ମନ୍ଦ ଉଦ୍ଦେଶ୍ୟ ରଖି ଶ୍ରୀମନ୍ଦିର ରତ୍ନଭଣ୍ଡାର କମିଟି ଭଙ୍ଗା ଯାଇଛି: ବିଜେଡି

ଭୁବନେଶ୍ବର: ରତ୍ନଭଣ୍ଡାର କମିଟି ଭଙ୍ଗାଯିବାକୁ ନେଇ ରାଜ୍ୟ ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରିଛି ବିଜେଡି । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଶ୍ରୀମନ୍ଦିର ରତ୍ନଭଣ୍ଡାର କମିଟି ଭଙ୍ଗାଯିବା ଘଟଣାରେ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ । ମନ୍ଦ ଉଦ୍ଦେଶ୍ୟ ରଖି ରତ୍ନଭଣ୍ଡାର କମିଟି ଭଙ୍ଗା ଯାଇଥିବା ପ୍ରମିଳା ଅଭିଯୋଗ କରିଛନ୍ତି ।

ସେ କହିଛନ୍ତି, ଜଷ୍ଟିସ ଅରିଜିତ ପଶାୟତ ଜଣେ ସୁନାମଧନ୍ୟ ବ୍ୟକ୍ତି । ମାତ୍ର ମନ୍ଦ ଉଦ୍ଦେଶ୍ୟ ରଖି ତାଙ୍କୁ କମିଟିରୁ ହଟାଇ ଦିଆଗଲା । ନୂଆ ସରକାର କେତେ ବେଳେ କ’ଣ କହୁଛନ୍ତି ତାହାର କୌଣସି ଠିକ୍ ଠିକଣା ନାହିଁ । କେତେ ବେଳେ ରତ୍ନଭଣ୍ଡାର ଖୋଲିବା ତାରିଖ ଘୋଷଣା କରୁଛନ୍ତି ତ ପୁଣି କେତେ ବେଳେ ମନା କରୁଛନ୍ତି ।

ଆଗକୁ ସେ କହିଛନ୍ତି, ବିଜେପି ସରକାରର ଉଦ୍ଦେଶ୍ୟ ଓଡ଼ିଶାବାସୀ ଜାଣିଛନ୍ତି । ନୂଆ ସରକାର ଠିକ୍ କଥା କରିବେନି କି ଠିକ୍ ବାଟରେ ଯିବେନି । ଖାଲି ଭୁଆଁ ବୁଲେଇବେ ବୋଲି ଅଭିଯୋଗ କରିଛନ୍ତି ପ୍ରମିଳା ।

ସେହିପରି ରତ୍ନଭଣ୍ଡାର ପ୍ରସଙ୍ଗରେ କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି, ରାଜ୍ୟ ସରକାର ରତ୍ନଭଣ୍ଡାରକୁ ନେଇ ଯାତ୍ରା କରୁଛନ୍ତି । ବିଜେପି ସରକାରଙ୍କ ଭେଳିକିକୁ ଲୋକେ ବୁଝି ସାରିଲେଣି । ମହାପ୍ରଭୁ ଯେବେ ଚାହିଁବେ ରତ୍ନଭଣ୍ଡାର ଖୋଲିବ । ନିର୍ବାଚନୀ ପ୍ରତିଶ୍ରୁତି ପାଳନ କରି ନଥିବାରୁ ଏଭଳି ଭେଳିକି ବିଜେପି ଦେଖାଉଛି ।

ପ୍ରସାଦ ହରିଚନ୍ଦନ ମଧ୍ୟ ବିଜେପିକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ରତ୍ନଭଣ୍ଡାର ନେଇ ସରକାରଙ୍କ ନିର୍ଦ୍ଦିଷ୍ଟ ନିଷ୍ପତ୍ତି ନାହିଁ । ରତ୍ନଭଣ୍ଡାର ଖୋଲିବେ କି ନା ସେ ନେଇ ମଧ୍ଯ ସ୍ପଷ୍ଟତା ନାହିଁ ।

ଏସବୁ ଭିତରେ ରତ୍ନଭଣ୍ଡାର କମିଟି ଭଙ୍ଗାଯାଇ ନୂଆ କମିଟି ଗଠନ କରାଯିବା ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି, ଆସନ୍ତାକାଲି କମିଟିର ବୈଠକ ବସିବା ସହ କେବେ ରତ୍ନଭଣ୍ଡାର ଖୋଲିବ ତାରିଖ ନିର୍ଦ୍ଧାରଣ ହେବ । ଯାହା ସୁବିଧାଜନକ ମନେ ହେବ ସରକାର ସେହି ଅନୁଯାୟୀ ନିଷ୍ପତ୍ତି ନେବେ । ଯେଉଁମାନଙ୍କୁ ନେଇ ରତ୍ନଭଣ୍ଡାର କମିଟି ତିଆରି ହୋଇଛି ସେମାନେ ସଠିକ ଢଙ୍ଗରେ କାର୍ଯ୍ୟ କରିବେ ବୋଲି ସରକାରଙ୍କ ଅନୁଭବ ହେବାରୁ ନୂଆ କମିଟି ଗଠନ କରାଯାଇଛି । ସେ ଆହୁରି କହିଛନ୍ତି, ପୂର୍ବ କମିଟିକୁ ଭଙ୍ଗା ଯାଇନାହିଁ, କେବଳ ରିପ୍ଲେସ କରାଯାଇଛି । ପୁରୁଣା ସରକାର ସମୟରେ ସେ କମିଟି ଗଠନ ହୋଇଥିଲା । ଉକ୍ତ କମିଟି ଭଣ୍ଡାର ଖୋଲିବାକୁ ନେଇ କୌଣସି ପଦକ୍ଷେପ ନେଇ ନ ଥିଲା । ଏବେ ସମୟରେ ସରକାର କମିଟି ପରିବର୍ତ୍ତନ କରିବା ପାଇଁ ଅନୁଭବ କଲେ ।