ବନ୍ୟା ଅଟକାଇଛି ଆମଦାନୀ, ଆଳୁ କେଜି ୩୫, ପିଆଜ କେଜି ୨୫ ଟଙ୍କା

1 min read

ଭୁବନେଶ୍ୱର: ହୁ ହୁ ହୋଇ ବଢ଼ିଚାଲିଛି ଆଳୁ ଏବଂ ପିଆଜ ଦର । ଗତ ସପ୍ତାହକ ମଧ୍ୟରେ ଆଳୁ ଦର କିଲୋ ପ୍ରତି ୧୦ ଟଙ୍କା ବୃଦ୍ଧି ପାଇଥିବା ବେଳେ ପିଆଜ କିଲୋ ପ୍ରତି ୮ଟଙ୍କା ବଢିଲାଣି । ଆସାମ ଏବଂ କୋଲକାତା ବନ୍ୟା ପ୍ରକୋପ ପାଇଁ ଆଳୁ ଆମଦାନୀରେ ଅସୁବିଧା ହେଉଥିବାରୁ ଦର ବଢୁଥିବା ବେଳେ ପିଆଜ ଦର ବି ବଢି ବଢି ଚାଲିଛି । ଯଦି ଏଭଳି ସ୍ଥିତି ଲାଗିରୁହେ ତେବେ ଆଗକୁ ସ୍ଥିତି ଆହୁରି ବିଗିଡିବ ବୋଲି ସୂଚନା ଦେଇଛି ବ୍ୟବସାୟୀ ମହାସଂଘ । ଓଡିଆ ପଖାଳ କଂସାରେ ଆଳୁ-ପିଆଜ ନିତିଦିନିଆ ଖାଦ୍ୟ । କିନ୍ତୁ ଏହି ନିତ୍ୟ ବ୍ୟବହାର୍ଯ୍ୟ ଆଳୁ-ପିଆଜ ଦର ଏବେ ଆକାଶ ଛୁଆଁ । ସପ୍ତାହକ ମଧ୍ୟରେ ଆଳୁ କେଜି ପ୍ରତି ୧୦ ଟଙ୍କା ବଢିଥିବା ବେଳେ ପିଆଜ ୮ ଟଙ୍କା ବୃଦ୍ଧି ପାଇଲାଣି  । ଏବେ ଖୁଚୁରା ବଜାରରେ  ଆଳୁ କିଲୋ ପ୍ରତି ୩୫ ଟଙ୍କା ଥିଲା ବେଳେ ପିଆଜ ୨୫ ଟଙ୍କାରେ ପହଂଚିଲାଣି  । ହଠାତ ଆଳୁ ଓ ପିଆଜ ଦର ହୁ ହୁ ହୋଇ ବଢିବା ଖାଉଟିଙ୍କୁ ଚିନ୍ତାରେ ପକାଇଛି  ।

ଗୋଦାମରେ ଦର ବଢିବା ସହ ବସ୍ତାଏ ଆଳୁରେ ଅଧିକାଂଶ ଆଳୁ ପଚାସଢା ପଡୁଥିବାରୁ ଦର ଏପରି ବଢୁଛି ବୋଲି ବ୍ୟବସାୟୀ କହିଛନ୍ତି  । ସେପଟେ ମହାମାରୀ ସମୟରେ ଏଭଳି ଦର ବୃଦ୍ଧି ଖାଉଟିଙ୍କ ପାଇଁ ବେଡି ଉପରେ କୋରଡା ମାଡ ଭଳି ହୋଇଛି ।  ସେପଟେ ଆଳୁ-ପିଆଜ ଦର ବୃଦ୍ଧିକୁ ନେଇ ପଶ୍ଚିମବଙ୍ଗ ଉପରେ ଦୋଷ ଲଦିଛି ବ୍ୟବସାୟୀ ମହାସଂଘ । ଆସାମରେ ବନ୍ୟାର ସ୍ଥିତି ଏବଂ ପଶ୍ଚିମବଙ୍ଗରେ ଦର ବୃଦ୍ଧି ପାଇଁ ଓଡ଼ିଶା ବଜାର ପ୍ରଭାବିତ ହୋଇଛି ।

ବର୍ତ୍ତମାନ ସ୍ଥିତିରେ ପାଇକରୀରେ ଆଳୁ ୨୩ ଟଙ୍କା ଥିଲା ବେଳେ ଖୁଚୁରା ବଜାରରେ ଏହା ୨୮ ଟଙ୍କାରେ ବିକ୍ରି ହେବା କଥା  । ସେହିପରି ପିଆଜ ପାଇକରୀରେ କିଲୋ ପ୍ରତି ୧୩ ଟଙ୍କା ଥିଲା ବେଳେ ଏହା ଖୁଚୁରା ବଜାରରେ ୧୮ ଟଙ୍କାରେ ବିକ୍ରି ହେବା କଥା । କିନ୍ତୁ କିଛି ସ୍ଥାନରେ ନିୟନ୍ତ୍ରଣ ରହୁନଥିବାରୁ କିଛି ଅସାଧୁ ବ୍ୟବସାୟୀ ଏଭଳି ଦରବୃଦ୍ଧି କରୁଛନ୍ତି ବୋଲି କହିଛନ୍ତି ବ୍ୟବସାୟୀ ମହାସଂଘ ସଂପାଦକ । କେବଳ ଆଳୁ ଓ ପିଆଜ ନୁହେଁ ବରଂ ପରିବା ବଜାରରେ ଲାଗିଛି ନିଆଁ । ୫ ଶହ ଟଙ୍କାରେ ବି ଭର୍ତ୍ତି ହେଉନି ବ୍ୟାଗ୍ । ଯାହାକୁ ହାତମାରିଲେ ୫୦ ଉପରେ । ଏଭଳି ସ୍ଥିତିରେ ସାଧାରଣ ଖାଉଛି କ’ଣ କରିବେ ସେନେଇ ଚିନ୍ତାରେ ।

Leave a Reply