ରାଷ୍ଟ୍ରପତି ପଦକ ପାଇଥିବା DSP କରୁଥିଲେ ଏମିତି କାମ, ଦୋହଲିଗଲା ଦେଶ

1 min read

ନୂଆଦିଲ୍ଲୀ: ପୋଲିସର ଆତଙ୍କୀ ଲିଙ୍କ୍ । ଦକ୍ଷିଣ କଶ୍ମୀରର ଏହି ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି । ଲୋକଙ୍କ ଜୀବନ ରକ୍ଷା ପାଇଁ ନିୟୋଜିତ ପୋଲିସ ଯେ ଏଭଳି କାମ କରିପାରିବ । ଅନେକ ବିଶ୍ୱାସ କରିପାରୁନାହାନ୍ତି । ଶନିବାର ୨ ଜଣ ଆତଙ୍କବାଦୀଙ୍କ ସହ କାରରୁ ଜଣେ ଡିଏସପି ଧରାପଡ଼ିଥିଲେ । ଡିଏସପିଙ୍କୁ ପଚରାଉଚରା ପରେ ସାମନାକୁ ଆସିଥିଲା ସାଂଘାତିକ ସତ । ଆତଙ୍କବାଦୀଙ୍କ ଠାରୁ ୧୨ ଲକ୍ଷ ଟଙ୍କା ନେଇ ଡିଏସପି ସେମାନଙ୍କୁ ଚଣ୍ଡିଗଡ଼ ପହଞ୍ଚାଇବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ । ଚଣ୍ଡିଗଡ଼ ପରେ ଆତଙ୍କୀ ଦିଲ୍ଲୀ ଯିବାକୁ ଯୋଜନା କରିଥିଲଲେ ବୋଲି କଶ୍ମୀର ଆଇଜି ବିଜୟ କୁମାର ସୂଚନା ଦେଇଛନ୍ତି ।ଗୁଇନ୍ଦା ସୂତ୍ର ଅନୁଯାୟୀ, ଆତଙ୍କବାଦୀମାନେ ସାଧାରଣତନ୍ତ୍ର ଦିବସରେ ଆକ୍ରମଣ ପାଇଁ ଯୋଜନା କରିଥିଲେ । ଏମାନଙ୍କୁ ୧୨ ଲକ୍ଷ ଟଙ୍କା ନେଇ ସହାୟତା କରୁଥିଲେ ଶ୍ରୀନଗର ବିମାନବନ୍ଦରରେ ନିୟୋଜିତ ଜମ୍ମୁ-କଶ୍ମୀର ପୋଲିସର ସୁରକ୍ଷା ଓ ଆଣ୍ଟି ହାଇଜ୍ୟାକିଂ ୟୁନିଟର ଡିଏସପି ଦେବୀନ୍ଦର । ସୋମବାର ଡିଏସପିଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି । ଏଥିସହ ଆତଙ୍କବାଦୀଙ୍କ ସହ ହାତ ମିଳାଇଥିବାରୁ ତାଙ୍କୁ ମିଳିଥିବା ରାଷ୍ଟ୍ରପତି ପଦକ ମଧ୍ୟ ଫେରାଇ ନିଆଯିବାର ସମ୍ଭାବନା ରହିଛି ।ପୋଲିସ ଛଡ଼ା ଆଇବି, ମିଲିଟାରୀ ଇଣ୍ଟେଲିଜେନ୍ସ, RAW ସହିତ ଆଉ କେତକ ଗୁଇନ୍ଦା ଏଜେନ୍ସି ଡିଏସପି ଦେବୀନ୍ଦରଙ୍କୁ ପଚରାଉଚରା କରିଛନ୍ତି । ଗୁଇନ୍ଦା ସୂତ୍ର ଅନୁସାରେ ଦେବୀନ୍ଦର ଶ୍ରୀନଗର ଇନ୍ଦିରା ନଗରରେ ଥିବା ତାଙ୍କ ବାସଭବନରୁ ଆତଙ୍କୀକୁ ସହାୟତା କରିଥିଲେ । ଡିଏସପିଙ୍କ ଏହି ଘର ଆର୍ମି ୧୫ ହେଡକ୍ୱାର୍ଟର ନିକଟରେ । ଡିଏସପି ଆତଙ୍କବାଦୀଙ୍କୁ ନେଇ ଏକ ମାରୁତି କାରରେ ଜମ୍ମୁରୁ ବାହାରିଥିଲେ । ଯେଉଁ କାରକୁ ଚଲାଉଥିଲେ ହିଜବୁଲର ଜଣେ ଆତଙ୍କବାଦୀ ।ସୂତ୍ର ଅନୁସାରେ ଏହି ମାମଲାକୁ କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟ NIA ବା ନ୍ୟାସନାଲ ଇନଭେଷ୍ଟିଗେନ୍ ଏଜେନ୍ସିକୁ ଦେଇପାରେ । ଯେଉଁଥିରୁ ଦେବୀନ୍ଦର ଓ ଆତଙ୍କବାଦୀଙ୍କ ସମ୍ପର୍କର ବାବଦରେ ଆଉ କିଛି ଜଣାପଡ଼ିବ । ଦେବୀନ୍ଦରଙ୍କ ସହ ଗିରଫ ହୋଇଥିବା ୨ ହିଜବୁଲ୍ ଆତଙ୍କବାଦୀ ଦକ୍ଷିଣ କଶ୍ମୀର ସୋପିଆଁ ଜିଲ୍ଲାର ନାବେଦ ବାବୁ ଉର୍ଫ ବାବର ଆଜମ ଓ ଅହମଦ ରାଥର ।

https://nandighoshatv.com/police-arrested-terrorists/

Leave a Reply