‘ଆଳୁ’ କେଉଁଠି କେଜି ୫୦ ତ କେଉଁଠି ୬୦, ଲୋକେ ଖାଇବେ କ’ଣ ?

ଭୁବନେଶ୍ବର: ହାଫ୍ ସେଞ୍ଚୁରି ମାରିଲା ଆଳୁ । କେଉଁଠି କେଉଁଠି ଏହାର ରେଟ୍ ୬୦ରେ ବି ପହଞ୍ଚିଛି । ବର୍ତ୍ତମାନର ମହଙ୍ଗା ମାଡ଼ରେ ସାଧାରଣ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ନଇଁ ପଡ଼ିଥିବାବେଳେ, ସେଥିରେ ବଡ଼ ପ୍ରହାର କରିଛି ଆଳୁ ରେଟ୍ । କଞ୍ଚା ପରିବା ଅଧିକ ଦାମ୍ ଯୋଗୁଁ ଲୋକେ ଆଳୁରେ କାମ ଚଳାଉ ନେଉଥିଲେ । ଏବେ ତାହା ବି ହେଉନି । କେବଳ ଯେ, ଗ୍ରାହକଙ୍କୁ ବାଧୁଛି ତାହା ନୁହେଁ, ଅଧିକ ରେଟ୍ ଯୋଗୁଁ ବିକ୍ରି ବଟା ଭଲରେ ହୋଇପାରୁ ନଥିବାରୁ ବେପାରୀଙ୍କୁ ବି ଘାଟା । ଉଭୟ କିଣିବା ଲୋକ, ବିକିବା ଲୋକ ହେଉଛନ୍ତି ଛଟପଟ । ଏହାର ମୁଖ୍ଯ କାରଣ ପଶ୍ଚିମବଙ୍ଗରୁ ଓଡି଼ଶାକୁ ଆଳୁ ଆସୁନି । ଓଡ଼ିଶାର ଚାହିଦା ମୁଖ୍ଯତଃ ପଶ୍ଚିମବଙ୍ଗ ପୂରଣ କରୁଥିବା ବେଳେ ସେଠାରୁ ଆଳୁ ଆସୁ ନଥିବାରୁ ଦେଖା ଦେଇଛି ସମସ୍ଯା ।

ତରକାରୀ ତାଟିଆରୁ ଆଳୁ ଗାଏବ । ଯେଉଁ ଆଳୁ ସବୁ ତରକାରୀରେ ପଡ଼ିଥାଏ, ତାହା ଏବେ ଏତେ ମହରଗ ହୋଇଯାଇଛି ଯେ, ଦାମ୍ ଶୁଣି ଲୋକେ ଛାନିଆ ହୋଇପଡ଼ିଛନ୍ତି । କିଛି ଦିନ ମଧ୍ଯରେ ଏହାର ଦାମ୍ ଅହେତୁକ ଭାବେ ବଢ଼ିଛି । କେଉଁଠି କିଲୋ ୫୦ ତ କେଉଁଠି ୬୦ ।

ରାଜ୍ଯର ଅନ୍ଯତମ ବଡ଼ ପରିବା ମାର୍କେଟ କଟକ ଛତ୍ରବଜାରରେ ଆଳୁ ଏକ ପ୍ରକାର ଉଭାନ ହୋଇଯାଇଛି । ଯିଏ ୩ କିମ୍ବା ୪ କିଲୋ କିଣୁଥିଲା ସେ କିଲେ କିଣୁଛି । ଯେଉଁ ବେପାରୀ ପାଖରେ ଆଳୁ ଅଛି, ସେ ଚଢ଼ା ଦରରେ ବିକୁଛି । ହେଲେ ବିକ୍ରି କମ୍ ହେଉଥିବାରୁ ଘାଟା ହେଉଛି । ଏଥିରେ ଉଭୟ ଗ୍ରାହକ ଓ ବ୍ଯବସାୟୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଖୋଦ ଯୋଗାଣ ମନ୍ତ୍ରୀଙ୍କ ଜିଲ୍ଲା ଢେଙ୍କାନାଳରେ ବି ଏହି ଅବସ୍ଥା । ମାର୍କେଟରେ କମ୍ ଆଳୁ ଥିବାରୁ କଳାବଜାରୀ ହୁ ହୁ କରି ରେଟ୍ ବଢାଉଥିବାର ଅଭିଯୋଗ ହୋଇଛି ।

