ପିଲାଙ୍କୁ ଦେଖି ଗାଡି ଅଟକାଇଲେ, ନିଜେ ଓହ୍ଲାଇ ଚକୋଲେଟ ବାଣ୍ଟିଲେ ରାଷ୍ଟ୍ରପତି

କଟକ: ରାଷ୍ଟ୍ରପତିଙ୍କ କଟକ ଗସ୍ତ ଆରମ୍ଭ ହୋଇଥିଲା ମା’ କଟକ ଚଣ୍ଡୀଙ୍କ ଦର୍ଶନରୁ । ମନ୍ଦିରରେ ପହଞ୍ଚି ମା’ଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଥିଲେ ମନ୍ଦିର କର୍ମକର୍ତ୍ତା । କଟକ ଚଣ୍ଡୀ ମନ୍ଦିର ପହଞ୍ଚିବା ବେଳେ ଉପସ୍ଥିତ ଲୋକଙ୍କୁ ହାତ ହଲାଇ ନମସ୍କାର କରିଥିଲେ ମ୍ୟାଡାମ ପ୍ରେସିଡେଣ୍ଟ । ଏହି ସମୟରେ ଛୋଟ ପିଲାଙ୍କୁ ଚକୋଲେଟ୍ ବାଣ୍ଟିଥିଲେ ମହାମହିମ ରାଷ୍ଟ୍ରପତି ।

କଟକ ଚଣ୍ଡୀ ମନ୍ଦିରରୁ ମାଆଙ୍କ ଦର୍ଶନ ସାରି ଶୈଳବାଳା ମହିଳା ମହାବିଦ୍ୟାଳୟ ଗଲାବେଳେ ଛକ ଉପରେ ଠିଆ ହୋଇଥିବା ପିଲାଙ୍କୁ ଦେଖି ଗାଡ଼ି ଅଟକାଇଥିଲେ । ନିଜେ ଗାଡ଼ିରୁ ଓହ୍ଲାଇ ପିଲାଙ୍କ ସହ ମିଶିବା ସହ ଚକୋଲେଟ୍ ଦେଇଥିଲେ । ପିଲାମାନେ ବି ପାଖରେ ରାଷ୍ଟ୍ରପତିଙ୍କୁ ପାଇ ବେଶ ଖୁସି ହୋଇଥିଲେ। ସେଠାରୁ ଶୈଳବାଳା ମହିଳା ମହାବିଦ୍ୟାଳୟକୁ ଯାଇ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଏହାପରେ ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରହାଳୟ ଯାଇ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ସଂଗ୍ରହାଳୟ ବୁଲି ଦେଖିଥିଲେ ।