ପୁରୀରେ ପୋଲିସ ଡିଜି ଅଭୟଙ୍କ ସମୀକ୍ଷା, ଶୃଙ୍ଖଳିତ ରଥଯାତ୍ରାକୁ ଫୋକସ

ପୁରୀ: ଦିନକ ପରେ ଘୋଷଯାତ୍ରା  । କଟକଣାରେ ମାଉସୀ ମା ଘର ଯିବେ ମହାବାହୁ  । ବିଶ୍ୱନିୟନ୍ତାଙ୍କ ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ କରିବାକୁ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି  । ସେପଟେ ପୁରୀରେ ପହଁଚିଛନ୍ତି ପୋଲିସ ଡିଜି ଅଭୟ  । ପହଁଚିବା ପରେ ପୁରୀ ଏସପି ଏବଂ ଅନ୍ୟାନ ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି ଡିଜିପି  ।  ଆଜି ତିନି ରଥକୁ ଦକ୍ଷିଣ ମୋଡ଼ କରିଛନ୍ତି ଦଇତା ଓ ସେବାୟତ  । ରଥଯାତ୍ରା ସମୟରେ କେବଳ ତିନିରଥକୁ ମହାପ୍ରଭୁଙ୍କ ସେବାୟତ ମାନେ ଟାଣିବାର ଅନୁମତି ଦେଇଛନ୍ତି ପ୍ରଶାସନ  ।

ସୁରକ୍ଷାବଳୟରେ ଶ୍ରୀକ୍ଷେତ୍ର । ଘୋଷଯାତ୍ରା ପାଇଁ ପୁରୀରେ ପୋଲିସ ଛାଉଣୀ । ରାତିପାହିଲେ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଏହା ପୂର୍ବରୁ ଆଜି ପୁରୀରେ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି ପୋଲିସ ଡିଜି ଅଭୟ । ଶୃଙ୍ଖଳିତ ରଥଯାତ୍ରା ଉପରେ ଗୁରୁତ୍ବ ଦିଆଯାଉଥିବାବେଳେ ପ୍ରଶାସନକୁ ସହଯୋଗ କରିବା ପାଇଁ ପୁରୀବାସୀଙ୍କୁ ଅପିଲ୍ କରିଛନ୍ତି ଡିଜିପି । ସମସ୍ତ ପୋଲିସ କର୍ମଚାରୀ ପୂର୍ବବର୍ଷ ପରି ଉତ୍ସାହିତ ଅଛନ୍ତି । ଘୋଷଯାତ୍ରା ଓ ବାହୁଡାରେ ପୋଲିସ କର୍ମଚାରୀମାନେ ସୁରୁଖୁରରେ ନିଜର ଦାୟିତ୍ବ ନିର୍ବାହ କରିବେ ।

ଘୋଷଯାତ୍ରାକୁ ଶୃଙ୍ଖଳାର ସହ ଶେଷ କରିବା ପାଇଁ ପ୍ରଶାସନିକ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ରଥଯାତ୍ରା ବେଳେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୁରୀ ସହରକୁ ୧୨ଟି ଜୋନରେ ବିଭକ୍ତ କରାଯାଇଛି । ୬୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ୧୦ ଜଣ ଅତିରିକ୍ତ ଏସପି, ୨୧ଜଣ ଡିଏସପି, ୬୪ ଜଣ ଇନସପେକ୍ଟର, ୨୨୨ ଏଏସ୍ଆଇ ଏବଂ ଏସ୍ଆଇଙ୍କୁ ଦାୟିତ୍ବ ଦିଆ ଯାଇଛି । ଆଜି ରାତି ୮ଟାରୁ ମଙ୍ଗଳବାର ରାତି ୮ଟା ପର୍ଯ୍ୟନ୍ତ ପୁରୀରେ କର୍ଫ୍ୟୁ ଲାଗୁ ହେବ । ଅନ୍ୟପଟେ ସମୀକ୍ଷା ବୈଠକ ପରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଡିଜିପି  । ପୁରୀରେ ରଥଯାତ୍ରା ସମୟରେ ଶାନତି ଶୃଙ୍ଖଳା ବଜାୟ ରଖିବା ପାଇଁ ସାଧାରଣ ଲୋକଙ୍କୁ ଅପିଲ କରିଛନ୍ତି ଅଭୟ  ।

Leave a Reply