ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କୁ ଜିତାଇବାକୁ ଅଣ୍ଟା ଭିଡ଼ିଲା ବିଜେଡି

ଭୁବନେଶ୍ୱର: ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଯୋଗାଡ଼ ଲାଗି କଂଗ୍ରେସ ବିଧାୟକ ରାଜନ ଏକ୍କାଙ୍କୁ ଭେଟିଲେ ବିଜେଡି ଟିମ୍‌ । ମନ୍ତ୍ରୀ ତୁଷାରକାନ୍ତି ବେହେରା, ପ୍ରୀତି ରଞ୍ଜନ ଘଡ଼ାଇ ପ୍ରମୁଖ ରାଜନ ଏକ୍କାଙ୍କୁ ଭେଟି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ କହିଛନ୍ତି । ବିଧାୟକ ସ୍ନେହାଙ୍ଗିନୀ ଛୁରିଆ ଓ ରାଜକିଶୋର ଦାସ ମଧ୍ୟ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ବାର୍ତ୍ତା ଦେଇଛନ୍ତି ବିଜେଡି ଟିମ୍ ।

ବିପୁଳ ଭୋଟ ଦେଇ ମାଟିର ଝିଅଙ୍କୁ ରାଷ୍ଟ୍ରପତି କରିବାକୁ ସେମାନେ ଏକ୍କାଙ୍କୁ ନିବେଦନ କରିଛନ୍ତି । ଏକ୍କା ନିଜେ ଜଣେ ଆଦିବାସୀ ହୋଇଥିବାରୁ ଆଦିବାସୀ ଅଧିକାର ପାଇଁ ଭୋଟ ଦେବାକୁ ସେମାନେ ଅନୁରୋଧ କରିଛନ୍ତି । କଂଗ୍ରେସର ନୀତି ଆଦର୍ଶ ବିଜେପିଠାରୁ ଅଲଗା । କଂଗ୍ରେସ ଗାନ୍ଧୀ ଆଦର୍ଶରେ ଚାଲିଛି । ଯଶୱନ୍ତ ସିହ୍ନାଙ୍କୁ ଦଳ ବହୁ ଆଗରୁ ପ୍ରାର୍ଥୀ କରିଛି । ତେଣୁ ଦ୍ରୌପଦୀଙ୍କୁ ସମର୍ଥନର ପ୍ରଶ୍ନ ଉଠୁନାହିଁ ବୋଲି କହିଲେ ଏକ୍କା । ସେପଟେ କଂଗ୍ରେସର ସବୁ ବିଧାୟକଙ୍କୁ ଭେଟିବେ ବିଜେଡିର ଭିନ୍ନ ଭିନ୍ନ ପ୍ରତିନିଧି ଦଳ ।