାହାକୁ ଛୁଇଁବ ସବୁ ୫୦ ପାର । ବିଭାଗ ପକ୍ଷରୁ ଏଥି ନେଇ କୌଣସି ଆଖି ଦୃଷିଆ ପଦକ୍ଷେପ ନିଆଯାଉ ନଥିବା ଲୋକେ ଅଭିଯୋଗ କରିଛନ୍ତି ।