ଏପରି ରେଟ୍ ବଢ଼ିବାର କାରଣ ପଶ୍ଚିମବଙ୍ଗରୁ ଆସୁନି ଆଳୁ । ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶା ସମେତ ଅନ୍ଯ ରାଜ୍ଯକୁ ଆଳୁ ପଠାଯାଉନାହିଁ । କାରଣ ଯେତେ ଆଳୁ ଚାଷ ହୁଏ, ଏ ବର୍ଷ ସେତେ ହୋଇ ନାହିଁ । ପଶ୍ଚିମବଙ୍ଗରେ ରେଟ୍ ବଢ଼ିଥିବାରୁ ଅନ୍ଯ ରାଜ୍ଯକୁ ଆଳୁ ପଠାଇବାକୁ ମମତା ବାନାର୍ଜୀ ନିର୍ଦ୍ଦେଶ ଦେଇଥିବା କୁହାଯାଉଛି । ଓଡ଼ିଶା ଆସୁଥିବା ବହୁ ଟ୍ରକକୁ ଅଟକାଯାଇଥିବା ଜଣାପଡ଼ିଛି । ଆଜି ତ ବାଲେଶ୍ବର ଜିଲ୍ଲା ସୀମାନ୍ତ ସୁନାକଣିଆ ଚେକପୋଷ୍ଟରେ ଅଟକି ଥିବା ଆଳୁ ଟ୍ରକ ପଶ୍ଚିମବଙ୍ଗକୁ ଫେରାଇ ନେଇଥିଲା ଜିଲ୍ଲା ପ୍ରଶାସନ ।

ଓଡ଼ିଶା ପାଇଁ ବର୍ଷକୁ ଦରକାର ୧୪ ଲକ୍ଷ ୫୯ ହଜାର ଟନ ଆଳୁ । କିନ୍ତୁ ରାଜ୍ଯରେ ଉତ୍ପାଦନ ହେଉଛି ୭୦ରୁ ୮୦ ହଜାର ଟନ । ତେଣୁ ସିଂହଭାଗ ଆସେ ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ ଓ ପଞ୍ଜାବରୁ । ବ୍ଯବସାୟୀ ମହାସଂଘର ସୁଧାକର ପଣ୍ଡା କହିଛନ୍ତି, ସାରା ରାଜ୍ଯର ଶୀତଳ ଭଣ୍ଡାରରେ ୨୦ରୁ ୨୫ ହଜାର ଟନ ଆଳୁ ଅଛି, ଯାହାକି ୫ ଦିନରେ ସରିଯିବ । ପାଣିପାଗ ଦୃଷ୍ଟିରୁ ଉତ୍ତର ପ୍ରଦେଶରୁ ଏବେ ଆଳୁ ମଗାଇବା ସୁବିଧା ନୁହେଁ । ତେଣୁ ପଶ୍ଚିମବଙ୍ଗରୁ ଶୀଘ୍ର ଆଳୁ ଆଣିବାକୁ ଓ ଦର ନିଯନ୍ତ୍ରଣ କରିବାକୁ ସରକାରଙ୍କୁ କହିଛନ୍ତି ସୁଧାକର ପଣ୍ଡା ।

ତରକାରୀରେ ଆଳୁ ହେଉଛି ସବୁଠୁ ମୁଖ୍ଯ ପରିବା । ଅନ୍ଯ ପରିବା ଅପେକ୍ଷା ଏହା ଶସ୍ତା ମଧ୍ଯ । ବାକି କଞ୍ଚା ପରିବାର ରେଟ୍ ଏବେ ଆକାଶ ଛୁଆଁ ହୋଇଥିବା ବେଳେ ଆଳୁ ଥିଲା ସମସ୍ତଙ୍କର ଭରସା । ଏବେ ମାର୍କେଟରେ ତାହା ମଧ୍ଯ ପର୍ଯ୍ଯାପ୍ତ ପରିମାଣରେ ମିଳୁନାହିଁ । ତା’ ସାଙ୍ଗକୁ ରେଟ୍ ଆକାଶ ଛୁଆଁ ହୋଇଛି, ଯାହାକି ଖାଉଟିଙ୍କୁ ବହୁତ ଚିନ୍ତାରେ ପକାଇଛି ।