ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନକୁ ୧୦ ଦିନରୁ ଅଧିକ ସମୟ ବିତିଯାଇଥିଲେ ବି ଘୋଷଣା ହେଲାନି କ୍ଷତିପୂରଣ, ଜୋର ଧରିଲା ରାଜନୀତି
ନନ୍ଦିଘୋଷ ବ୍ୟୁରୋ: ଜିଲ୍ଲା କୋଟପାଡରେ ବନ୍ୟା ନେଇ ଏବେ ରାଜନୀତି ଜୋର । ମୁଖ୍ୟମନ୍ତ୍ରୀଙ୍କ କୋଟପାଡ ଗସ୍ତ କରି ବନ୍ୟାଞ୍ଚଳ ବୁଲିଲେ, କିନ୍ତୁ ଏବେ ଯାଏଁ କ୍ଷୟକ୍ଷତି ପାଇଁ କ୍ଷତିପୂରଣ ଘୋଷଣା କଲେ ନାହିଁ । ଏହାକୁ ନେଇ ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ସରକାରଙ୍କୁ ଆକ୍ଷେପ କରିଥିବା ବେଳେ ବିଜେପି ଏହାକୁ ଖଣ୍ଡନ କରିଛି । କୋଟପାଡ ବନ୍ୟାର କ୍ଷୟକ୍ଷତି ଆକଳ ପରେ ସମସ୍ତ ଚାଷୀ ଓ ଘରଭଙ୍ଗା ଲୋକଙ୍କୁ ଉଚିତ କ୍ଷତିପୂରଣ ମିଳିବ ବୋଲି କହିଛି ବିଜେପି ।
ମୁଖ୍ୟମନ୍ତ୍ରୀ କୋଟପାଡ ବନ୍ୟାଞ୍ଚଳ ପରିଦର୍ଶନକୁ ପୂରିଲାଣି ୧୦ ଦିନରୁ ଅଧିକ ସମୟ । ହେଲେ ଆଜି ପର୍ଯ୍ୟନ୍ତ ଘୋଷଣା ହେଲାନି କ୍ଷତିପୂରଣ । ଏମିତି ସ୍ଥିତିରେ କାହା ପାଇଁ ସରକାର ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି । କ୍ଷୟକ୍ଷତି ଅନୁଧ୍ୟାନ ପରେ କ୍ଷତିପୂରଣ ପ୍ୟାକେଜ ଘୋଷଣା କରାଯିବ ବୋଲି ବିଜେପି କହିଛି ।
ମୁଖ୍ୟମନ୍ତ୍ରୀ ବାଇପାସରେ ଲୁଚିକି ଆସିଲେ । ବୋଟରେ ଜଳକ୍ରୀଡା କଲା ଭଳି ବୁଲି ଡାଲି ଖାଇ ଚାଲିଗଲେ । ହେଲେ କ୍ଷତିପୂରଣ ନେଇ କୌଣସି ପ୍ୟାକେଜ ଘୋଷଣା କଲେନି ବୋଲି ଅଭିଯୋଗ କରିଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ ସମ୍ପାଦକ ଅନାମ ଦିଆନ । ସେପଟେ ଏହି ବନ୍ୟା କୁତ୍ରିମ ବନ୍ୟା ଓ ମନୁଷ୍ୟକୃତ ବୋଲି କହିଛନ୍ତି ବିଜେଡ଼ି ପୂର୍ବତନ ମନ୍ତ୍ରୀ ପଦ୍ମିନି ଦିଆନ୍ । ତିନି ଦିନ ଲଗାତାର ବର୍ଷା ସମୟରେ କାହିଁକି ଇନ୍ଦ୍ରାବତୀ ଜଳଭଣ୍ଡାର ଗେଟ ଖୋଲାଗଲା ବୋଲି ପ୍ରଶ୍ନ କରିଛନ୍ତି ପଦ୍ମିନି ଦିଆନ୍। ଅନ୍ୟପଟେ ନବରଙ୍ଗପୁର ଜିଲ୍ଲାକୁ ୫ କୋଟି ଟଙ୍କା ଘୋଷଣା ହେଲା । କୋରାପୁଟ ଜିଲ୍ଲାକୁ କିଛି ନାହିଁ ବୋଲି କହିଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଉଲାକା । ଅନ୍ୟପକ୍ଷେ, ଦୁଇ ବିରୋଧୀ ଦଳର ଅଭିଯୋଗକୁ ଖଣ୍ଡନ କରିଛନ୍ତି କୋଟପାଡ଼ ବିଧାୟକ ରୁପୁ ଭତ୍ରା ।
ଲଗାଣ ବର୍ଷା ଓ ବନ୍ୟାରେ କୋରାପୁଟ ଜିଲ୍ଲା କୋଟପାଡ ବ୍ଲକ ବିଶେଷ ପ୍ରଭାବିତ ହୋଇଛି । ୭ଟି ପଞ୍ଚାୟତରେ ୭୨୦ ଘର ଭାଙ୍ଗିଛି । ୬୦ ପ୍ରତିଶତ ଚାଷ ନଷ୍ଟ ହୋଇଛି । ସେପ୍ଟମ୍ବର ୨୪ ତାରିଖରେ ବନ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ । କ୍ଷତିପୂରଣ ନେଇ ପ୍ରତିଶୃତି ଦେଲେ । ହେଲେ ଆଜି ପର୍ଯ୍ୟନ୍ତ ଘୋଷଣା ହେଲାନି କ୍ଷତିପୂରଣ । ଯାହାକୁ ନେଇ ବନ୍ୟାବିପନ୍ନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଘରଭଙ୍ଗା ବାବଦକୁ କେତେ ଟଙ୍କା ମିଳିବ ତାହାର କିଛି ହିସାବ ନାହିଁ । ମୁଖ୍ୟମନ୍ତ୍ରୀ ପିରିଞ୍ଜି ଗାଁକୁ ଆସିଲେ, କିନ୍ତୁ କୌଣସି ବନ୍ୟା ପ୍ରଭାବିତ ଲୋକଙ୍କୁ ମିଶିଲେ ନାହିଁ ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ ।
ବନ୍ୟା ପ୍ରଭାବିତ ଲୋକେ ଆଜି ବି ସନ୍ଦେହରେ ଅଛନ୍ତି । ସେମାନଙ୍କୁ ଚାଷ ନଷ୍ଟ ବା ଘରଭଙ୍ଗା ପାଇଁ ସରକାର କେତେ ଟଙ୍କା ଦେବେ ? ସେମାନଙ୍କ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ କେମିତି ଚଳିବେ ? କେମିତି ପରିବାର ପରିପୋଷଣ କରିବେ ତାହାକୁ ନେଇ ଚିନ୍ତାରେ ପଡିଛନ୍ତି ଲୋକେ ।

