ଥାନା ଆଗରୁ ପୋଲିସ ପେଟ୍ରୋଲିଂ ବାଇକ୍ ଚୋରି
ଭୋପାଲ : ଯେଉଁ ଗାଡି ଧରି ପୋଲିସ ପେଟ୍ରୋଲିଂ କରିବାକୁ ଯାଉଥିଲା ସେହି ବାଇକକୁ ନେଇଗଲା ଚୋର । ଦଶ ଦିନ ପରେ ମାମଲା ରୁଜୁ କରିଛି ପୋଲିସ । ଏମିତି ଏକ ଘଟଣା ମଧ୍ୟପ୍ରଦେଶର ଜବଲପୁରରେ ଦେଖିବାକୁ ମିଳିଛି । ସେଠାରେ ଚୋରଙ୍କ ସାହାସ ଏତେ ବଢି ଯାଇଛି ସେ ପୋଲିସ ଥାନା ବାହାରେ ଥିବା ପେଟ୍ରୋଲିଂ ବାଇକକୁ ଚୋରି କରି ନେଇଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଏହା ଯେ, ପୋଲିସକୁ ନିଜ ଗାଡି ଚୋରି ମାମଲା ରୁଜୁ କରିବା ପାଇଁ ୧୦ ଦିନ ସମୟ ଲାଗିଥିଲା । ଘଟଣାଟି ଅକ୍ଟୋବର ୧୫ ତାରିଖ ଦିନ ସଞ୍ଜିବନୀ ନଗର ପୋଲିସ ଷ୍ଟେସନ ଅଧିନସ୍ଥ ଧନଭନ୍ତନଗର ଆଉଟପୋଷ୍ଟ ବାହାରେ ଘଟିଥିଲା । ପୋଲିସର ଚିତା ପେଟ୍ରୋଲିଂ ବାଇକ ପୋଷ୍ଟ ବାହାରେ ପାର୍କିଂ କରାଯାଇଥିଲା, ସେହି ସମୟରେ ଜଣେ ଯୁବକ ଆସି ପୋଲିସ ସହ କଥା ହୋଇଥିଲେ । ଏହା ପରେ ସେ ସୁଯୋଗ ପାଇଁ ବାଇକଟିକୁ ନେଇ ପଳାଇଯାଇଥିଲେ । କିଛି ସମୟ ପରେ ପୋଲିସ ଯେତେବେଳେ ପାର୍କିଂ ହୋଇଥିବା ଗାଡି ସବୁ ଦେଖିଲେ ସେତେବେଳେ ଚିତା ବାଇକଟି ନଥିବା ଜାଣିବାକୁ ପାଇଲେ । ସେଠାରେ ଥିବା କର୍ମଚାରୀଙ୍କୁ ବାଇକ ବିଷୟରେ ପଚାରାଯାଇଥିଲା କିନ୍ତୁ କାହାରିକୁ ବାଇକ ବିଷୟରେ ଜଣା ନଥିଲା ।
ପୋଲିସ ପ୍ରଥମେ ବାଇକ ଖୋଜିବା ଆରମ୍ଭ କରିଥିଲା, ନ ପାଇବା ପରେ ସିସିଟିଭି ଯାଞ୍ଚ କରିଥିଲା । ପୋଲିସ ଜଣେ ଯୁବକଙ୍କୁ ବାଇକ ନେଉଥିବାର ଦେଖିବାକୁ ପାଇଥିଲା । ଆଉ ତାକୁ ଚିହ୍ନଟ କରିବା ପାଇଁ ଆଖପାଖ ଅଞ୍ଚଳର ସିସିଟିଭି ଯାଞ୍ଚ କରିଥିଲା । ଆଶ୍ଚର୍ଯ୍ୟର କଥା ପୋଲିସକୁ ଘଟଣାର ମାମଲା ରୁଜୁ କରିବା ପାଇଁ ପ୍ରାୟ ୧୦ ଦିନ ସମୟ ଲାଗିଥିଲା । ପୋଲିସ ଏକ ଏଫଆଇଆର ରୁଜୁ କରି ବାଇକକୁ ଖୋଜିବା ଆରମ୍ଭ କରିଛି । ପୋଲିସ କହିଛି ଯେ, ଯୁବକ ଜଣଙ୍କ ମାନସିକ ସ୍ଥରରେ ଅସ୍ଥିର, ତାଙ୍କୁ ଚିହ୍ନଟ କରାଯାଇଛି । ଖୁବଶିଘ୍ର ବାଇକ ଉଦ୍ଧାର କରାଯିବ ।