ମଣିପୁରରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ
![](https://nandighoshatv.com/wp-content/uploads/2025/02/MANIPUR_PRESIDENTS_RULE-1024x576.jpg)
ଇମ୍ଫାଲ: ମଣିପୁରରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ । ରାଷ୍ଟ୍ରପତି ଶାସନ ଲାଗୁ କରିଛନ୍ତି କେନ୍ଦ୍ର ସରକାର । ଗତ ୯ ତାରିଖରେ ଇସ୍ତଫା ଦେଇଥିଲେ ମଣିପୁର ମୁଖ୍ୟମନ୍ତ୍ରୀ ବୀରେନ ସିଂ । ତାଙ୍କ ଇସ୍ତଫା ପରେ ମଣିପୁରରେ ଲାଗୁ ହୋଇଛି ରାଷ୍ଟ୍ରପତି ଶାସନ।
ଦୁଇ ବର୍ଷ ଧରି ଅଶାନ୍ତ ରହିଛି ମଣିପୁର । ମଣିପୁର ହିଂସାରେ ୨ ଶହରୁ ଅଧିକ ଜୀବନ ଯାଇଥିବା ବେଳେ, ବାସଚ୍ଯୁତ ହେଲେଣି ୬୦ ହଜାର ଲୋକ । ତେବେ କିଏ ହେବ ମଣିପୁରର ଆଗାମୀ ମୁଖ୍ୟମନ୍ତ୍ରୀ ? ଏମିତି କିଛି ପ୍ରଶ୍ନ ଏବେ ସାଧାରଣ ଲୋକଙ୍କ ମନରେ ଉଙ୍କି ମାରୁଛି । କାରଣ ମଣିପୁରରେ ଦୀର୍ଘ ଦିନ ଧରି ରାଜନୈତିକ ଅସ୍ଥିରତା ଲାଗି ରହିଛି । ଏହାରି ଭିତରେ ନୂଆ ମୁଖ୍ୟମନ୍ତ୍ରୀ ବାଛିବା ପାଇଁ କେନ୍ଦ୍ରୀୟ ନେତୃତ୍ୱ ବି ସମୟ ନେଉଛି । ଦେଖିବାକୁ ଗଲେ ଦଳରେ ସେମିତି କୌଣସି ଟାଣୁଆ ନେତା ନାହାନ୍ତି, ଯାହାଙ୍କ ପାଖରେ ଅଧିକାଂଶ ବିଧାୟକଙ୍କ ସମର୍ଥନ ରହୁଥିବ ।
କ୍ରମାଗତ ଭାବେ ୨ ବର୍ଷ ହେଲା ମଣିପୁରରେ ଜାରି ରହିଛି ହିଂସା । ଜାତିଗତ ହିଂସାରେ ଗଲାଣି ୨ ଶହରୁ ଅଧିକ ଜୀବନ । ଏଥିସହ ୬୦ ହଜାରରୁ ଅଧିକ ଲୋକେ ବିସ୍ଥାପିତ ହୋଇଛନ୍ତି । ଗତ ୨ ବର୍ଷ ହେବ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଇଁ ଏହା ମୁଣ୍ଡବିନ୍ଧାର କାରଣ ପାଲଟିଛି । ରାଜ୍ୟରେ ମୈତେଇ ଓ କୁକି ସମ୍ପ୍ରଦାୟ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଅନେକ ହିଂସାତ୍ମକ ସଂଘର୍ଷର କାରଣ ହୋଇଛି । ଯେଉଁଥିରେ ଶହ ଶହ ଲୋକଙ୍କ ଜୀବନ ଯାଇଛି । ହଜାର ହଜାର ଲୋକଙ୍କୁ ସେମାନଙ୍କ ଘରୁ ଛାଡିବାକୁ ବାଧ୍ୟ କରାଯାଇଛି ।
ସେପଟେ ହିଂସା ନିୟନ୍ତ୍ରଣ କରିବାରେ ଅସମର୍ଥ ହୋଇପଡିଥିଲେ ବିରେନ । ଏପରିକି ବିଜେପି ବିଧାୟକମାନେ ବି ବିରେନ ସିଂଙ୍କ ପ୍ରତି ଅସନ୍ତୋଷ ଥିଲେ । ଗତବର୍ଷ ଅକ୍ଟୋବରରେ ମଣିପୁରର ୧୯ ଜଣ ଭାଜପା ବିଧାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖି ଏନ ବୀରେନ ସିଂହଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ବହିଷ୍କାର କରିବାକୁ ଦାବି କରିଥିଲେ ।