ପ୍ରଖ୍ୟାତ ମଲାୟଲମ ସାହିତ୍ୟିକ ପ୍ରଭା ବର୍ମାଙ୍କୁ ସମ୍ମାନଜନକ ସରସ୍ବତୀ ସମ୍ମାନ

ନନ୍ଦିଘୋଷ ବ୍ୟୁରୋ: ପ୍ରଖ୍ୟାତ ମଲାୟଲମ ସାହିତ୍ୟିକ ପ୍ରଭା ବର୍ମାଙ୍କୁ ସମ୍ମାନଜନକ ସରସ୍ବତୀ ସମ୍ମାନ । କାବ୍ୟକୃତି ‘ରୌଦ୍ର ସାତ୍ବିକମ୍’ ନିମନ୍ତେ ପ୍ରଭା ବର୍ମାଙ୍କୁ ୨୦୨୩ ବର୍ଷ ନିମନ୍ତେ ସରସ୍ବତୀ ସମ୍ମାନ ପ୍ରଦାନ କରାଯିବ । ୨୦୧୩ରୁ ୨୦୨୨ ମଧ୍ୟରେ ପ୍ରକାଶିତ ପୁସ୍ତକଗୁଡ଼ିକୁ ବିଚାର କରାଯିବା ପରେ ପ୍ରଭା ବର୍ମାଙ୍କୁ ମନୋନୀତ କରାଯାଇଛି । ଭାରତୀୟ ସାହିତ୍ୟ ପାଇଁ କେ. କେ. ବିରଳା ଫାଉଣ୍ଡେସନ ପକ୍ଷରୁ ୧୯୯୧ ମସିହାରୁ ସରସ୍ବତୀ ସମ୍ମାନ ପ୍ରଦାନ କରାଯାଇ ଆସୁଛି । ୧୯୯୨ ମସିହାରେ ଓଡ଼ିଆ କାବ୍ୟକୃତି ‘ଶ୍ରୀରାଧା’ ନିମନ୍ତେ ପ୍ରତିଷ୍ଠିତ କବି ରମାକାନ୍ତ ରଥଙ୍କୁ ସରସ୍ବତୀ ସମ୍ମାନ ପ୍ରଦାନ କରାଯାଇଥିଲା । ଓଡ଼ିଶାରୁ ପ୍ରଖ୍ୟାତ ସାହିତ୍ୟିକ ମନୋଜ ଦାସ ଏବଂ ଜଗନ୍ନାଥ ପ୍ରସାଦ ଦାସ ମଧ୍ୟ ସରସ୍ବତୀ ସମ୍ମାନୀତ ହୋଇଛନ୍ତି ।  ୧୯୯୧ ମସିହାରେ ଆତ୍ମକଥା ‘ଦଶ ଦ୍ବାର ସେ ସୋପାନ ତକ୍’ ନିମନ୍ତେ ଡ. ହରିବଂଶ ରାୟବଚନ ପ୍ରଥମ ସରସ୍ବତୀ ସମ୍ମାନ ପ୍ରଦାନ କରାଯାଇଥିଲା । ପ୍ରଭା ବର୍ମା ସମକାଳୀନ ମଲାୟଲମ ସାହିତ୍ୟର ଜଣେ ଶକ୍ତିଶାଳୀ ଉଚ୍ଚାରଣ । ଜଣେ ସ୍ବମାନଧନ୍ୟ କବି, ସାହିତ୍ୟିକ, ଗୀତିକାର, ସାଂସ୍କୃତିକ କାର୍ଯ୍ୟକର୍ତ୍ତା ଭାବେ ସେ ସୁପରିଚିତ । ଏଥିସହିତ ସେ ପାରମ୍ପରିକ ଓ ବୈଦୁତିକ ଗଣମାଧ୍ୟମ ସାମ୍ବାଦିକ ଭାବେ ବେଶ୍ ପରିଚିତ । ଉଭୟ ମଲାୟଲମ ଓ ଇଂରାଜୀ ସାହିତ୍ୟରେ ତାଙ୍କର ବେଶ୍ ସୁନାମ ରହିଛି  ।

