ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ପୂର୍ବରୁ ଶିଳ୍ପମନ୍ତ୍ରୀଙ୍କ ବୟାନକୁ ନେଇ ତେଜିଲା ରାଜନୀତି
ଭୁବନେଶ୍ବର: ମେକ୍ ଇନ ଓଡ଼ିଶାର ନାଁ ବଦଳି ଉତ୍କର୍ଷ ଓଡ଼ିଶା ହୋଇଛି । ନବୀନ ପଟ୍ଟନାୟକ ସରକାର ସମୟରେ ସଫଳତା ସହ ୩ଟି ମେକ୍ ଇନ୍ ଓଡ଼ିଶା କନକ୍ଲେଭ ଜରିଆରେ ହଜାର ହଜାର କୋଟିର ପୁଞ୍ଜି ନିବେଶ ଆସିଥିଲା । ଯାହାକୁ ବର୍ତ୍ତମାନର ସରକାର ସହଜରେ ହଜମ କରି ପାରୁନାହାନ୍ତି । ଆସନ୍ତାକାଲି ଆରମ୍ଭ ହେବାକୁ ଥିବା ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ପୂର୍ବରୁ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ ଦେଇଥିବା ବିବାଦୀୟ ବୟାନକୁ ନେଇ ରାଜ୍ୟ ରାଜନୀତି ତେଜିବାରେ ଲାଗିଛି । ସମ୍ଭାବନା ସତ୍ତ୍ବେ ଓଡ଼ିଶା ଶିଳ୍ପର ମରୁଭୂମି ବୋଲି କହିଥିଲେ ମନ୍ତ୍ରୀ । ଯାହାକୁ ନାପସନ୍ଦ କରି ଅର୍ଥନୈତିକ ସମୀକ୍ଷକ ନବୀନ ସରକାର ସମୟର ପୁଞ୍ଜିନିବେଶର ତଥ୍ୟ ରଖିଛନ୍ତି । ସେପଟେ ଶିଳ୍ପ ମନ୍ତ୍ରୀଙ୍କ ବୟାନକୁ ନିନ୍ଦା କରିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ ।
ମେକ୍ ଇନ୍ ଓଡ଼ିଶା ୨୦୧୬, ୨୦୧୮ ଓ ୨୦୨୨। ଏ ସମସ୍ତ କନକ୍ଲେଭ ପୂର୍ବରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକ ବିଭିନ୍ନ ରାଜ୍ୟ ଗସ୍ତ କରି ବଡ଼ ବଡ଼ ଶିଳ୍ପପତିଙ୍କ ସହ ଓ୍ବାନ ଟୁ ଓ୍ବାନ ଆଲୋଚନା କରି ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆମନ୍ତ୍ରଣ କରିଥିଲେ । ସେମାନେ ମେକ୍ ଇନ୍ ଓଡ଼ିଶାରେ ଯୋଗ ଦେଇ ଓଡ଼ିଶାରେ ବୃହତ ପୁଞ୍ଜିନିବେଶ କରିଥିଲେ । ହେଲେ ମେକ୍ ଇନ୍ ଓଡ଼ିଶାର ନାଁକୁ ଉତ୍କର୍ଷ ଓଡ଼ିଶା ଭାବେ ବଦଳାଥିଲେ ବି ନବୀନ ସରକାରଙ୍କ ସମୟରେ ପୁଞ୍ଜିନିବେଶରେ ମିଳିଥିବା ସଫଳତାକୁ ନୂଆ ସରକାର ହଜମ କରିପାରୁନି । ଯେଉଁଥି ପାଇଁ ଶିଳ୍ପ ମନ୍ତ୍ରୀ କହିଲେ, ସମ୍ଭାବନା ସତ୍ତ୍ବେ ଓଡ଼ିଶାରେ ରହିଛି ଶିଳ୍ପର ମରୁଭୂମି । ବିବୃତି ପରେ ଶିଳ୍ପମନ୍ତ୍ରୀଙ୍କୁ ନବୀନ ସରକାର ସମୟରେ ନିବେଶର ଆଇନା ଦେଖାଇଛନ୍ତି ଅର୍ଥନୀତି ବିଶେଷଜ୍ଞ । ୨୦୧୬ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ୨ ଲକ୍ଷ କୋଟି ନିବେଶ ସହ ୨୮ ଶିଳ୍ପ ପ୍ରସ୍ତାବ ଆସିଥିଲା । ଏଥିରେ ୧ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ଥିଲା । ୨୦୧୮ ମେକ୍ ଇନ୍ ଓଡ଼ିଶାରୁ ୧୫ କ୍ଷେତ୍ରରୁ ୪ ଲକ୍ଷ ୧୯ ହଜାର କୋଟି ନିବେଶ ସହ ଆସିଥିଲା ଓ ୫.୯୧ ଲକ୍ଷ ନିଯୁକ୍ତି ସୁଯୋଗ ଥିଲା । କନକ୍ଲେଭରେ ଭାରତ ସମେତ ଜାପାନ, ଚାଇନା, ଇଟାଲି, ଜର୍ମାନୀ, ସାଉଦି ଆରବ ଓ ଦକ୍ଷିଣ କୋରିଆର ଶିଳ୍ପପତି ଯୋଗ ଦେଇଥିଲେ ।
୨୦୨୨ ମେକ୍ ଇନ୍ ଓଡ଼ିଶାରେ ୭୪୧ କମ୍ପାନୀଙ୍କ ପକ୍ଷରୁ ୧୦.୫ ଲକ୍ଷ କୋଟି ନିବେଶ ପ୍ରସ୍ତାବ ରଖାଯାଇଥିଲା । ଯାହା ୧୦ ଲକ୍ଷ ୩୭ ହଜାର ୭୦୧ ଚାକିରି ସମ୍ଭାବନା ସୃଷ୍ଟି କରିପାରିଛି । ଏପରିକି ରାଜ୍ୟକୁ ନିପ୍ପନ ଆଣିବାକୁ ଦକ୍ଷିଣ କୋରିଆ ବି ଯାଇଥିଲେ ନବୀନ ।
ଉତ୍କର୍ଷ ଓଡ଼ିଶାକୁ ନେଇ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁଙ୍କୁ ବିଜେଡି ଓ କଂଗ୍ରେସ କଡ଼ା ଜବାବ ଦେଇଛନ୍ତି । ଗତ ୭ ମାସରେ ରାଜ୍ୟରେ ବିଗିଡ଼ିଥିବା ଆଇନ ଶୃଙ୍ଖଳା ଯୋଗୁଁ ଶିଳ୍ପ ସଂସ୍ଥା ଗୁଡ଼ିକ ଓଡ଼ିଶାରେ ନିବେଶ ପାଇଁ ଭୟ କରୁଥିବା ଅଭିଯୋଗ କରିଛି ବିଜେଡି । ପ୍ରଶାସନିକ ଓ ବିଜେପି ଚାପରେ ସେମାନେ ଦ୍ବନ୍ଦ୍ବରେ ପଡ଼ିଛନ୍ତି । ଆଗାମୀ ୫ ବର୍ଷରେ ପରିବେଶ ନଷ୍ଟ ହୋଇ ଶିଳ୍ପ ଧ୍ବଂସର ଆଶଂକା କରିଛି ବିଜେଡି । ସେହିପରି କଂଗ୍ରେସ ନେତା ରାମଚନ୍ଦ୍ର କାଡ଼ାମ ପ୍ରଶ୍ନ କରିଛନ୍ତି, ବ୍ୟୟ ବହୁଳ ପ୍ରବାସୀ ଭାରତୀୟ ସମ୍ମିଳନୀରୁ କିଛି ନିବେଶ ଆସିଲାନି । ଉତ୍କର୍ଷ ଓଡ଼ିଶାରୁ କ’ଣ ଆସିବ ?
ନବୀନ ସରକାର ସମୟର ମେକ୍ ଇନ୍ ଓଡ଼ିଶାରୁ ରସାୟନ, ପେଟ୍ରୋ କେମିକାଲସ୍,ପ୍ଲାଷ୍ଟିକସ୍, ଆନସିଲିଆରି ସହ ଡାଉନଷ୍ଟ୍ରିମ ମେଟାଲ ଶିଳ୍ପ, ଟେକ୍ସଟାଇଲସ୍, ଆପାରେଲ, ଖାଦ୍ୟ ପ୍ରକ୍ରିୟାକରଣ, ଆଇଟି, ଇଲେକ୍ଟ୍ରୋନିକସ୍ ମ୍ୟାନୁଫ୍ୟାକଚରିଂ ଓ ପର୍ଯ୍ୟଟନ କ୍ଷେତ୍ରରେ ନିବେଶ ଆସିଥିଲା । ଷ୍ଟାର୍ଟଅପ୍ ଓ ଉଦ୍ୟୋଗୀ ସୃଷ୍ଟି କରିବା ଲକ୍ଷ୍ୟରେ ସଫଳତା ହାସଲ କରିଥିଲା ନବୀନ ପଟ୍ଟନାୟକଙ୍କ ମେକ୍ ଇନ୍ ଓଡ଼ିଶା ।