କରୋନା ଭାଇରସ୍ ପାଇଁ ସ୍ୱାସ୍ଥ୍ୟ ବିଭାଗର ପୂର୍ବପ୍ରସ୍ତୁତି, ଆଜି ବସିବ ସିଡିଏମ୍‌ଓ ବୈଠକ

ବଢିଚାଲିଛି କରୋନା ଭାଇରସର ଆତଙ୍କ । ଏହି ଭାଇରସ୍ ଏବେ ଡେଇଁ ଚାଲିଛି ଗୋଟିଏ ପରେ ଗୋଟିଏ ଦେଶ   । ୮୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି, ୧୨ଶହରୁ ଅଧିକ ଲୋକ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ଚୀନରୁ ଥାଇଲାଣ୍ଡ, ଆମେରିକା, ତାଇଓ୍ୱାନ, ଭିଏତନାମ୍‌, ସିଙ୍ଗାପୁର ପରେ ଏବେ ଇଉରୋପରେ ନିଜର କାୟା ବିସ୍ତାର କଲାଣି ।

ଏବେ ଓଡ଼ିଶାକୁ ମଧ୍ୟ ଆକ୍ରାନ୍ତ କରିପାରେ କରୋନା ଭାଇରସ୍‌ । ଭାଇରସ୍‌ରୁ ରାଜ୍ୟକୁ ରକ୍ଷା ପାଇଁ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛି ସ୍ୱାସ୍ଥ୍ୟ ବିଭାଗ । ଏନେଇ ଆଜି ଭୁବନେଶ୍ୱରରେ ବସିବ ସିଡିଏମ୍‌ଓ ବୈଠକ । ବୈଠକରେ ସମସ୍ତ ଜିଲ୍ଲା ସିଡିଏମ୍‌ଓ ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।  ମାଲେସିଆରେ ତିନି ଜଣ କରୋନା ଭାଇରସ୍‌ ଦ୍ଵାରା ଆକ୍ରାନ୍ତ ପରେ ଓଡ଼ିଶାରେ ହାଇଆଲର୍ଟ ଜାରି କରାଯାଇଛି । କେନ୍ଦ୍ର ସରକାରଙ୍କ କଡା ନିର୍ଦ୍ଦେଶ ପରେ ମାଲେସିଆରୁ ଆସୁଥିବା ସମସ୍ତ ଯାତ୍ରୀଙ୍କୁ ଟିକନିକ୍ ଯାଞ୍ଚ କରାଯାଉଛି । ଗତ ରବିବାର ରାତିରେ କ୍ୱାଲାଲମପୁରରୁ ଭୁବନେଶ୍ୱର ଆସିଥିବା ସମସ୍ତ ଯାତ୍ରୀଙ୍କୁ ଡାକ୍ତର ପରୀକ୍ଷା କରିଛନ୍ତି । ଏଥିପାଇଁ ବିମାନ ବନ୍ଦର ପରିସରରେ ୨୪ଘଣ୍ଟିଆ ମେଡିକାଲ ଇନସପେକ୍ସନ୍ ରୁମ୍‌ ଖୋଲା ଯାଇଛି । ସେପଟେ ପାରଦୀପ ବନ୍ଦରରେ ମଧ୍ୟ ଆଲର୍ଟ ଜାରି କରାଯାଇଛି । ବନ୍ଦରରେ ଯାତ୍ରୀଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି । ହେଲେ କରୋନା ଭାଇରସର ପ୍ରତିଷେଧକ ନଥିବାରୁ ଚିନ୍ତା ବଢିବାରେ ଲାଗିଛି । ଏ ସଂକ୍ରାନ୍ତରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ସହ ଭିଡିଓ କନଫରେସିଂ ଜରିଆରେ ପ୍ରମୁଖ ସ୍ୱାସ୍ଥ୍ୟ ସଚିବ ଆଲୋଚନା କରିଛନ୍ତି । ସେପଟେ ଏସସିବି ଓ ସମ୍ବଲପୁର ଭିମସାରରେ ଏ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

Leave a Reply