ରାଜନେତାଙ୍କ ଲାଗି ଖୁସି ଖବର, ସାଧାରଣ ଜନତାଙ୍କଠାରୁ ଅଧିକ ୩ରୁ ୭ ବର୍ଷ ବଞ୍ଚନ୍ତି ନେତା

1 min read

ନୂଆଦିଲ୍ଲୀ: ରାଜନେତାଙ୍କ ଲାଗି ଖୁସି ଖବର । ଅନ୍ୟମାନଙ୍କଠାରୁ ୩ ରୁ ୭ ବର୍ଷ ଯାଏ ଅଧିକ ବର୍ଷ ବଞ୍ଚନ୍ତି ରାଜନେତା । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଓ ମେଲବୋର୍ଣ୍ଣ ବିଶ୍ୱବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଗବେଷଣାରେ ଏହି ତଥ୍ୟ ପ୍ରକାଶ ପାଇଛି । ଏହି ରିପୋର୍ଟରେ ଆୟୁଷ, ଆୟ ଓ ଅନ୍ୟାନ୍ୟ କେତେକ ପ୍ରସଙ୍ଗରେ ସର୍ଭେ କରାଯାଇଛି । ବିଶ୍ୱର ସର୍ବୋଚ୍ଚ ଆୟ କରୁଥିବା ୧ ପ୍ରତିଶତ ଲୋକ ମୋଟ ଆୟର ୨୦ ପ୍ରତିଶତ ଆୟ କରିଥାନ୍ତି । ସେହିପରି ଧନୀମାନେ ବି ଅନ୍ୟମାନଙ୍କ ତୁଳନାରେ ଅଧିକ ବର୍ଷ ବଞ୍ଚନ୍ତି । ଆମେରିକାର ସର୍ବନିମ୍ନ ସ୍ତରରେ ଥିବା ୧ ପ୍ରତିଶତ ଲୋକଙ୍କ ଆୟୁ ତୁଳନାରେ ସର୍ବୋଚ୍ଚ ସ୍ତରରେ ଥିବା ଲୋକଙ୍କ ଆୟୁ ହାରାହାରି ୧୫ ବର୍ଷ ଅଧିକ । ଅଧିକ ଶିକ୍ଷିତ, ଅଧିକ ଦରମା ପାଉଥିବା ବ୍ୟକ୍ତି, ରାଜନେତାମାନଙ୍କ ଆୟୁ ଅଧିକ ହେଉଥିବା ରିପୋର୍ଟରେ ଦର୍ଶାଯାଇଛି ।

ଅଧିକ ଆୟ କରୁଥିବା ଲୋକଙ୍କ ଦେଶ- ଯଥା ଅଷ୍ଟ୍ରେଲିଆ, ଅଷ୍ଟ୍ରିଆ, କାନାଡା, ବ୍ରିଟେନ, ଆମେରିକା, ଇଟାଲୀ ଆଦି ଦେଶରେ ଏହି ସର୍ଭେ କରାଯାଇଥିଲା । ଗବେଷଣାରେ ଏହି ସମସ୍ତ ରାଷ୍ଟ୍ରର ପ୍ରାୟ ୫୭ ହଜାର ରାଜନେତାଙ୍କ ଆୟୁକୁ ବିଚାରକୁ ନିଆଯାଇଥିଲା । ସେମାନଙ୍କ ଆୟୁ ଅନ୍ୟ ସାଧାରଣ ମଣିଷଙ୍କ ତୁଳନାରେ ଅଧିକ ଥିବା ପ୍ରମାଣିତ ହୋଇଥିଲା । ଉନ୍ନବିଂଶ ଓ ବିଂଶ ଶତାବ୍ଦୀରେ ବିଶ୍ୱର ପ୍ରାୟ ସମସ୍ତ ରାଷ୍ଟ୍ରରେ ସାଧାରଣ ମଣିଷଙ୍କ ସହ ରାଜନେତାଙ୍କ ବୟସ ପ୍ରାୟ ସମାନ ଥିଲା । ମାତ୍ର ବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ରାଜନେତାଙ୍କ ବୟସ ଅନ୍ୟମାନଙ୍କ ତୁଳନାରେ ବଢ଼ିବା ପରିଲକ୍ଷିତ ହୋଇଥିଲା । ବିଂଶ ଶତାବ୍ଦୀରେ ୪୫ ବର୍ଷରୁ ଅଧିକ ବୟସର ରାଜନେତାଙ୍କ ଆୟୁ ହାରାହାରି ୧୪ ବର୍ଷ ବଢ଼ିଥିବା ରିପୋର୍ଟରେ କୁହାଯାଇଛି । ତେବେ ବଡ଼ କଥା ହେଉଛି ରାଜନେତାଙ୍କ କ୍ଷେତ୍ରରେ ଆୟୁଷ ବଢ଼ିବା ମୂଳରେ ବି କାରଣ ଦର୍ଶାଯାଇଛି । ସେମାନଙ୍କ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା, ଲାଇଫଷ୍ଟାଇଲ ଏହାର କାରଣ । ସେମାନେ ସାଧାରଣତଃ ଉନ୍ନତ ବୃତ୍ତିଗତ ମାନସିକତା ସମ୍ପନ୍ନ ହେଉଥିବାରୁ ସେମାନେ ଅଧିକ ସଚେତନ ହୋଇଥାନ୍ତି ଏବେ ସେମାନଙ୍କ ସ୍ତରରେ ଧୂମପାନ ହ୍ରାସ ପାଇଥାଏ । ଏହା ସହ ଟେଲିଭିଜନ ଓ ସୋସିଆଲ ମିଡିଆରେ ବିଭିନ୍ନ ନୂଆ ସଚେତନଧର୍ମୀ ଅଭିଯାନମାନ ଜାରି ରହିଥିବାବେଳେ ଏହାର ପ୍ରଭାବରେ ରାଜନେତାମାନେ ଅଧିକ ସଚେତନ ହୋଇଥିବା କୁହାଯାଇଛି ।

ପୁରୁଷଙ୍କ ତୁଳନାରେ ମହିଳାମାନେ ବି ଅଧିକ ବର୍ଷ ବଞ୍ଚନ୍ତି । ମାତ୍ର ନେତାଙ୍କ ପରି ନେତ୍ରୀମାନଙ୍କ ଆୟୁ ଅଧିକ ହୋଇଥାଏ ବୋଲି କୁହାଯାଇଛି । ଅଧିକାଂଶ ଦେଶରେ ରାଜନେତାଙ୍କ ଆୟ, ସମ୍ପତ୍ତି ଆଦି ସମ୍ପର୍କରେ ସ୍ୱଚ୍ଛତା ଓ ଖୁଲାସାକୁ ଗୁରୁତ୍ୱ ଦିଆଯାଉଥିବାରୁ ସେମାନଙ୍କ ଲାଇଫଷ୍ଟାଇଲରେ ପରିବର୍ତ୍ତନ ଆସିଥିବା କୁହାଯାଇଛି ।