ଆସନ୍ତା ଦୁଇଦିନରେ ସ୍ବାଭାବିକ ହେବ ସମ୍ବଲପୁରର ସ୍ଥିତି: ପୋଲିସ ଡିଜି

1 min read

ଆସନ୍ତା ଦୁଇଦିନରେ ସ୍ବାଭାବିକ ହେବ ସମ୍ବଲପୁରର ସ୍ଥିତି । ଆସନ୍ତାକାଲି ହେବାକୁ ଥିବା ସମସ୍ତ ପରୀକ୍ଷା ମଧ୍ୟ ଅନୁଷ୍ଠିତ ହେବ । ସମ୍ବଲପୁରରେ ଆଇନଶୃଙ୍ଖଳାର ସମୀକ୍ଷା କରି ଏଭଳି କହିଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ । ପରୀକ୍ଷା ଦେବାକୁ ଯିବା ଓ ଫେରିବା ବେଳେ ପିଲାଙ୍କ ଅସୁବିଧା ନହେବାକୁ ଗୁରୁତ୍ବ ଦିଆଯାଇଛି । ଛାତ୍ରଛାତ୍ରୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି କର୍ଫ୍ଯୁ ସମୟ କୋହଳ ହେବ ଆଗକୁ ସମ୍ବଲପୁରକୁ ଅଧିକ ପୋଲିସ ଫୋର୍ସ ଯୋଗାଇ ଦିଆଯିବ । ହିଂସା ସୃଷ୍ଟି କରୁଥିବା ଲୋକଙ୍କ ପ୍ରତି କଠୋର ହେବ ପୋଲିସ ।

ଶାନ୍ତି ଫେରାଇ ଆଣିବା ପାଇଁ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି ଡିଜିପି । ସମ୍ବଲପୁର ଯାଇ ଉତ୍ତରାଞ୍ଚଳ ଆଇଜିଙ୍କ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକରେ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ ଡିଜିପି । ଆଇନ ଶୃଙ୍ଖଳା ADG ଆର କେ ଶର୍ମା, ଗୁଇନ୍ଦା ନିର୍ଦ୍ଦେଶକ ସଂଜୀବ ପଣ୍ଡା, ସମ୍ବଲପୁର ଏସପିଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି । ସେପଟେ ସମ୍ବଲପୁରରେ ଆହୁରି ୨ଦିନ ବନ୍ଦ ରହିବ ଇଣ୍ଟରନେଟ୍ ସେବା । ଆସନ୍ତା ୧୭ ତାରିଖ ଦିନ ୧୦ଟା ଯାଏ ଏହି ସେବା ବନ୍ଦ ରହିବ ।

ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସମ୍ବଲପୁର ସୀମାକୁ ସିଲ୍ କରାଯାଇଥିବା ବେଳେ, ଆଉ ୮ ଜଣଙ୍କୁ ଗିରଫ କରାଯାଇଛି । ଫଳରେ ଗିରଫ ସଂଖ୍ୟା ୪୦କୁ ବୃଦ୍ଧି ପାଇଛି । ଏହାସହ ସହରର ୬ଟି ସ୍ଥାନରେ କର୍ଫ୍ୟୁ ବଳବତ୍ତର ରହିଛି । ଗତକାଲି ରାତି ୧୨ରୁ କର୍ଫ୍ୟୁ ଜାରି ହୋଇଛି । ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି କରିଛି ଜିଲ୍ଲା ପ୍ରଶାସନ । ସକାଳ ୮ରୁ ୧୦ଟା ଓ ଅପରାହ୍ନ ୩ଟା ୩୦ରୁ ୫ଟା ୩୦ ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ ହୋଇଛି ।

ଏହି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିପାରିବେ ଲୋକ । ସଦର, ଟାଉନ ଥାନା, ଧନୁପାଲି, ଅଇଁଠାପାଲ୍ଲୀ, କ୍ଷେତରାଜପୁର ଓ ବରେଇପାଲ୍ଲୀ ଥାନା ଅଞ୍ଚଳରେ କର୍ଫ୍ୟୁ । ସହରରେ ୪୨ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ହନୁମାନ ଜୟନ୍ତୀ ଗଣ୍ଡଗୋଳ ପରେ ଅପ୍ରୀତିକର ପରିସ୍ଥିତି ଏଡାଇବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି ହୋଇଛି । ମେଡିକାଲ ଏମର୍ଜେନ୍ସି ପାଇଁ ହେଲପଲାଇନ ନମ୍ବର ଜାରି କରାଯାଇଛି ।