ଚଳିତବର୍ଷ ସେ ତାଙ୍କ ସୃଜନାନ୍ମକ ଲେଖକୀୟ ଜୀବନର ୫୦ ବର୍ଷ ପୂରଣ କରିଛନ୍ତି । ପ୍ରଭା ବର୍ମା ୩୦ରୁ ଅଧିକ ପୁସ୍ତକ ରଚନା କରିଛନ୍ତି  । ସେଥିମଧ୍ୟରେ ୧୨ଟି କବିତା ସଂକଳନ, ତିନୋଟି କାବ୍ୟାତ୍ମକ ଉପନ୍ୟାସ, ସମକାଳୀନ ସାମାଜିକ ରାଜନୈତିକ  ପରିବେଶ ଓ ସାହିତ୍ୟ ଉପରେ ଆଧାରିତ ୮ଟି ପୁସ୍ତକ, ୭ଟି ଆଲୋଚନାତ୍ମକ ନିବନ୍ଧ, ଗଣମାଧ୍ୟମ ସଂପର୍କିତ ଏକ ସମୀକ୍ଷାତ୍ମକ ପୁସ୍ତକ, ଦୁଇଟି ଚଳଚ୍ଚିତ୍ର ଆଲେଖ୍ୟ, ଏକ ଇଂରାଜୀ ଉପନ୍ୟାସ, ଏବଂ ଏକ ଭ୍ରମଣ କାହାଣୀ ଅନ୍ତର୍ଭୁକ୍ତ । ତାଙ୍କର ପୁରସ୍କୃତ ପୁସ୍ତକ ‘ରୌଦ୍ର ସାତ୍ବିକମ୍’ ରାଜନୀତି ଓ କ୍ଷମତା, ବ୍ୟକ୍ତିତ୍ବ ଓ ରାଜ୍ୟ, କଳା ଓ ଶକ୍ତିର ସଂପର୍କ ମଧ୍ୟରେ ବ୍ୟାପ୍ତ ଅନ୍ତର୍ବିରୋଧୀ ଚେତନାକୁ ନେଇ ସ୍ବତନ୍ତ୍ର ଶୈଳୀରେ ଲିଖିତ ପୁସ୍ତକ । କାଳ ଓ ଗତିର ଅବଧାରଣା, ଧର୍ମ ଓ ଆଧ୍ୟାତ୍ମିକତାର ସମନ୍ବୟକୁ ବାଖ୍ୟାନ କରିଛି ।

୧୯୫୯ ମସିହାରେ ଐତିହାସିକ ପମ୍ପା ନଦୀ କୂଳରେ ଅବସ୍ଥିତ ତିରୁଓ୍ବଲରେ ପ୍ରଭା ବର୍ମା ଜନ୍ମଗ୍ରହଣ କରିଥିଲେ । ସେଇଠୁ ତାଙ୍କର ସାହିତ୍ୟ ସାଧନା ଆରମ୍ଭ ହୋଇଥିଲା  । ପ୍ରଭା ବର୍ମା ୭୦ରୁ ଅଧିକ ପୁରସ୍କାର ଓ ସମ୍ମାନରେ ସମ୍ମାନିତ ହୋଇଛନ୍ତି  । ସେ ସମ୍ମାନଜନକ ରଜତ କମଳ ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାର, କେରଳ ସାହିତ୍ୟ ଏକାଡେମୀ , କେରଳ ସଂଗୀତ ନାଟକ ଏକାଡେମୀ ସମ୍ମାନ, କେରଳ ରାଜକୀୟ ଫିଲ୍ମ ସମ୍ମାନ ଆଦିରେ ସମ୍ମାନିତ ହୋଇଛନ୍ତି । ୨୦୧୩ରେ କେରଳର ଜ୍ଞାନପୀଠ ବିବେଚିତ ଭୟଲାର ପୁରସ୍କାର ପାଇଛନ୍ତି । ଶ୍ରେଷ୍ଠ ଲିରିକ୍ ପାଇଁ ତାଙ୍କୁ ନାସନାଲ ଫିଲ୍ମ ଆଓ୍ବାର୍ଡ ମଧ୍ୟ ମିଳିଛି । ଏଥିସହିତ ଆବୁଧାବି ଶକ୍ତି ଆଓ୍ବାର୍ଡ, ବାହାରିନ ଇଣ୍ଡିଆନ ସମାଜମ ଆଓ୍ବାର୍ଡ, ପଦ୍ମପ୍ରଭା ପୁରସ୍କାର ଆଦି ସମ୍ମାନରେ ସମ୍ମାନିତ ହୋଇଛନ୍ତି । ମୋହିନୀଆଟମ୍, ଭାରତନାଟ୍ୟମ୍ ପାଇଁ ବହୁ କର୍ଣ୍ଣାଟକ ସଂଗୀତ, ଭଜନ ମାଧ୍ୟମରେ ଶାସ୍ତ୍ରୀୟ ସଂଗୀତ କ୍ଷେତ୍ରରେ ତାଙ୍କର ମହାନ ଯୋଗଦାନ ରହିଛି। ସଂପ୍ରତି କେରଳ ମୁଖ୍ୟମନ୍ତ୍ରୀଙ୍କ ଗଣମାଧ୍ୟମ ପରାମର୍ଶଦାତା ଭାବେ ସେ ଅବସ୍ଥାପିତ ।